ନୂଆଦିଲ୍ଲୀ,୨୯/୦୯: ମଣିଷଙ୍କ  ତୁଳନାରେ କୃତ୍ରିମ ବୁଦ୍ଧିମତା (ଏଆଇ)  ବେଶ ବିଚକ୍ଷଣତା ଦେଖାଉଛି । ନିକଟ ଭବିଷ୍ୟତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ପ୍ରାୟ ୪୦% ନିଯୁକ୍ତି ଖାଇଯିବ ବୋଲି  ଓପନ ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ  ଚେତାବନୀ ଦେଇଛନ୍ତି । ଏଆଇର କ୍ଷମତା  ଦ୍ରୁତ ଭାବେ ବଢ଼ୁଛି । ଲେଖିବା, ସମରି  ପ୍ରସ୍ତୁତି, ବୃହତ ପରିମାଣର ଡାଟାକୁ ତର୍ଜମା  କରିବା, ସାଧାରଣ ସ୍ତରୀୟ ନିଷ୍ପତ୍ତି ଭଳି  କ୍ଷେତ୍ରରେ ଏବେ ଏଆଇ ବେଶ ଭଲ କାମ  କରୁଛି । ଏଆଇ ଆଗାମୀ ଦିନରେ ଏ  କ୍ଷେତ୍ରରେ ନିଯୁକ୍ତି ଗୁଡ଼ିକ ପ୍ରଭାବିତ କରିବ ।  

ବାରମ୍ବାର ସମାନ ଢ଼ଙ୍ଗରେ  କରାଯାଉଥିବା କାମ, ଢ଼ାଞ୍ଚାଗତ,  ଆନୁମାନିକ କାର୍ଯ୍ୟ ଭଳି ଦିଗ ଉପରେ  ଏଆଇ ବେଶି ପ୍ରଭାବ ପକାଇବ । ଏଆଇ  ସିଷ୍ଟମ ପ୍ୟାଟର୍ଣ୍ଣକୁ ଠିକ୍‌ କରିବା, ଶ୍ରେଣୀଭୁକ୍ତ  କରିବା ଏବଂ ମଣିଷଙ୍କ ତୁଳନାରେ ଠିକ୍‌  ଠାକ୍‌ ନିଷ୍ପତ୍ତି ବି ନେଲାଣି । କମ୍ପାନି ଗୁଡ଼ିକ  ଏଆଇ ଗ୍ରହଣ କରିବା ସହ ବେଶି ଶ୍ରମିକ  ରଖିବାକୁ ଏତେଟା ପସନ୍ଦ କରୁନାହାନ୍ତି ।  ଖର୍ଚ୍ଚ କାଟ କରିବା ଲାଗି ଏଭଳି କରୁଛନ୍ତି  କମ୍ପାନି । ଫଳରେ ଆର୍ଥିକ ଦୃଷ୍ଟିକୋଣରୁ  ଏବେ ଏଆଇ ଆକର୍ଷଣ ପାଲଟିଛି ।

ଏବେ ସେବା, କଣ୍ଟେଣ୍ଟ  ଜେନେରେସନ, ଆଇନଗତ ଡ୍ରାଫ୍ଟି,  କୋଡିଂ ସହାୟତା ଭଳି କ୍ଷେତ୍ର ଗୁଡ଼ିକରେ  ଏଆଇ ବହୁଳ ଭାବେ ଗ୍ରହଣଯୋଗ୍ୟ  ହେଉଛି । ଶ୍ରମ କୈନ୍ଦ୍ରିକ ଶିଳ୍ପରେ ଏହାର  ବ୍ୟବହାର ଆଗାମୀ ଦିନରେ ତୀବ୍ର ହେବାକୁ  ଯାଉଛି । ଏଭଳି ସ୍ଥିତିରେ ଅଲ୍ଟମ୍ୟାନ  କହିଛନ୍ତି, ଏଆଇ ଶକ୍ତିଶାଳୀ ହେଉଥିବାରୁ  ପ୍ରତି କ୍ଷେତ୍ରରେ ଏହା ନିଯୁକ୍ତିକୁ କ୍ଷତି  ପହଞ୍ଚାଇବ । ଯଦି ନିଯୁକ୍ତି ପ୍ରଭାବିତ  ବର୍ଗରେ ଆସୁଛି ତେବେ ସେହି କ୍ଷେତ୍ର  ଗୁଡ଼ିକର ଚିନ୍ତା ବେଶି ବଢ଼ିବ ।

ଏବେ ଏଆଇ ଏଣ୍ଟ୍ରି ସ୍ତରୀୟ ବା  ଜୁନିୟର ଲେବଲ ନିଯୁକ୍ତି ଗୁଡ଼ିକୁ କ୍ଷତି  ପହଞ୍ଚାଇଲାଣି । ଆଗାମୀ ଦିନରେ ବେଶି  ନିଯୁକ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି ।  ଜାତିସଂଘ ଏବଂ ଆଇଏମ୍‌ଏଫ୍‌ ଭଳି  ଏଜେନ୍ସି ଗୁଡ଼ିକ ମଧ୍ୟ ନିଯୁକ୍ତି ପ୍ରଭାବିତ  ହେବା ନେଇ ପୂର୍ବରୁ ଆଶଙ୍କା କରିଥିଲେ ।  ଏଆଇ ଯୋଗୁ ନୂଆ ସୁଯୋଗ ସୃଷ୍ଟି ହେବ ।  ମାତ୍ର କର୍ମଚାରୀଙ୍କ ମଧ୍ୟରେ ସେଭଳି ସ୍କିଲ  ନ ଥିଲେ ସେମାନେ ପୁଣି ଥରେ ନିଯୁକ୍ତି  ପାଇବା କଷ୍ଟକର ହୋଇପଡ଼ିବ । ଏବେ କମ୍ପାନି ଗୁଡ଼ିକ କଡ଼ା  ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି । ଅଧିକାଂଶ କମ୍ପାନି ଖର୍ଚ୍ଚ କାଟ କରିବା  ଉପରେ ଫୋକସ କରୁଛନ୍ତି । ଏହା ସହ  ଦକ୍ଷତା ବୃଦ୍ଧି ଏବଂ ନବସୃଜନ ଉପରେ  କମ୍ପାନିଙ୍କ ଫୋକସ ରହିଛି ।

ଏଭଳି ଚାପ  ମଧ୍ୟରେ କମ୍ପାନି ଲୋକଙ୍କ ପରିବର୍ତ୍ତେ  ଏଆଇ ଗ୍ରହଣୀୟତାକୁ ବିଚାର କରୁଛନ୍ତି ।  ଏଭଳି ସ୍ଥିତିରେ କର୍ମଚାରୀମାନେ  ସମୟ ଉପଯୋଗୀ ହେବାକୁ ଅଲ୍ଟମ୍ୟାନ ଆହ୍ୱାନ ଦେଇଛନ୍ତି । ସୃଜନଶୀଳତା ଏବଂ  ସାରା ଜୀବନ ଶିଖିବା ମନୋବୃତ୍ତି ରହିବାର  ମଧ୍ୟ ଆବଶ୍ୟକତା ରହିଛି । ଟେକ୍ନୋଲୋଜି  ସତ୍ତେ୍ୱ ମଧ୍ୟ ମଣିଷ ମୁଖ୍ୟ କେନ୍ଦ୍ର ବିନ୍ଦୁ ହୋଇ ରହିବ । ଏଭଳି ସ୍ଥିତିରେ ଭୟ  ଏବଂ କ୍ଷମତା ମଧ୍ୟରେ ସମନ୍ୱୟ ରଖିବା  ଏବଂ ଏଆଇ ଭିତ୍ତିକ ବିଶ୍ୱ ଲାଗି  ନିଜକୁ ପ୍ରସ୍ତୁତ କରିବାକୁ ଅଲ୍ଟମ୍ୟାନ  ପରବର୍ତ୍ତୀ ପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ।