ନୂଆଦିଲ୍ଲୀ,୧୦/୧୦: ପାକିସ୍ତାନକୁ ବଡ଼ ଝଟକା ଦେଇଛି ଆମେରିକା । ଧରାପଡିଛି ପାକିସ୍ତାନର ମିଛ । ଆମେରିକା ପାକକୁ ଏୟାର-ଟୁ-ଏୟାର ମିସାଇଲ ଯୋଗାଣ କରିବ ବୋଲି ଦାବି କରୁଥିଲା ଶେହେବାଜ ସରକାର । ଏହାକୁ ଖଣ୍ଡନ କରିଛି ଟ୍ରମ୍ପ ପ୍ରଶାସନ । ଦାବିକୁ ମିଛ ବୋଲି କହିଛି ଆମେରିକା ଯୁଦ୍ଧ ବିଭାଗ । ଆମେରିକାର ଯୁଦ୍ଧ ବିଭାଗ ପାକିସ୍ତାନକୁ ନୂଆ AMRAAM କ୍ଷେପଣାସ୍ତ୍ର ପଠାଇବା ଗୁଜବକୁ ଖାରଜ କରିଛି । ଏହି ସଂଶୋଧନ କେବଳ FMS ଚୁକ୍ତିନାମା ଅନୁଯାୟୀ ସ୍ଥାୟୀତ୍ୱ ଏବଂ ଅତିରିକ୍ତ ସାମଗ୍ରୀ ସହିତ ଜଡିତ ବୋଲି କହିଛି ।
ପାକିସ୍ତାନ ଦାବି କରିଥିଲା ଯେ, ଆମେରିକା ପ୍ରତିରକ୍ଷା ଚୁକ୍ତିରେ ନିୟମ ପରିବର୍ତ୍ତନ କରାଯାଇଛି। ପାକିସ୍ତାନକୁ ମିଶାଇଲ ପାଇଁ ଗ୍ରୀନ ସିଗନାଲ ମିଳିଛି। ଆମେରିକା ଯୁଦ୍ଧ ବିଭାଗ ଦାବିକୁ ଖଣ୍ଡନ କରି ଏହାକୁ ମିଥ୍ୟା ପାକିସ୍ତାନୀ ପ୍ରଚାର ବୋଲି କହିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ସେନା ମୁଖ୍ୟ ଟ୍ରମ୍ପଙ୍କ ସହ ସାକ୍ଷାତ ପରେ ପାକିସ୍ତାନ ଏହି ଗୁଜବ ପ୍ରଚାର କରିଥିଲା। ଆମେରିକା ସରକାର ଏହାକୁ ଖଣ୍ଡନ କରି ଏକ ବିବୃତ୍ତି ଜାରି କରିଛି। ଆମେରିକା ଦୂତାବାସ ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ବୋଲି କହି ଏକ ସରକାରୀ ବିବୃତ୍ତି ଜାରି କରିଛି। ସ୍ପଷ୍ଟ ଭାବରେ କହିଛି ଯେ ଏହି ଚୁକ୍ତି ସଂଶୋଧନର କୌଣସି ଅଂଶ ପାକିସ୍ତାନକୁ ନୂତନ ଉନ୍ନତ ମଧ୍ୟମ-ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ ଯୋଗାଣ ସହିତ ଜଡିତ ନୁହେଁ । ଆମେରିକାର ଯୁଦ୍ଧ ବିଭାଗ ସେପ୍ଟେମ୍ବର ୩୦, ୨୦୨୫ ରେ ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ପାକିସ୍ତାନ ସମେତ ଅନେକ ଦେଶ ସହିତ ପ୍ରତିରକ୍ଷା ଚୁକ୍ତିନାମାରେ ପରିବର୍ତ୍ତନ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକ ରକ୍ଷଣାବେକ୍ଷଣ ଏବଂ ସ୍ପେୟାର ପାର୍ଟସ ଯୋଗାଣ ସହିତ ଜଡିତ।
ପୂର୍ବରୁ, ରିପୋର୍ଟଗୁଡ଼ିକ ଦାବି କରିଥିଲେ ଯେ ପାକିସ୍ତାନ ଆମେରିକାଠାରୁ ଏଆଇଏ-୧୨୦ ପାଇବାର ସମ୍ଭାବନା ଥିଲା । ଆମେରିକା ପ୍ରତିରକ୍ଷା ବିଭାଗ ଦ୍ୱାରା ସୂଚିତ ଏକ ଅସ୍ତ୍ର ଚୁକ୍ତିନାମାରେ ପାକିସ୍ତାନକୁ ଏହି କ୍ଷେପଣାସ୍ତ୍ରର ୩୫ ଜଣ କ୍ରେତାଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଦାବିଗୁଡ଼ିକୁ ଖଣ୍ଡନ କରିଛି ଆମେରିକା ଯୁଦ୍ଧ ବିଭାଗ । ଭାରତର ରାଫେଲକୁ ଟକ୍କର ଦେବାକୁ ପାକିସ୍ତାନ ଏହି ଯୋଜନା କରିଥିଲା । ପ୍ରତିରକ୍ଷା ବିଶ୍ଳେଷକମାନେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ପାକିସ୍ତାନର ଏଫ-୧୬ର କାର୍ୟ୍ୟକ୍ଷମ ପରିସର ଏବଂ ସଠିକତାକୁ ବୃଦ୍ଧି କରିବା ସହ ପାକ ବାୟୁସେନାକୁ ବିପଦର ମୁକାବିଲା କରିବାକୁ ସକ୍ଷମ ହେବ ବୋଲି କହିଥିଲେ । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ।