ଆପଲ ସାଇଡ଼ର ଭିନେଗାରକୁ ବିଭିନ୍ନ ଉପାୟରେ ଏହାକୁ ବ୍ୟବହାର କରାଯାଇପାରେ । ଏହା ଆପଣଙ୍କ ରୋଷେଇ ଘର ଠାରୁ ନେଇ ଶରୀର ପାଇଁ ଏକ ପ୍ରାକୃତିକ ଔଷଧ ପରି ବିଭିନ୍ନ କାର୍ଯ୍ୟ କରିଥାଏ । ସାଧାରଣ ପାନୀୟ ଜଳରେ କିଛି ମାତ୍ରାରେ ଆପଲ ସାଇଡର ଭିନେଗାର ମିଶାଇ ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆପଲସାଇଡର ଭିନେଗାରକୁ ପ୍ରାକୃତିକ ଉପାୟରେ ତିଆରି କରାଯାଇଥାଏ । ଏହା ଏକ ପ୍ରାକୃତିକ ପ୍ରୋବାୟୋଟିକ ଭାବେ କାର୍ଯ୍ୟ କରିଥାଏ । ଆପଲ ସାଇଡ଼ର ଭିନେଗାର ଶରୀରର କ୍ଷତିକାରକ ବ୍ୟାକ୍ଟେରିଆ ଗୁଡ଼ିକୁ ସମାପ୍ତ କରିଥାଏ ।
ସେହିପରି ଶରୀରରେ ରକ୍ତଶର୍କରାର ମାତ୍ରା ନିୟନ୍ତ୍ରଣ ରଖିବାରେ ଆପଲ ସାଇଡ଼ର ଭିନେଗାର ବେଶ ସହାୟକ ହୋଇଥାଏ । ଡାଇବେଟିସ୍ ପୀଡିତ ହୁଅନ୍ତୁ କିମ୍ବା ସାଧାରଣ ମଣିଷ, ଶରୀରରେ ରକ୍ତ ଶର୍କରାର ସ୍ତର ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ନଚେତ ରକ୍ତଶର୍କରା ସ୍ତର ବଢିଲେ, ଶରୀରରେ ବିଭିନ୍ନ ରୋଗ ବୈରାଗ୍ୟ ବୃଦ୍ଧି ପାଇଥାଏ ।
ଆପଲ ସାଇଡ଼ର ଭିନେଗାର ଶରୀରରେ ସଠିକ ଓଜନକୁ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ ବୋଲି ବିଭିନ୍ନ ଗବେଷଣାରୁ ପ୍ରକାଶ । ଏହାକୁ ସେବନ କରିଲେ କିଛି ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ହୋଇନଥାଏ । ଏହା ଦ୍ବାରା ଶରୀରର କ୍ୟାଲୋରୀର ମାତ୍ରା ମଧ୍ୟ କମ୍ ହୋଇଥାଏ । ଯାହା ଫଳରେ ଓଜନ ହ୍ରାସ ଘଟିଥାଏ ।
ଆପଲ ସାଇଡ଼ର ଭିନେଗାରର ବାଷ୍ପକୁ ଶୁଖିଲା ତ୍ବଚା ଓ ଏକଜିମା ଭଳି ଚର୍ମ ରୋଗର ଉପଚାର ଭାବେ ବ୍ୟବହାର କରାଯାଇଥାଏ । ଆମର ତ୍ବଚା ପ୍ରାକୃତିକ ଭାବେ ଅମ୍ଳୀୟ । ଏକଜିମାରେ ପୀଡିତ ରୋଗୀଙ୍କ ତ୍ବଚାରେ ଅମ୍ଳ ସ୍ତର କମ୍ ରହିଥାଏ । ଏହାର ସମାଧାନ ପାଇଁ ଆପଲ ସାଇଡର ଭିନେଗାରକୁ ପାଣିରେ ମିଶାଇ ଏହାକୁ ତ୍ବଚା ଉପରେ ଲଗାଯାଇଥାଏ । ଏହା ଆମ ଶରୀରର ପ୍ରାକୃତିକ PHକୁ ସଠିକ ରଖିଥାଏ । ତେବେ ଏହା ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇ ନଥାଏ । ତେଣୁ ପ୍ରଥମେ ଆପଣ ଏହାକୁ ପ୍ୟାଚ ଟେଷ୍ଟ କରି ହିଁ ବ୍ୟବହାର କରିବା ଉପଯୁକ୍ତ ଅଟେ ।