ନୀଳଗିରି,୨୩/୦୬ : ଏକ ବଡ଼ ଧରଣର ଅପରାଧ କରିବାକୁ ଚାଲିଥିଲା ଯୋଜନା । ଖବର ପାଇ ସଠିକ ସମୟରେ ପହଞ୍ଚିଲା ନୀଳଗିରି ପୁଲିସ । ବନ୍ଧୁକ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୪ ଅପରାଧୀ ଫେରାର ହୋଇଯାଇଛନ୍ତି । 

ସୂଚନାରୁ ପ୍ରକାଶ, ନୀଳଗିରି ଥାନା ଅଧୀନ ଔପଦା ବ୍ଲକ ପଞ୍ଚଲିଙ୍ଗେଶ୍ୱର କଲେଜ  ସାମ୍ନା ପଡ଼ିଆରେ ୪ ଜଣ ଯୁବକ  ରବିବାର ଦ୍ୱିପ୍ରହରରେ ବସିଥିଲେ । ତାଙ୍କ ପାଖରେ ବନ୍ଧୁକ ଓ ଗୋଳାବାରୁଦ  ମଧ୍ୟ ଥିଲା । କିଛି ବଡ଼ ଧରଣର ଅପରାଧ ପାଇଁ ଚାଲିଥିଲା ବ୍ଲୁ-ପ୍ରିଣ୍ଟ । ବିଶେଷ ସୂତ୍ରରୁ ଖବର ପାଇଥିଲା ନୀଳଗିରି ପୁଲିସ । ଏସଡିପିଓ ପ୍ରମୋଦ  କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ନୀଳଗିରି  ଆଇଆଇସି ଗୋବର୍ଦ୍ଧନ ନାୟକ ଏକ ଟିମ୍‌ ନେଇ ଅଚାନକ ଚଢ଼ଉ କରିଥିଲେ । ହେଲେ ୪ଜଣ ଯୁବକ ବନ୍ଧୁକର ଗୁଳିଗୁଡ଼ିକ ଧରିଥିବା ବେଳେ  ତାହାକୁ ନେଇ ପାହାଡ଼ ଆଡ଼କୁ ଦୌଡ଼ି ପଳାଇଥିଲେ । ହେଲେ ପଡ଼ିଆରେ ବନ୍ଧୁକ ଛାଡ଼ି ଦେଇଯାଇଥିଲେ ।  ଆଇଆଇସି ଅପରାଧୀମାନଙ୍କର ପିଛା କରିଥିଲେ ମଧ୍ୟ ସେମାନେ ଦେବଗିରି  ପାହାଡ଼ରେ କୁଆଡ଼େ ଫେରାର ହୋଇଯାଇଥିଲେ । ଏନେଇ ନୀଳଗିରି  ଥାନାରେ ୨୫ ଆର୍ମସ ଆକ୍ଟରେ ୨୩୧  ନଂ ମାମଲା ୪ ଜଣ ଅଜଣା ଯୁବକଙ୍କ  ନାମରେ ରୁଜୁ ହୋଇଛି । ତେବେ  ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ହନୁମାନ  ପଇସା ଠାରୁ ଆରମ୍ଭ କରି ହାତୀଦାନ୍ତ  ବେପାରୀମାନେ ସକ୍ରିୟ ହେବା ସହିତ  ଛିନ୍‌ତାଇ, ଡକାୟତି, ନିଶା ବେପାରୀଙ୍କ  ଚରାଭୂଇଁ ପାଲଟିଥିବା ବେଳେ ରବିବାର  ପୁଣି ବନ୍ଧୁକ ଜବତ ଓ ଅପରାଧୀ  ଫେରାର ଘଟଣା ଏକ ବଡ଼ ଧରଣର  ଅପରାଧକୁ ନୀଳଗିରି ପାଲିସ ପଣ୍ଡ  କରିଥିବା ଜଣାପଡ଼ିଛି । ତେବେ ଏହି  ମାମଲାକୁ ପୁଲିସ ଗୁରୁତର ସହ  ନେଇ ତଦନ୍ତ କରୁଥିବା ଜଣାପଡିଛି ।