ଭୁବନେଶ୍ୱର,୦୧/୧୦: କାଶ୍ମୀରରେ ଆୟୋଜିତ ତୃତୀୟ ଏସୀୟ ଜୁନିୟର ପେନାକ ସିଲାଟ୍ ଚାମ୍ପିଅନସିପ୍ରେ ଓଡ଼ିଶା ପ୍ରତିଯୋଗୀଙ୍କ ରେକର୍ଡ । ଓଡ଼ିଶା ଖେଳାଳି ମୋଟ୍ ୧୧ଟି ପଦକ ଜିତିଛନ୍ତି । ଓଡ଼ିଶାର କାହ୍ନା ବେହେରା ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ରେଗୁ ଇଭେଣ୍ଟରେ (ପୁରୁଷ ଓ ମହିଳା) ଆଶିକ ପ୍ରଧାନ, ସୂୟମ ଗୁରୁଙ୍ଗ, ଭୁବନ ରାୟ ରୌପ୍ୟ ଜିତିଥିବାବେଳେ ଏଲିନା ଗୁରୁଙ୍ଗ, ଗାୟତ୍ରୀ ଦାସ, ନିତିଶା ବାରିକ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ସେହିପରି ଆଶିକ୍ ପ୍ରଧାନ ଟେଣ୍ଡିଂ ଇଭେଣ୍ଟରେ, ନିତିଶା ବ୍ୟକ୍ତିଗତ ଇଭେଣ୍ଟରେ ଏବଂ ସମରେଶ କୁମାର ନନ୍ଦ ଟେଣ୍ଡିଂ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି । ଏହି ଚାମ୍ପିଅନସିପ୍ରେ ୧୨ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ସମସ୍ତ ଅଧିକାରୀଙ୍କ ସମେତ ଖୋର୍ଦ୍ଧା ପେନାକ ସିଲାଟ ସଂଘର ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ, ରାଜ୍ୟ ସଂଘର ସଭାପତି ତାପସ କୁମାର ରାୟଚୌଧୁରୀ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଓଡ଼ିଶା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅନ୍ୟପଟେ କର୍ଣ୍ଣାଟକରେ ଆୟୋଜିତ ୧୩ତମ ଜାତୀୟ ଜୁନିୟର ପେନାକ ସିଲାଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ମୋଟ୍ ୪୮ଟି ପଦକ ଜିତିଛି । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ, ୧୭ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । କୋଚ୍ ରାହୁଲ ସା ଓ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ୬୦ଜଣିଆ ଓଡ଼ିଶା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀଙ୍କ ସମେତ ପେନାକ ସିଲାଟ୍ ଆସୋସିଏସନ୍ ଅଫ୍ ଖୋର୍ଦ୍ଧାର ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ, ଓଡ଼ିଶା ପେନାକ ସିଲାଟ ସଂଘର ସଭାପତି ତାପସ କୁମାର ରାୟ ଚୌଧୁରୀ, ଉପସଭାପତି ମନୋରଞ୍ଜନ ଭଞ୍ଜ, ଅରବିନ୍ଦ ବାରିକ, ସାଧାରଣ ସମ୍ପାଦକ ଗୁରୁ ପ୍ରେମ ସିଂ ଥାପା, ବ୍ୟକ୍ତିଗତ ଉପଦେଷ୍ଟା ସୁମନ ମୋଦି ପ୍ରମୁଖ ପଦକ ବିଜେତା ଓଡ଼ିଶା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।