ଭୁବନେଶ୍ବର ୨୧/୦୯: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା ଏବେ ନାହିଁ। ଏନେଇ ସମ୍ବଲପୁର ଗସ୍ତ ଯାଇ ବଡ଼ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଦଶହରା ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହେଉଥିଲା। ଯାହା ଉପରେ ବିରାମ ଲାଗଇଛନ୍ତି ବିଜେପି ରାଜ୍ୟ ସଭାପତି। ହେଲେ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ ଚର୍ଚ୍ଚା ରାଜି ରହିଛି। ଦିଲ୍ଲୀ ମୁଖ୍ୟାଳୟରେ ନିଷ୍ପତ୍ତି ପରେ ମୋହର ବାଜିବ ବୋଲି ମନମୋହନ ସାମଲ କହିଛନ୍ତି। 

୨୦୨୪ ଜୁନ୍‌ ୧୨ରେ ମୋହନ ସରକାରଙ୍କ  ଶପଥ ସମାରୋହ ହୋଇଥିଲା । ସେବେଠାରୁ  ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ଅଛନ୍ତି ।  ସରକାରରେ ମୋଟ ୨୨ଜଣ ମନ୍ତ୍ରୀ ରହିପାରିବେ ।  ଅର୍ଥାତ୍‌ ଆରମ୍ଭରୁ ହିଁ ମନ୍ତ୍ରିମଣ୍ଡଳରେ ୬ଟି ଆସନ  ଖାଲି ଅଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ  ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । 

ବିଜେପି ବିଧାୟକ ଜିତିଥିବା ଜିଲ୍ଲା ଭିତରୁ  ଏବେ ବି ୧୪ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ଅଛି । ବରଗଡ଼,  ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୁଳ, ସୋନପୁର,  କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, କେନ୍ଦ୍ରାପଡ଼ା,  ନୟାଗଡ଼, କୋରାପୁଟ, ମାଲକାନଗିରି ଜିଲ୍ଲାରୁ  କେହି ମନ୍ତ୍ରୀ ନାହାନ୍ତି । ଏ ଜିଲ୍ଲାଗୁଡ଼ିକରୁ ଅନେକ  ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି । ମନ୍ତ୍ରୀ ପଦ  ପାଇଥିବା ଜିଲ୍ଲା ଭିତରୁ ବି କିଛି ବରିଷ୍ଠ ଓ ନବାଗତ  ଦୌଡ଼ରେ ଅଛନ୍ତି । 

 ସୂତ୍ର ଅନୁସାରେ ମନ୍ତ୍ରୀ ପଦ ପାଇଁ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭଟଲିର ଇରାଶିଷ ଆଚାର୍ଯ୍ୟ, ଉଦଳାର ଭାସ୍କର ମଢ଼େଇ, ବଡ଼ସାହିର ସନାତନ ବିଜୁଳି, ଝାରସୁଗୁଡ଼ାର ଟଙ୍କଧର ତ୍ରିପାଠୀ, ବଡ଼ଚଣାର ଅମର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଙ୍କ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି । ଏହାବାଦ୍‌ ନବାଗତଙ୍କ ମଧ୍ୟରେ କଣ୍ଟାବାଞ୍ଜିର ଲକ୍ଷ୍ମଣ ବାଗ, ବ୍ରହ୍ମଗିରିର ଉପାସନା ମହାପାତ୍ର ଓ କଟକ ସଦରର ପ୍ରକାଶ ସେଠୀ ମଧ୍ୟ ଆଶା ବାନ୍ଧିଛନ୍ତି । ମାଲକାନଗିରି, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ବିଜେପିର ଜଣେ ଲେଖାଏଁ ବିଧାୟକ ଅଛନ୍ତି । ସେମାନଙ୍କ ନଜର ବି ମନ୍ତ୍ରୀ ଆସନ ଉପରେ । କୋରାପୁଟ ଜିଲ୍ଲାରେ ଏଥର ଡବଲ୍‌ ପଦ୍ମ ଫୁଟିଛି । ଉଭୟ ବିଧାୟକ ଆଶାୟୀ ଥିବା କୁହାଯାଉଛି । ଏହାବାଦ୍‌ ବରିଷ୍ଠ ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସରକାର ସ୍ଥାନ ଦେବେ କି ନାହିଁ, ତାହା ମଧ୍ୟ ଏକ ବଡ଼ ଚର୍ଚ୍ଚା । ଯେଉଁ ଜିଲ୍ଲାରୁ ମନ୍ତ୍ରୀ ବାଦ୍‌ ପଡ଼ିବେ, ସେଇ ଜିଲ୍ଲାରୁ ଅନ୍ୟ ବିଧାୟକ ମଧ୍ୟ ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି ।

ବିଜେପି ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ଉପରେ କେନ୍ଦ୍ରୀୟ ବିଜେପି ଗୁରୁତ୍ୱ ଦେଉଛି । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଦଳ ନିଗମ ଓ ବୋର୍ଡରେ ନିଯୁକ୍ତି ଦେବ । ଏହାପରେ ରାଜ୍ୟ ସଭାପତି ତାଙ୍କର ନୂଆ ଟିମ୍‌ ମଧ୍ୟ ଗଠନ କରିବେ । ଦିଲ୍ଲୀ ଅନୁମୋଦନକୁ ଚାତକ ଭଳି ଚାହିଁଛନ୍ତି ମନ୍ତ୍ରୀ ଆଶାୟୀ ।