ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉଭୟ ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରି ବନ୍ୟ ଜନିତ କ୍ଷୟକ୍ଷତି ଆକଳନ କରିବା ସହ ଉଭୟ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୌସୁମି ଜନିତ ବର୍ଷାରେ ପ୍ରକୃତିର ତାଣ୍ଡବ ଦେଖିଥିବା ଏହି ଦୁଇ ରାଜ୍ୟ ପାଇଁ ପିଏମ୍ ମୋଦି ମୋଟ୍ ୩୧୦୦ କୋଟିର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି।
ପିଏମ୍ ମୋଦି ପ୍ରଥମେ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ହେଲିକପ୍ଟର ଯୋଗେ ବନ୍ୟ ପ୍ରପିଡିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ କାଙ୍ଗ୍ରାରେ ରାଜ୍ୟ ଅଧିକାରୀମାନଙ୍କ ସହ ରିଲିଫ୍ ପରିଚାଳନା ଓ କ୍ଷୟକ୍ଷତିକୁ ନେଇ ଏକ ସମୀକ୍ଷା ବୌଠକ କରିଥିଲେ। ଏହାସହ ସେ ବନ୍ୟାରେ କ୍ଷତିଗସ୍ତ ପରିବାର ସହସ୍ୟଙ୍କୁ ଭେଟିବା ସହ ଏନଡିଆରଏଫ, ଏସଡିଆରଏଫ ଓ ଆପଦ ମିତ୍ରଙ୍କୁ ସାକ୍ଷାତ କରିଥିଲେ।

ରାଜ୍ୟର ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ, ବାଦଲଫଟା ବୃଷ୍ଟିପାତ ଓ ଫ୍ଲାସ ଫ୍ଲୋଡ ଯୋଗୁଁ ହିମାଚଳ ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ଆନୁମାନିକ ୪୧୦୦ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଛି। ଗତ ଜୁନ ୨୦ ତାରିଖରୁ ସେପ୍ଚେମ୍ୱର ୮ ତାରିଖ ମଧ୍ୟରେ ହୋଇଥିବା ସମସ୍ତ କ୍ଷୟକ୍ଷତି ଆକଳନରେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ବିଭିନ୍ନ କାରଣ ଯୋଗୁଁ ମୋଟ୍ ୩୭୦ ଜଣଙ୍କ ଜୀବନ ଯାଇଛି। ଏହାସହ ୪୧ ଜଣ ଏଯାଏ ନିଖୋଜ ରହିଥିବା ସହ ୬୩୦୦ରୁ ଅଧିକ ଘର, ୪୬୧ଟି ଦୋକାନ ଓ କାରଖାନା ଏହି ଦୁର୍ବିପାକରେ ପ୍ରଭାବିତ ହୋଇଛନ୍ତି।
ଆପଣଙ୍କ ସୂଚନା ନିମନ୍ତେ ଜଣାଇ ରଖୁ ଯେ ଚଳିତ ବର୍ଷ କେବଳ ହିମାଚଳ ପ୍ରଦେଶରେ ୧୩୬ଟି ଭୂସ୍ଖଳନ, ୯୫ଟି ଫ୍ଲାସ ଫ୍ଲୋଡ ଓ ୪୫ଟି ବାଦଲଫଟା ବୃଷ୍ଟିପାତ ହେବା ନେଇ ତଥ୍ୟ ରେକର୍ଡ କରାଯାଇଛି।
ସମୀକ୍ଷା ବୌଠକରେ ଯୋଗ ଦେବା ପରେ ପିଏମ୍ ମୋଦି ହିମାଚଳ ପ୍ରଦେଶ ପାଇଁ ୧୫୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହାସହ ରାଜ୍ୟରେ ହେବାକୁ ଖିବା ସମସ୍ତ ପୁନରୁଦ୍ଧାର କାର୍ଯ୍ୟକ୍ରମରେ କେନ୍ଦ୍ର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛନ୍ତି। ଏହାସହ ପାର୍କୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ଆହତ ମାନଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ଘୋଷଣା କରାଯାଇଛି।

ସେହିଭଳି ପିଏମ୍ ମୋଦି ସମାନ ଢଙ୍ଗରେ ପ୍ରକୃତିର ତାଡନାରେ ଯୁଝୁଥିବା ପଞ୍ଜାବ ଗସ୍ତ କରି ୧୬୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗ ଯୋଗେ ପଞ୍ଜାବର ବନ୍ୟା ପୀଡିତ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଚାଷୀମାନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ଚାଷୀମାନଙ୍କ ସହ କଥା ହେଉଥିବା ସମୟରେ ପିଏମ୍ ମୋଦି କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ। ପଞ୍ଜାବ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ସମସ୍ତ ସହୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ପ୍ରଦାନ କରିବା ସହ ବନ୍ୟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବା ନେଇ ଘୋଷଣା କରିଛନ୍ତି।