କଟକ,୦୪/୧୦: ଆସନ୍ତା ୧୫  ତାରିଖରୁ ଆରମ୍ଭ ହେବାକୁ ଯାଉଛି  ବିସିସିଆଇର ପ୍ରିମିୟର ଘରୋଇ ପ୍ରଥମ  ଶ୍ରେଣୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ୩ଟି ମ୍ୟାଚ ପାଇଁ  ୧୫ଜଣିଆ ଓଡ଼ିଶା ଦଳ ଘୋଷଣା ହୋଇଛି ।  ଶୁଭ୍ରାଂଶୁ ସେନାପତି ଅଧିନାୟକ ଏବଂ ସ୍ୱସ୍ତିକ  ସାମଲ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ସେହିପରି ଗୌରବ ଚୌଧୁରୀ, ସମ୍ବିତ ଏସ୍‌.  ବରାଳ ଓ ବାଦଲ ବିଶ୍ୱାଳ ଦଳରେ ନୂଆମୁହଁ  ଭାବେ ସ୍ଥାନ ପାଇଛନ୍ତି । ଅନ୍ତଃଜିଲ୍ଲା କ୍ରିକେଟ  ପ୍ରତିଯୋଗିତା କଳାହାଣ୍ଡି କପ୍‌ ଓ ଓଡ଼ିଶା ପ୍ରୋ  ଟି-ଟ୍ୱେଣ୍ଟି ଲିଗ୍‌ର ପ୍ରଦର୍ଶନକୁ ଆଧାର କରି  ଓଡ଼ିଶା ରଣଜୀ ଦଳ ଚୟନ କରାଯାଇଛି ।

ରଣଜୀ ଟ୍ରଫି ୨୦୨୫-୨୬ ସିଜନରେ  ଓଡ଼ିଶା ଏଲିଟ୍‌ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଛି ।  ଦଳ ବାରବାଟୀ ଷ୍ଟାଡିୟମରେ ସିଜନ ଆରମ୍ଭ  କରିବ । ଆସନ୍ତା ୧୫ ତାରିଖରୁ ଓଡ଼ିଶା ଓ  ବରୋଦା ସାମ୍ନାସାମ୍ନି ହେବେ । ଏହାପରେ  ଦଳ ଉତ୍ତରପ୍ରଦେଶ ଯାତ୍ରା କରିବ । ଅକ୍ଟୋବର  ୨୫ ତାରିଖରୁ କାନପୁରର ସ୍ଥିତ ଗ୍ରୀନ୍‌ ପାର୍କ  ଷ୍ଟାଡିୟମ୍‌ ଠାରେ ଓଡ଼ିଶା ତା’ର ଦ୍ୱିତୀୟ  ମ୍ୟାଚ୍‌ରେ ଘରୋଇ ଉତ୍ତରପ୍ରଦେଶକୁ  ଭେଟିବ । ଏହି ମ୍ୟାଚ୍‌ ଶେଷ ହେବା ପରେ  ଦଳ ତୃତୀୟ ମ୍ୟାଚ୍‌ ଘରୋଇ ଗ୍ରାଉଣ୍ଡରେ  ଖେଳିବ । ନଭେମ୍ବର ୧ ତାରିଖରୁ ଓଡ଼ିଶା ଓ  ଆନ୍ଧ୍ରପ୍ରଦେଶ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେବ ।

ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)  ପକ୍ଷରୁ ପ୍ରଥମ ୩ଟି ମ୍ୟାଚ୍‌ ପାଇଁ ଦଳ ଘୋଷଣା  କରାଯାଇଛି । ଗତ ସିଜନରେ ଶୁଭ୍ରାଂଶୁ ଓଡ଼ିଶା  ଛାଡ଼ି ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରିଥିଲେ ।  ମାତ୍ର ସେ ପୁଣିଥରେ ଓଡ଼ିଶା ଦଳରୁ  ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ତାଙ୍କୁ ଦଳର  ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ସ୍ୱସ୍ତିକ  ସାମଲଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି ।  ଗତ ସିଜନରେ ଦଳର ନେତୃତ୍ୱ ନେଇଥିବା  ଗୋବିନ୍ଦ ପୋଦ୍ଦାର ସ୍ଥାନ ବଜାୟ ରଖିଛନ୍ତି । ଶୁଭ୍ରାଂଶୁଙ୍କ ସମେତ ସ୍ୱସ୍ତିକ ସାମଲ, ଗୌରବ  ଚୌଧୁରୀ, ସନ୍ଦୀପ ପଟ୍ଟନାୟକ ଓ ପୋଦ୍ଦାର  ଉପରକ୍ରମର ବ୍ୟାଟର୍‌ ଭାବେ ଦଳରେ ସ୍ଥାନ  ପାଇଛନ୍ତି । ଆଶୀର୍ବାଦ ସ୍ୱାଇଁ ଓ ରାଜେଶ ଧୁପର  ଦୁଇ ୱିକେଟରକ୍ଷକ ବ୍ୟାଟର୍‌ ଭାବେ ଦଳର  ରହିଛନ୍ତି ।

ସେହିପରି ଅନିଲ ପରିଡା, ସମ୍ବିତ  ବରାଳ, ସୁମିତ ଶର୍ମା, ବାଦଲ ବିଶ୍ୱାଳ, ସୁନିଲ  କୁମାର ରାଉଳ, ରାଜେଶ ମହାନ୍ତି, ତାରିଣୀ ସ’  ଓ ତାପସ ଦାସ ଉଭୟ ସ୍ପିନ୍‌ ଓ ପେସ୍‌ ଭାଗ  ସମ୍ଭାଳିବେ । ଏହି ୧୫ଜଣିଆ ସଦସ୍ୟଙ୍କ ବାଦ୍‌  ଶାନ୍ତନୁ ମିଶ୍ର, ବିପ୍ଲବ ସାମନ୍ତରାୟ, ସୌରଭ  ଗୌଡ, ପ୍ରଶାନ୍ତ ରଣା ଓ କାର୍ତ୍ତିକ ବିଶ୍ୱାଳଙ୍କୁ  ଷ୍ଟାଣ୍ଡ୍‌ବାଏ ରଖାଯାଇଥିବା ନେଇ ଓସିଏ  ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଓଡ଼ିଶା ସିନିୟର ଦଳର ଚୟନ କମିଟି ଅଧ୍ୟକ୍ଷ  ସୌରଜିତ ମହାପାତ୍ର, ସଦସ୍ୟ ଅବକାଶ  ଖଟୁଆ, ଶୁଭ୍ରଜିତ ସାହୁ ପ୍ରକାଶ କରିଛନ୍ତି । ଗତ ସିଜନରେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ଏ’ରେ ସ୍ଥାନ ପାଇଥିଲା । ଦଳ ୭ଟି ମ୍ୟାଚ୍‌  ଖେଳି ୨ ବିଜୟ, ୩ପରାଜୟ, ୧ ଡ୍ର’ ସହ  ମୋଟ ୧୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହି  କ୍ୱାର୍ଟର ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା ।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି  (ଅଧିନାୟକ), ସ୍ୱସ୍ତିକ ସାମଲ  (ଉପଅଧିନାୟକ), ଗୌରବ ଚୌଧୁରୀ,  ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର,  ଆଶୀର୍ବାଦ ସ୍ୱାଇଁ, ରାଜେଶ ଧୁପର, ଅନିଲ  ପରିଡ଼ା, ସମ୍ବିତ ଏସ୍‌. ବରାଳ, ସୁମିତ  ଶର୍ମା, ବାଦଲ ବିଶ୍ୱାଳ, ସୁନିଲ କୁମାର  ରାଉଳ, ରାଜେଶ ମହାନ୍ତି, ତରଣୀ  ସା,ତାପସ ଦାସ । ଷ୍ଟାଣ୍ଡବାଏ: ଶାନ୍ତନୁ  ମିଶ୍ର, ବିପ୍ଳବ ସାମନ୍ତରାୟ, ସୌରଭ  ଗୌଡ଼, ପ୍ରଶାନ୍ତ ରଣା, କାର୍ତ୍ତିକ ବିଶ୍ୱାଳ ।