ଭୁବନେଶ୍ବର,୨୪/୦୯: ଓଡ଼ିଶାରେ ଆହୁରି ସୁଦୃଢ଼ ହେବ ରେଳ ନେଟଓ୍ବାର୍କ । ଭାରତୀୟ ରେଳ ନେଟଓ୍ବାର୍କରେ ଓଡ଼ିଶାର ଭୂମିକାକୁ ଦୃଢ଼ କରିବାକୁ ଓଡ଼ିଶା ବିକାଶ ଆୟୁକ୍ତ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ସଭା ଆୟୋଜିତ ହୋଇଥିଲା । ଓଡ଼ିଶାରେ ରେଲଓ୍ବେର ବିଭିନ୍ନ ପ୍ରକଳ୍ପକୁ ନେଇ ଏହି ମିଟିଂରେ ଆଲୋଚନା ହୋଇଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ପୂର୍ବତଟ ରେଲୱେର ଜେନେରାଲ୍ ମ୍ୟାନେଜର ପି. ଫନଙ୍କୁଆଲ, ମୁଖ୍ୟ ବନ ସୁରକ୍ଷା ଅଧିକାରୀ ପ୍ରେମକୁମାର ଝା । ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ ଏବଂ ରେଲଓ୍ବେର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

ରେଳ ନେଟଓ୍ବାର୍କ ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ପ୍ରକଳ୍ପରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ବିଚତ କରୁଛନ୍ତି । ଉନ୍ନୟନ କାର୍ଯ୍ୟରେ ଭାରତୀୟ ରେଳଓ୍ବେ ସହିତ ସହଭାଗୀ ଅଗ୍ରଣୀ ଭୂମିକା ନେଉଛନ୍ତି । ତେବେ ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି  ପୁରୀ-କୋଣାର୍କ ପ୍ରକଳ୍ପ । ପର୍ଯ୍ୟଟନ କ୍ଷେତ୍ରରେ ଭାରତୀୟ ରେଲଓ୍ବେକୁ ମଜବୁତ କରିବା ପାଇଁ ବିଭାଗ ଏହି ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ଦେଇଛି । ପ୍ରାୟ ୩୨ କିଲୋମିଟର ରେଳ ଲାଇନ୍ ପାଇଁ ୪୯୨.୧୨ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ପ୍ରକଳ୍ପ ୟୁନେସ୍କୋର ବିଶ୍ବ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ସହିତ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିରକୁ ସଂଯୋଗ କରିବ । ପ୍ରକଳ୍ପ ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ଚଳଚଞ୍ଚଳ କରିବ । ସ୍ଥାନୀୟ ଜୀବିକାକୁ "ଏକ ଷ୍ଟେସନ୍ ଏକ ପ୍ରଡକ୍ଟ" ଯୋଜନା ମାଧ୍ୟମରେ ସମର୍ଥନ କରିବ ।

ସେହିପରି ମୟୁରଭଞ୍ଜ ଜିଲ୍ଲାରେ ତିନୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ବାଙ୍ଗିରିପୋଷି-ଗୋରୁମହିସାଣି, ବଦାମପାହାଡ-କେନ୍ଦୁଝରଗଡ଼ ଏବଂ ବୁରାମାରା-ଚକୁଲିଆ ପ୍ରକଳ୍ପ ଉତ୍ତର ଓଡ଼ିଶାକୁ ପଶ୍ଚିମ ଅଞ୍ଚଳ ସହିତ ସଂଯୋଗ କରିବ । ବେତନଟିରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ସବୁ ଅଞ୍ଚଳ ରେଳ ନେଟଓ୍ବାର୍କରେ ସଂଯୋଗ ହେବ  । ସେହିପରି, ସାଗରତଟୀୟ ପର୍ଯ୍ୟଟନକୁ ବଢ଼ାଇବା ପାଇଁ ଜାଲେଶ୍ୱର-ଚନ୍ଦନେଶ୍ୱର ରେଲ୍ ସଂଯୋଗ ପ୍ରକଳ୍ପ ମଧ୍ୟ ପ୍ରସ୍ତାବିତ। କେବିକେ ଅଞ୍ଚଳରେ, ଗୁଣୁପୁର-ଥେରୁବାଲି, ଜୁନାଗଡ଼-ନବରଙ୍ଗପୁର ଓ ମଳକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ଲାଇନ୍‌ଗୁଡ଼ିକ ରାୟପୁରକୁ ବିଜୟବାଡ଼ା ଓ ହାଇଦ୍ରାବାଦ ସହିତ ସିଧା ସଂଯୋଗ କରାଯିବ । ଯାହା କୃଷି-ଆଧାରିତ ଶିଳ୍ପ, ଆଦିବାସୀ ପର୍ଯ୍ୟଟନ ଓ "ଆତ୍ମନିର୍ଭର ଭାରତ"ରେ ଓଡ଼ିଶାର ଭୂମିକାକୁ ଶକ୍ତିଶାଳୀ କରିବ।

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ନୂଆ ଲାଇନ୍ ରହିଛି । ଏହି ରେଳ ପ୍ରକଳ୍ପ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ ସଂଯୋଗ କରିବ  । ସେହିପରି ବରଗଡ଼ ରୋଡ୍-ନୂଆପଡା ରୋଡ୍ ନୂଆ ଲାଇନ୍ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଧାନ ଉତ୍ପାଦନ କ୍ଷେତ୍ରରେ ବଜାର ବ୍ୟବସ୍ଥାକୁ ସୁଧାରିବ ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବ  । ଏହାଛଡ଼ା ଏହି ସବୁ ପ୍ରକଳ୍ପ ପାଇଁ ରେଳ ବିଭାଗ ସମୟୋଚିତ ଜମି ଅଧିଗ୍ରହଣ, ସ୍ଥାୟୀ ଯୋଜନା ଏବଂ ପର୍ଯ୍ୟଟନକୁ ଲଜିଷ୍ଟିକ୍ସ ସହିତ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ୟା ଦୂର କରି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଏବଂ ଶୀଘ୍ର ପ୍ରକଳ୍ପକୁ ସମାପ୍ତ କରିବା ପାଇଁ ପ୍ରଚେଷ୍ଟା ଚାଲିଛି ବୋଲି ବୈଠକରେ କୁହାଯାଇଛି । ଏହି ସବୁ ରେଳ ପ୍ରକଳ୍ପ ଐତିହ୍ୟକୁ ଆଧୁନିକ ଲଜିଷ୍ଟିକ୍ସ ସହିତ ସଂଯୋଗ କରିବ, ଆଦିବାସୀ ଅଞ୍ଚଳକୁ ସଶକ୍ତ କରିବ ଓ ଶିଳ୍ପ ଓ ପର୍ଯ୍ୟଟନ ଉନ୍ନୟନକୁ ପ୍ରୋତ୍ସାହିତ କରିବ। ରେଳ ଭିତ୍ତିଭୂମିରେ ଓଡ଼ିଶାର ନିରନ୍ତର ନିବେଶ ରାଜ୍ୟକୁ ସଂଯୋଗୀକରଣ, ବାଣିଜ୍ୟ ଏବଂ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ବୈଠକରେ ସ୍ପଷ୍ଟ କରାଯାଇଛି ।...