ଭୁବନେଶ୍ୱର,୨୫/୧୦(ମନୋରଞ୍ଜନ ମହାନ୍ତି): ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ସ୍ଥିତି ଚିନ୍ତାଜନକ । ନା ପର୍ଯ୍ୟଟକ ଆକର୍ଷିତ ହେଉଛନ୍ତି ନା ପର୍ଯ୍ୟଟନ ଆଗକୁ ବଢ଼ୁଛି । ବରଂ ବାଟ ହୁଡ଼ୁଛି ଓଡ଼ିଶା ପର୍ଯ୍ୟଟନ ଯେଉଁଥିପାଇଁ ଦେଶର ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ନାହିଁ । ଏହା ଆମେ ନୁହଁ ଖୋଦ୍ ବିଶ୍ୱ ପର୍ଯ୍ୟଟନ ଦିବସରେ ପ୍ରକାଶିତ ଭାରତୀୟ ପର୍ଯ୍ୟଟନ ତଥ୍ୟଭିତ୍ତିକ ବାର୍ଷିକ ରିପୋର୍ଟ-୨୦୨୫ କହୁଛି । ଏହି ରିପୋର୍ଟ ଅନୁଯାୟୀ, ଦେଶରେ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସୁଥିବା ଶ୍ରେଷ୍ଠ ୫ରୁ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ । ୨୦୨୪ରେ ମହାରାଷ୍ଟ୍ରକୁ ୩୭ ଲକ୍ଷ, ପଶ୍ଚିମବଙ୍ଗକୁ ୩୧ ଲକ୍ଷ, ଉତ୍ତରପ୍ରଦେଶକୁ ୨୨ ଲକ୍ଷ, ଗୁଜରାଟକୁ ୨୨ ଲକ୍ଷ, ରାଜସ୍ଥାନକୁ ୨୦ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ହେଲେ ଓଡ଼ିଶାକୁ ମାତ୍ର ୫୩ ହଜାର ୩୯୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ।
ସେହିପରି ଘରୋଇ ପର୍ଯ୍ୟଟକଙ୍କ କଥା ଦେଖିଲେ, ୨୦୨୪ରେ ଉତ୍ତରପ୍ରଦେଶକୁ ୬୪ କୋଟି ଘରୋଇ ପର୍ଯ୍ୟଟକ ଆସିଛନ୍ତି । ତାମିଲନାଡ଼ୁକୁ ୩୦ କୋଟି, କର୍ଣ୍ଣାଟକକୁ ୩୦ କୋଟି, ଆନ୍ଧ୍ରପ୍ରଦେଶକୁ ୨୯ କୋଟି ଏବଂ ରାଜସ୍ଥାନକୁ ୨୩ କୋଟି ଘରୋଇ ପର୍ଯ୍ୟଟକ ଆସିଛନ୍ତି । ହେଲେ ଓଡ଼ିଶାକୁ ଆସିଛନ୍ତି ମାତ୍ର ୧ କୋଟି ୯ ଲକ୍ଷ ୯୮ ହଜାର ୫୧୯ ଜଣ । ସେଥିମଧ୍ୟରେ ବିଭିନ୍ନ ରାଜ୍ୟରୁ ୪୩ ଲକ୍ଷ ୯୯ ହଜାର ୮୩୭ ଜଣ ଓ ରାଜ୍ୟ ଭିତରୁ ୬୫ ଲକ୍ଷ ୯୮ ହଜାର ୯୮୨ ଜଣ ଘରୋଇ ପର୍ଯ୍ୟଟକ ଅଛନ୍ତି । ତେବେ ୨୦୨୪-୨୫ରେ ଭାରତୀୟପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦ୍ୱାରା ସଂରକ୍ଷିତ ଦେଶର ୧୦ଟି ଲୋକପ୍ରିୟ ଦେୟଯୁକ୍ତ (ଟିକଟ୍) ସ୍ମାରକୀ ପରିଦର୍ଶନ କରିଥିବା ଘରୋଇ ପରିଦର୍ଶକ ସଂଖ୍ୟାରେ ଓଡ଼ିଶାର ଏକମାତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି । ବାକି ସର୍ବାଧିକ ବିଦେଶୀ ଆସିଥିବା ସ୍ଥାନ ମଧ୍ୟରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନାହିଁ । ଦେଶରେ ଘରୋଇ ପର୍ଯ୍ୟଟକ ପରିଦର୍ଶନ କରିଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଆଗ୍ରାର ତାଜମହଲ ତଳକୁ ଦ୍ୱିତୀୟ ସ୍ଥାନରେ କୋଣାର୍କ ସୂର୍ଯ୍ୟମନ୍ଦିର ରହିଛି । କୋଣାର୍କକୁ ୩୫ ଲକ୍ଷ ୭୧ ହଜାର ପର୍ଯ୍ୟଟକ ଆସିଛନ୍ତି । ସେହି ୨୦୨୪-୨୫ରେ ଏଏସ୍ଆଇ ସଂରକ୍ଷିତ ଦେୟଯୁକ୍ତ ସ୍ମାରକୀଗୁଡ଼ିକୁ ପରିଦର୍ଶକଙ୍କ ସଂଖ୍ୟାରେ ଓଡ଼ିଶାର ୫ଟି ସ୍ଥାନ ରହିଛି ।ପ୍ରଥମରେ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି । ଏହାପରେ ଭୁବନେଶ୍ୱରର ଉଦୟଗିରି-ଖଣ୍ଡଗିରି ରହିଛି । ଏଠାକୁ ୨୦୨୪-୨୫ରେ ୧୨ ଲକ୍ଷ ୪୦ ହଜାର ୩୫୪ ଘରୋଇ ଓ ୨୨୪୧ ବିଦେଶୀପର୍ଯ୍ୟଟକ ଆସିଛନ୍ତି । ସେହିପରି ରାଜାରାଣୀ ମନ୍ଦିରକୁ ୨୦୨୪-୨୫ରେ ୧ ଲକ୍ଷ ୧୨ ହଜାର ୯୫୯ ଘରୋଇ ଓ ୧୦୭୨ ବିଦେଶୀ ଆସିଛନ୍ତି । ରତ୍ନଗିରିକୁ ୨୦୨୪-୨୫ରେ ୧ ଲକ୍ଷ ୪୭ ହଜାର ୮୨୪ ଘରୋଇ ଓ ୬୭୬ ବିଦେଶୀ ଆସିଛନ୍ତି । ଲଳିତଗିରିକୁ ୨୦୨୪-୨୫ରେ ୫୨ ହଜାର ୩୨୯ ଘରୋଇ ଓ ୪୫୪ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ଏହି ୫ଟି ସ୍ଥାନକୁ ମୋଟ ୫୧ ଲକ୍ଷ ୨୪ ହଜାର ୭୫୫ ଘରୋଇଓ ୯୫୦୨ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ତଥ୍ୟ ଅନୁସାରେ, ୨୦୨୪-୨୫ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୫୩ ହଜାର ପାର୍ କରିଥିଲା ବେଳେ ୨୦୨୩-୨୪ରେ ଏହା ପ୍ରାୟ ୪୫ ହଜାର ଥିଲା । ସେହିପରି ୨୦୨୩- ୨୪ରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୯୭ ଲକ୍ଷ ପାର୍ କରିଥିଲା ବେଳେ ୨୦୨୪-୨୫ରେ ଏହା କୋଟିଏ ଟପିଛି । କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ଉଦୟଗିରି-ଖଣ୍ଡଗିରି ଏବଂ ରାଜାରାଣୀ ମନ୍ଦିରକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଛି । ମାତ୍ର ବୁଦ୍ଧିଷ୍ଟ ସର୍କିଟ୍ ଲଲିତଗିରି-ରତ୍ନଗିରିକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ପ୍ରତି ବର୍ଷ ପର୍ଯ୍ୟଟକ ବଢ଼ୁଥିଲେ ବି ଏହା ଆଦୌ ଉତ୍ସାହଜନକ ନୁହେଁ । ଏପରିକି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ଅତ୍ୟନ୍ତ ନଗଣ୍ୟ ।
ଓଡ଼ିଶା ପର୍ଯ୍ୟଟନ ବିଭାଗ ସୂଚନା ମୁତାବକ, ରାଜ୍ୟରେ ୩୭୮ଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ ସହ ବିକାଶ ପାଇଁ ନିରନ୍ତର କାର୍ଯ୍ୟ ଚାଲିଛି । ଚଳିତ ବର୍ଷ ୩୦ଟି ଜିଲ୍ଲାର ମଞ୍ଜୁରିପ୍ରାପ୍ତ ପର୍ଯ୍ୟଟନ ଭିତ୍ତିଭୂମି ଲାଗି ବିଭିନ୍ନ ପ୍ରକଳ୍ପକୁ ୭୦ କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ଆଗକୁ ଦୁଃସାହସିକ ପର୍ଯ୍ୟଟନ ସାଙ୍ଗକୁ ୟାଟ୍ ଟୁରିଜିମ୍ ଏବଂ କାରାଭାନ୍ ଟୁରିଜିମ୍ର ଶୁଭାରମ୍ଭ ହେବ । ୧୯ଟି ସଂରକ୍ଷିତ ଅଞ୍ଚଳ ଏବଂ ୨ଟି ଜାତୀୟ ଉଦ୍ୟାନରେ କ୍ୟାମ୍ପ୍, ସଫାରି, ଟ୍ରେକିଂର ସୁଯୋଗ ମିଳିବ । ରତ୍ନଗିରି, ଉଦୟଗିରି ଏବଂ ଲଲିତଗିରିର ହୀରକ ତ୍ରିଭୁଜକୁ ‘କ୍ୟୁରେଟେଡ୍ ବୌଦ୍ଧ ସର୍କିଟ୍’, ବାକି ସମନ୍ୱିତ ମାଷ୍ଟର୍ ପ୍ଲାନିଂ (୧୫ଗନ୍ତବ୍ୟସ୍ଥଳ) ମାଧ୍ୟମରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍ ମାନର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ।