ଅନୁଗୁଳ, ୯।୧୦(ବ୍ୟୁରୋ): ସାମାନ୍ୟ କଳହରୁ ନିର୍ମମ ହତ୍ୟା । ବାଡ଼ିରେ ପିଟି ପିଟି ବୃଦ୍ଧଙ୍କୁ ମାରିଦେଲେ । ସହର ଉପକଣ୍ଠ ସଦର ଥାନା ଇଲାକା ଚନ୍ଦ୍ରବାହାଳ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସେହି ଗ୍ରାର ନନ୍ଦ କିଶୋର ରାଉତ(୬୨)। ଅଭିଯୁକ୍ତ ପଡୋଶୀ ସରୋଜ ବେହେରା ଫେରାର୍ ଥିବା ବେଳେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୁଲିସ୍ ସୂଚନା ମୁତାବକ ନନ୍ଦ କିଶୋର ଓ ପଡୋଶୀଙ୍କ ସରୋଜଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ପୂର୍ବରୁ ବିବାଦ ଥିଲା। ଗୁରୁବାର ମଧ୍ୟାହ୍ନରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସରୋଜ ଉତ୍କ୍ଷୀପ୍ତ ହୋଇ ନନ୍ଦ କିଶୋରଙ୍କୁ ଆକ୍ରମଣ କରିଥିଲେ । ଏକ ଠେଙ୍ଗାରେ ନିର୍ଘାତ ମାଡ ମାରିଥିଲେ। ଫଳରେ ନନ୍ଦ କିଶୋର ଗୁରୁତର ହୋଇପଡିଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ଥାନା ପୁଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ମାମଲାର ଛାନ୍ଭିନ୍ ଚଳାଇଛି ।