ନୂଆଦିଲ୍ଲୀ,୧୫/୧୦ : ଗୁରୁଗ୍ରାମ ବାସିନ୍ଦା ବିରେନ୍ ଯାଦବ । ଖରାଦିନିଆ ସମୟ । ଘରେ ଏକୁଟିଆ ଥାଆନ୍ତି ଏହି ୭୭ ବର୍ଷୀୟ ପୂର୍ବତନ ଭାରତୀୟ ବାୟୁସେନା ଅଧିକାରୀ । ହଠାତ୍ ତାଙ୍କ ଫୋନ୍ ବାଜିଲା । ଅନ୍ୟପଟୁ ଜଣେ ମହିଳା ନିଜକୁ ଟେଲିକମ୍ ନିୟାମକ ଟ୍ରାଇର ଅଧିକାରୀ ଦର୍ଶାଇ ବିରେନ୍ଙ୍କୁ ଚାର୍ଜ କରିଚାଲିଲେ ଯେ, ତାଙ୍କ ଫୋନ୍ କାଳେ ଦେଶବିରୋଧୀ ବାର୍ତ୍ତା ପଠାଉଛି । ମହିଳା ଜଣକ ବାୟୁସେନା ଅଧିକାରୀଙ୍କ ଠିକଣା, ଜାତୀୟ ପରିଚୟପତ୍ର ଏବଂ ଟ୍ୟାକ୍ସ ଆକାଉଣ୍ଟ ନମ୍ବର ସବୁ ନିର୍ଭୁଲ ଭାବେ କହି ଚାଲିଲେ । ସାଇବର ପୁଲିସ୍ ତାଙ୍କ ନାଁକୁ ସ୍ପଷ୍ଟ ନ କରିବା ଯାଏ ସମସ୍ତ ନମ୍ବରକୁ ଫ୍ରିଜ୍ କରିବାକୁ ପଡ଼ିବ ବୋଲି ମହିଳା ଜଣକ ଯାଦବଙ୍କୁ କହିଲେ । ଏଇଠୁ ଯାଦବଙ୍କ ଡିଜିଟାଲ ଆରେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଗଲା । ଏଭଳି ଏକ ସ୍କାମ୍, ଯାହାର ଶିକାର ଆଜି ଦେଶର ସମ୍ଭ୍ରାନ୍ତ । ସାମାନ୍ୟ ଅସାବଧାନତା ପାଇଁ ହରାଉଛନ୍ତି କୋଟି କୋଟି ଟଙ୍କା ।
ଅଗଷ୍ଟରେ ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଡିଜିଟାଲ ଆରେଷ୍ଟ୍ର ଶିକାର ହୋଇ ୨୩ କୋଟି ଟଙ୍କା ହରାଇଥିଲେ । ୨୦୨୨ରୁ ଏହି ସ୍କାମ୍ ଯୋଗୁ ଦେଶରେ ମୋଟ ୨୫୮୦ କୋଟି ଟଙ୍କା ସ୍ୱାହା ହୋଇଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଗତବର୍ଷ ନେଦର୍ଲାଣ୍ଡ୍ସସ୍ଥିତ ଗ୍ଲୋବାଲ ଆଣ୍ଟି-ସ୍କାମ୍ ଆଲାଏନ୍ସ ଦ୍ୱାରା କରାଯାଇଥିବା ସର୍ଭେ ମୁତାବକ, ବିତ୍ତୀୟ ସ୍କାମ୍ର ଶିକାର ମାତ୍ର ୨୮% ଲୋକ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ନିକଟରେ ଅପରାଧକୁ ନେଇ ରିପୋର୍ଟ କରିଥାନ୍ତି । ପ୍ରତି ୫ରୁ ଜଣେ ହରାଇଥିବା ନିଜ ଅର୍ଥରାଶିକୁ ପାଇବା ପାଇଁ ବି ଚେଷ୍ଟା କରନ୍ତି ନାହିଁ । ଯେଉଁମାନେ ଚେଷ୍ଟା କରନ୍ତି, ସେମାନେ କ୍ୱଚିତ୍ ସଫଳ ହୁଅନ୍ତି । ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ବାହାରେ ଅର୍ଥ ଫେରିପାଇବା ହାର ଅତି କମ୍ । ଭାରତରେ ଯେଉଁମାନେ କମ୍ ଅର୍ଥ ହରାନ୍ତି, ସେମାନଙ୍କୁ ପୁଲିସ୍ ପକ୍ଷରୁ କୁହାଯାଇଥାଏ ଯେ, ସେମାନେ ସେମାନଙ୍କ ଅଭିଯୋଗ ଦାଖଲ କରିବାର କଷ୍ଟ କରନ୍ତୁ ନାହିଁ ।
କିଛି ବ୍ୟକ୍ତି ଡିଜିଟାଲ ଆରେଷ୍ଟ ଦ୍ୱାରା ଏତେ ମାତ୍ରାରେ ବିଚଳିତ ହୋଇଯାହାନ୍ତି ତଥା ନିଜ ନିର୍ବୋଧତା ପାଇଁ ଏତେ ମାତ୍ରାରେ ଲଜ୍ଜାବୋଧ କରନ୍ତି ଯେ, ସେମାନେ ନିଜ ପରିବାରକୁ ଏ ବିଷୟରେ ଲୁଚାନ୍ତି । ଫୋନ୍ ଉଠାଇବା ସମୟରେ ଯାଦବ ଡିଜିଟାଲ ଆରେଷ୍ଟ ବିଷୟରେ କିଛି ଜାଣି ନ ଥିଲେ । ମହିଳା ଜଣକ ଅନ୍ୟ ଜଣଙ୍କୁ ଫୋନ୍ ପାସ୍ କରିଥିଲେ, ଯାହାଙ୍କ କଣ୍ଠ ଜଣେ ଅଧିକାରୀଙ୍କର ବୋଲି ଜଣାପଡୁଥିଲା । ଉକ୍ତ ବ୍ୟକ୍ତି ଜଣକ କହିଲେ, ସରକାରଙ୍କ ବିଶ୍ୱାସ ଯେ, ଏକଦା ଦେଶର ଅନ୍ୟତମ ସର୍ବବୃହତ୍ ବିମାନ କମ୍ପାନି ରହି ଆସିଥିବା ଜେଟ୍ ଏୟାର୍ୱେଜ୍ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ମିଶି କାର୍ଯ୍ୟ କରୁଥିବା ଏକ ୨୪୬ ଜଣିଆ ଦଳର ସଦସ୍ୟ ହେଉଛନ୍ତି ଯାଦବ । ବ୍ୟାଙ୍କ ଠକେଇ ମାମଲାରେ ଗୋୟଲ ଜାମିନରେ ଥିବାବେଳେ ତାଙ୍କ ସହଯୋଗୀମାନଙ୍କୁ ଘେରାଯାଉଛି ବୋଲି ଅଧିକାରୀ ଜଣକ କହିଥିଲେ । ସେ କହିଥିଲେ ଯେ, ଯାଦବଙ୍କ ପାଖରେ ମାତ୍ର ଗୋଟିଏ ବିକଳ୍ପ ରହିଛି । ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆଗରେ ହାଜର ହେବେ ନଚେତ୍ ଗୋୟଲଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କା ଲୁଚାଇ ରଖିବା ଅଭିଯୋଗରେ ଗିରଫଦାରୀର ସାମ୍ନା କରିବେ ।
ଗ୍ଲୋବାଲ ଆଣ୍ଟି-ସ୍କାମ୍ ଆଲାଏନ୍ସ ଅନୁସାରେ, ସ୍କାମ୍ଗୁଡ଼ିକ ବାର୍ଷିକ ଏକ ୧ ଟ୍ରିଲିୟନ ଡଲାର ଶିଳ୍ପ । ଅନେକ ପ୍ରକାର ଠକେଇ ମାଧ୍ୟମ ରହିଛି । ସମ୍ପ୍ରତି ଡିଜିଟାଲ ଆରେଷ୍ଟ ଠକେଇର ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏଥିରେ ଦୁର୍ବଳ ମାନସିକତାର ବ୍ୟକ୍ତିମାନଙ୍କୁ ଆଇନ ପ୍ରବର୍ତ୍ତନ ଏଜେନ୍ସିର ଭୟ ଦେଖାଇ ଲୁଟିଥାନ୍ତି ଠକ । ଲୋକେ ଅତିରିକ୍ତ ଭୟ ଏବଂ ମାନସିକ ଝଟ୍କାରେ ଦବି ଯାଇ ସ୍କାମରଙ୍କୁ ନିଜ ଇଚ୍ଛାରେ ବଡ଼ ଆକାରରେ ଟଙ୍କା ଟ୍ରାନ୍ସଫର କରିଦିଅନ୍ତି । ତାହା ପୁଣି ଉପଯୁକ୍ତ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ ମାଧ୍ୟମରେ । କିଛି ମାମଲାରେ ଆଇନ ପ୍ରଶାସନକୁ ସଫଳତା ମିଳିଥାଏ । କିନ୍ତୁ ଅନେକ କ୍ଷେତ୍ରରେ ଟଙ୍କା ଫେରେନାହିଁ । ଅପରାଧର ଶିକାର ବ୍ୟକ୍ତିଙ୍କୁ ନିରାଶ ହେବାକୁ ପଡ଼େ । ଟଙ୍କା ଟ୍ରାନ୍ସଫର ହେବା ମାତ୍ରେ ସ୍କାମର୍ ଏହାକୁ ଉଠାଇ ନିଅନ୍ତି । ତେଣୁ ଫେରି ପାଇବା କଷ୍ଟକର ହୋଇପଡ଼େ । ସାଧାରଣତଃ ଯେଉଁ ଆକାଉଣ୍ଟଗୁଡ଼ିକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ, ଉକ୍ତ ଆକାଉଣ୍ଟଧାରୀଙ୍କୁ ବି କୌଣସି ଧାରଣା ନ ଥାଏ ଯେ, ତାଙ୍କ ପରିଚୟ ହାତେଇ ସ୍କାମରମାନେ ସେଥିରେ ଅପରାଧ ଭିଆଇଛନ୍ତି ।
କିଛି କ୍ଷେତ୍ରରେ ସାମାନ୍ୟ ଟଙ୍କା ଲୋଭରେ ବି କିଛି ନିରୀହ ଲୋକ ନିଜ ଆକାଉଣ୍ଟ୍କୁ ଉଧାର ଦେଇଥାନ୍ତି । ଅନେକ କ୍ଷେତ୍ରରେ ବିଦେଶରୁ ସବୁକିଛି ପରିଚାଳିତ ହୋଇଥାଏ । ବିଶେଷକରି କାମ୍ବୋଡିଆ, ଲାଓସ୍ ଏବଂ ମ୍ୟାଁମାର ଏହାର ଚେର । ଯାଦବଙ୍କ ମାମଲାରେ ସ୍କାମର୍ କାମ୍ବୋଡିଆରୁ କଲ୍ ପରିଚାଳନା କରୁଥିଲେ । ଏସବୁ କାର୍ଯ୍ୟରେ ବାହାରୁ ଚାଲାଣ କରି ଅଣାଯାଇଥିବା ବେକାର ଯୁବପିଢ଼ିଙ୍କୁ ତାଲିମ ଦେଇ ଲଗାଯାଇଥାଏ । କୋଟି କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରାଇ ଏହାକୁ ଡାର୍କୱେବ୍ରେ ବିକ୍ରି କରୁଛନ୍ତି ହ୍ୟାକର । ଏହାକୁ ବ୍ୟବହାର କରି ସ୍କାମର୍ମାନେ ବିତ୍ତୀୟ ଠକେଇ ଭିଆଉଛନ୍ତି । ଡିଜିଟାଲ ଆରେଷ୍ଟର ଶିକାର ହୋଇଥିବା ବିରେନ୍ ଯାଦବ ତାଙ୍କର କିଛି ଟଙ୍କା ଫେରିପାଇଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିରାଶ ହେଉଛି ଶିକାର ବ୍ୟକ୍ତି । ବିଶେଷଜ୍ଞଙ୍କ ମତରେ, ଡିଜିଟାଲ ଆରେଷ୍ଟକୁ ଦୁଇଟି ବାଟରେ ପ୍ରତିରୋଧ କରାଯାଇ ପାରିବ । ତାହା ହେଉଛି ମନୋବଳ ଏବଂ ପ୍ରଯୁକ୍ତି । ଲୋକେ ଅପରାଧୀକୁ ଚ୍ୟାଲେଞ୍ଜ୍ କରିପାରିବେ କିମ୍ବା ଏଭଳି ପରିସ୍ଥିତିରୁ ବଞ୍ଚିବା ପାଇଁ ଫୋନ୍କୁ ବନ୍ଦ କରିପାରିବେ । ଏହାକୁ ରୋକିବା ଦିଗରେ ବ୍ୟାଙ୍କଗୁଡ଼ିକ ବି ଭୂମିକା ନିର୍ବାହ କରିପାରିବେ । କୌଣସି ପ୍ରକାର ଆଲର୍ଟ ପଠାଇ ସେମାନେ ଅପରାଧକୁ ନିୟନ୍ତ୍ରଣ କରିପାରିବେ ।