ଭୁବନେଶ୍ୱର,୧୪/୦୯: ସରିଲା  ପୀୟୂଷ ସସ୍‌ପେନ୍ସ । ଆସନ୍ତା ଜାନୁଆରୀ ୫  ତାରିଖରୁ ଯାତ୍ରା ସିଂହବାହିନୀରେ ନାଟକ  କରିବେ ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ । ଏନେଇ ଯାତ୍ରା  ଦଳ ମାଲିକ ସଞ୍ଜୀବ ପାଢ଼ୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ମାତ୍ର ଏ ସମ୍ପର୍କରେ ପୀୟୂଷ କିମ୍ବା ଯାତ୍ରା ମାଲିକ ସଂଘ ପକ୍ଷରୁ  କୌଣସି ସୂଚନା ମିଳିନାହିଁ ।

ଶ୍ରୀ ପାଢ଼ୀ  କହିଛନ୍ତି, ଯାତ୍ରା ସିଂହବାହିନୀର ନୂଆ ନାଟକ  "ତୁ ମୋ ବଜରଙ୍ଗୀ’ ନାଟକରେ ମଞ୍ଚ ଚଢ଼ିବେ ପୀୟୁଷ । ଏଥିରେ ସେ ରାମ ଭୂମିକାରେ  ଅଭିନୟ କରୁଛନ୍ତି । ନାଟକ ଆଉ ତାଙ୍କ ଭୂମିକା  ଫାଇନାଲ୍‌ । ଆସନ୍ତା ଦଶହରା ନବମୀ ତିଥିରେ ନାଟକର ଟିଜର୍‌ ସହ କଳାକାରଙ୍କ  ଘୋଷଣା ହେବ ବୋଲି ଶ୍ରୀ ପାଢ଼ୀ ଶନିବାର ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ଦର୍ଶକମାନଙ୍କର ଭଲ ପାଇବା ଓ ଅନୁରୋଧ ରକ୍ଷା କରି ମଞ୍ଚରେ ଅଭିନୟ କରିବାକୁ  ପୀୟୂଷ ଆସୁଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଯାତ୍ରା ଦଳରୁ  ଅଗ୍ରୀମ ଟଙ୍କା ନେବାକୁ ନେଇ ପୀୟୂଷ, ସମ୍ପୃକ୍ତ ଯାତ୍ରା ଦଳ ମଧ୍ୟରେ ବିବାଦ  ଉପୁଜିଥିଲା । କଥା ଯାଇ ଓଡ଼ିଶା ଯାତ୍ରା ମାଲିକ ସଂଘରେ ପହଞ୍ଚିବା ପରେ ଚଳିତ  ଯାତ୍ରା ବର୍ଷ ପୂର୍ବରୁ ଅସୁସ୍ଥତା ଦର୍ଶାଇ ବର୍ଷକ ପାଇଁ ଯାତ୍ରାରୁ ବିଶ୍ରାମ ନେଇଥିଲେ  ପୀୟୂଷ । ଏବେ ପୁଣି ଥରେ ମଞ୍ଚକୁ ଫେରିବା ନେଇ ସୂଚନା ମିଳିଛି।