ନୂଆପଡ଼ା,୭/୧୧ : ନୂଆପଡ଼ାରେ ଭୋଟ ରାଜନୀତି ଏବେ ଉଷ୍ମ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ତିନି ଦଳ ବେଶ ପରିଶ୍ରମ କରୁଛନ୍ତି । ବିଜେପି ନୂଆ ଭୋଟରଙ୍କ ସମର୍ଥନ ଭିଡିବାକୁ ଅଣ୍ଟା ଭିଡ଼ିଛି ।
ଶୁକ୍ରବାର କୋମନାଠାରେ ଆୟୋଜିତ ପ୍ରଥମ ଥର ଭୋଟରଙ୍କ ସମ୍ମିଳନୀରେ ବହୁ ନୁଆ ଭୋଟର ଯୋଗଦେଇଥିଲେ। ନୂଆପଡାରେ ବିଜେପି ହିଁ ବିକଳ୍ପ, ବିକାଶ ପାଇଁ ବିଜେପିକୁ ବାଛିବାକୁ ବିଜେପି ନେତାମାନେ ଅନୁରୋଧ କରିଛନ୍ତି। ବିଜେପି ପକ୍ଷରୁ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ରାଜ୍ୟସଭା ସାସଂଦ ସୁଜିତ କୁମାର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
ଯୁବମୋର୍ଚ୍ଚା ଅନୁକୁଲ୍ୟରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ପ୍ରଥମଥର ମତଦାତାମାନଙ୍କ ଏହି ସମ୍ମିଳନୀରେ ମୋହନ ମାଝୀଙ୍କର ଲୋକାଭିମୁଖୀ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କର ଲୋକପ୍ରିୟତା ବିଜେପିରେ ବଡ଼ ପୁଞ୍ଜି ବୋଲି ପଦ୍ମ ଦଳ ନେତା କହିଥିଲେ। ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମର୍ଥନ ଓ ସହଯୋଗ କାମନା କରିଥିଲେ। ନୂଆ ଭୋଟରଙ୍କ ସମେତ ଯୁବ ଭୋଟର ମାନେ ନୂଆ ନୂଆପଡା ଗଢିବାକୁ ଚଳିତ ଥର ବିଜେପିକୁ ନିଜର ଏକମାତ୍ର ପସନ୍ଦ ରୂପେ ବାଛିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା। ଅଧିକ ସଂଖ୍ୟାରେ ଯୁବପିଢ଼ି ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଉତ୍ସାହିତ କରାଯାଇଥିଲା।