ସମ୍ବଲପୁର,୧୬/୦୯:ମା’ ସମଲେଶ୍ୱରୀ ମନ୍ଦିରରେ ବ୍ୟବହୃତ ହେବ ଜୈବିକ ଧାନର ଚାଉଳ । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତ ଅନ୍ନଭୋଗରେ ଏହା ବ୍ୟବହାର କରାଯିବ । ବରଗଡ଼ ପଦମ୍ପୁର ଅଞ୍ଚଳର ଚାଷୀ ଚାଉଳ ଯୋଗାଇବେ । ଆସନ୍ତା ଜାନୁଆରୀରୁ ଜୈବିକ ଚାଉଳରୁ ପ୍ରସ୍ତୁତ ଅନ୍ନ ପ୍ରସାଦ ମିଳିବ ବୋଲି ନିଷ୍ପତ୍ତି ହୋଇଥିବା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।
ମା' ସମଲେଶ୍ୱରୀଙ୍କ ଭୋଗ ମଣ୍ଡପକୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଧାନରୁ ପ୍ରସ୍ତୁତ ଚାଉଳ ଯୋଗାଇ ଦେବାକୁ ବରଗଡ଼ ଜିଲ୍ଲାର ପଦମ୍ପୁର ଅଞ୍ଚଳର କୃଷକମାନେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ବିମଳ ଫାର୍ମର୍ସ ପ୍ରୋଡୁସର୍ ଅର୍ଗାନାଇଜେସନ୍ ଏବଂ ଗନ୍ଧମାର୍ଦ୍ଦନ ଫାର୍ମର୍ସ ପ୍ରୋଡୁସର୍ ଅର୍ଗାନାଇଜେସନ୍ର କୃଷକ ପ୍ରତିନିଧି ସୋମବାର ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ସହ ଆଲୋଚନା କରିଛନ୍ତି । ମା' ସମଲେଶ୍ୱରୀଙ୍କ ନିତ୍ୟ ଭୋଗ ଓ ମନ୍ଦିରର ଭୋଗ ମଣ୍ଡପକୁ ଜୈବିକ ପ୍ରଣାଳୀରେ ଚାଷ କରାଯାଇଥିବା ଧାନରୁ ପ୍ରସ୍ତୁତ ଚାଉଳ ଯୋଗାଇ ଦିଆଯିବ । ଚାଷୀଙ୍କ ଏହି ପଦକ୍ଷେପ ଭୋଗର ପବିତ୍ରତାକୁ ସୁରକ୍ଷିତ କରିବାରେ ସହାୟକ ହେବ । ଜୈବିକ ଉତ୍ପାଦନକୁ ବଜାରରେ ସ୍ଥାନ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ । ଭକ୍ତଙ୍କୁ ପ୍ରସାଦ ସେବନରେ ଦିବ୍ୟ ଅନୁଭୂତି ପ୍ରଦାନ କରିବ ।
ଟ୍ରଷ୍ଟ ବୋର୍ଡ ସଭାପତି ଶ୍ରୀ ବାବୁ କହିଛନ୍ତି, ମା' ସମଲେଶ୍ୱରୀଙ୍କ ଭୋଗରେ ବ୍ୟବହାର ହେବାକୁ ଥିବା ଚାଉଳ ଜୈବିକ ପ୍ରଣାଳୀରେ ଉତ୍ପାଦିତ ହୋଇ ମନ୍ଦିରକୁ ଯୋଗାଇବା ଏକ ପବିତ୍ର ଉଦ୍ୟମ । ଏହି କାମ ପାଇଁ ପୂର୍ବରୁ ଚାଷୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେମାନେ ଏହି ମହତ୍ କାମରେ ନିଜକୁ ସାମିଲ କରିଛନ୍ତି । ଚାଷୀ ନେତା ସରୋଜ ମହାନ୍ତି, ଅଶୋକ ସାହୁ, ହୃଦାନନ୍ଦ ନାୟକ, ସୁରେଶ ଚାନ୍ଦ, ମଳୟ ଭୋଇ, କୁଳମଣି ବାରିକ, ସମାଜସେବୀ ପ୍ରୀତମ ମେହେର, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା, ବୀରେନ୍ଦ୍ର ରାୟ ପ୍ରମୁଖ ଆଲୋଚନା କରିଥିଲେ ।