ରବାଟ: ଭାରତ ଏବଂ ମରୋକ୍କୋ ମଧ୍ୟରେ ରକ୍ଷା ସମ୍ପର୍କକୁ ମଜବୁତ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର(ଏମ୍‌ଓୟୁ) କରିଛନ୍ତି। ଭାରତର ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ ଗସ୍ତ ସମୟରେ, ସେ ରବାଟ ସ୍ଥିତ ଭାରତୀୟ ରାଜଦୂତାବାସରେ ଏକ ନୂଆ ରକ୍ଷା ଉଇଙ୍ଗ୍ (ଡିଫେନ୍ସ୍ ୱିଙ୍ଗ୍) ଖୋଲାଯିବା ନେଇ ଘୋଷଣା କରିଛନ୍ତି। ଏହା ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆରମ୍ଭ କରିବ।

ସୂଚନା ମୁତାବକ, ସୋମବାର ଉଭୟ ଦେଶ ମଧ୍ୟରେ ଏକ ନୂଆ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ଯାହାଦ୍ୱାରା ରକ୍ଷା ସହଯୋଗ ପାଇଁ ଏକ ସଂସ୍ଥାଗତ ଢାଞ୍ଚା ସ୍ଥାପନ କରାଯାଇଛି। ଏମ୍‌ଓୟୁ ପରେ ଉଭୟ ଦେଶ ରକ୍ଷା ଉଦ୍ୟୋଗ, ଯୌଥ ସୈନ୍ୟ ଅଭ୍ୟାସ, ତାଲିମ ଏବଂ ସାମର୍ଥ୍ୟ ନିର୍ମାଣରେ ସହଯୋଗ ପାରସ୍ପରିକ ସହଯୋଗ କରିବେ। ଏହାସହ ରକ୍ଷା କ୍ଷେତ୍ରରେ ସହ-ଉତ୍ପାଦନ (କୋ-ପ୍ରଡ଼କ୍ସନ୍) ଏବଂ ସହ-ବିକାଶ (କୋ-ଡେଭଲପ୍ମେଣ୍ଟ୍) କରିବା ନେଇ ମଧ୍ୟ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି।

ଉଭୟ ଦେଶ ଏନେଇ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଆତଙ୍କବାଦ ପ୍ରତିକାର, ସାମୁଦ୍ରୀକ ସୁରକ୍ଷା, ସାଇବର୍ ରକ୍ଷା, ଶାନ୍ତି ରକ୍ଷା ମିଶନ୍, ସୈନ୍ୟ ଚିକିତ୍ସା ଏବଂ ବିଶେଷଜ୍ଞ ବିନିମୟରେ ସହଯୋଗ ପାଇଁ ତଥ୍ୟ ନିର୍ଦ୍ଧାରଣ କରାଯାଇଛି।

ଏନେଇ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ରକ୍ଷା ଉତ୍ପାଦନ ସାମର୍ଥ୍ୟ, ବିଶେଷକରି ଡ୍ରୋନ୍ ଏବଂ କାଉଣ୍ଟର୍-ଡ୍ରୋନ୍ ସିଷ୍ଟମ୍‌ଗୁଡ଼ିକୁ ଉଜାଗର କରି କହିଛନ୍ତି ଯେ, ଭାରତୀୟ କମ୍ପାନୀମାନେ ମରୋକ୍କୋର ଆବଶ୍ୟକତା ପୂରଣ କରିପାରିବେ। ଏହାଛଡା ଦୁଇ ଦେଶର ରକ୍ଷା ମନ୍ତ୍ରୀମାନେ ସୈନ୍ୟ ବାହିନୀମାନଙ୍କ ମଧ୍ୟରେ ବିନିମୟ ବଢ଼ାଇବା ଏବଂ ଆଞ୍ଚଳିକ ଓ ବିଶ୍ୱବ୍ୟାପୀ ସୁରକ୍ଷା ଚ୍ୟାଲେଞ୍ଜ ସମ୍ମୁଖୀନ ହେବା ପାଇଁ ବହୁପାର୍ଶ୍ୱିକ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ରାଜନାଥ ସିଂହ ମରୋକ୍କୋର ପ୍ରତିରକ୍ଷା ମନ୍ତ୍ରୀ ଆବ୍ଦେଲତିଫ୍ ଲୋଉଡିୟିଙ୍କୁ ଭାରତ ଯାତ୍ରା ପାଇଁ ଆମନ୍ତ୍ରଣ ଦେଇଛନ୍ତି।

ଏହି ପ୍ରତିରକ୍ଷା ଚୁକ୍ତିକୁ ଦ୍ୱିପାକ୍ଷିକ ରକ୍ଷା ସମ୍ପର୍କରେ ଏକ ମାଇଲଷ୍ଟୋନ୍ ବୋଲି ବର୍ଣ୍ଣନା କରାଯାଇଛି। ଯାହା ଦୁଇ ଦେଶର ରଣନୀତିକ ସମ୍ମିଳିତାକୁ ପ୍ରତିଫଳିତ କରୁଛି।

ଏହି ଚୁକ୍ତି ଦଉଇ ଦେଶର ରକ୍ଷା ସହଯୋଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶେଷକରି ସହ-ଉତ୍ପାଦନ କ୍ଷେତ୍ରରେ ଉଭୟ ଦେଶକୁ ଏହା ସହଯୋଗ କରିବ। ଏହାଛଡା ଭାରତୀୟ ମହାସାଗର ଏବଂ ଆଟ୍ଲାଣ୍ଟିକ୍ ମହାସାଗରୀୟ ପଥରେ ସୁରକ୍ଷା ଚ୍ୟାଲେଞ୍ଜ ସମ୍ମୁଖୀନ ହେବା ପାଇଁ ସମୁଦ୍ରୀୟ ସୁରକ୍ଷାରେ ସମନ୍ୱୟକୁ ନେଇ ମଧ୍ୟ ଦୁଇ ଦେଶ ପାରସ୍ପରିକ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।