ନୂଆଦିଲ୍ଲୀ,୦୫/୧୦: ଏସିଆ କପ ଟୁର୍ଣ୍ଣାମେଣ୍ଟ ସରିଗଲା । ଭାରତ ଚାମ୍ପିଅନ ହେଲା । ହେଲେ ଏଥର ଏସିଆ କପରେ ଯାହା ଘଟିଲା ସବୁବେଳେ ମନେ ରହିବ । ଭାରତ-ପାକିସ୍ତାନ ମ୍ୟାଚ ଆରମ୍ଭରୁ ଫାଇନାଲ ଯାଏ ଫୁଲ୍ ହାଇଭୋଲ୍ଟେଜ ଡ୍ରାମା ହୋଇଥିଲା । ନୋ-ହ୍ୟାଣ୍ଡସେକ ବିବାଦଠୁ ଟ୍ରଫି ନନେବାଠୁ ନେଇ ମୋହସିନ ନଭକି ଟ୍ରଫି ନେଇ ଚାଲିଯିବା ଯାଏ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଏହି ଡ୍ରାମାରେ ମୁଖ୍ୟ ନାୟକ ଥିଲେ ପାକିସ୍ତାନ କ୍ରିକେଟ ବୋର୍ଡ ତଥା ଏସିଆ କ୍ରିକେଟ କାଉନ୍ସିଲର ସଭାପତି ମୋହସିନ ନକଭି । ବର୍ତ୍ତମାନ ସେ ପାକିସ୍ତାନ ଗୃହମନ୍ତ୍ରୀ ଅଛନ୍ତି । ଭାରତର ଏସିଆ କପ ଟ୍ରଫି ନେଇ ସେ ଚାଲି ଯାଇଥିବାରୁ ତାଙ୍କୁ ପାକିସ୍ତାନ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିବ ବୋଲି ଚର୍ଚ୍ଚା ହେଉଛି ।
ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ନବମ ଥର ଚାମ୍ପିଆନ ହୋଇଥିଲା । ପୁରସ୍କାର ବିତରଣ ସମୟରେ ଏସିସି ଅଧ୍ୟକ୍ଷ ହୋଇଥିବାରୁ ମୋହସିନ ଟ୍ରଫି ଦେବାକୁ ମଞ୍ଚରେ ଛିଡା ହୋଇଥିଲେ । ହେଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ଟ୍ରଫି ନେଇଥିଲେ । ଦୀର୍ଘ ସମୟ ଯାଏ ମଞ୍ଚରେ କାଟୁନ୍ ପରି ଛିଡା ହୋଇ ହଟ୍ଟହଟା ହୋଇଥିଲେ ମୋହସିନ ନକଭି । ଏହାପରେ ସେ ଭାରତର ଏସିଆ କପ୍ ଟ୍ରଫି ନେଇ ଚାଲିଯାଇଥିବା ଅଭିଯୋଗ ଆଣିଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ବର୍ତ୍ତମାନ ମୋହସିନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏକ ଭିନ୍ନ ପ୍ରସଙ୍ଗରେ । ଭାରତକୁ ହଇରାଣ କରିଥିବାରୁ ଓ ଭାରତୀୟ ଖେଳାଳୀଙ୍କ ଟ୍ରଫି ନେଇ ଯାଇଥିବାରୁ ପାକିସ୍ତାନ ସରକାର ତାଙ୍କୁ ଗୋଲ୍ଡ ମେଡାଲରେ ସମ୍ମାନିତ କରିବାକୁ ଯାଉଛି । ଏସିଆ କପ୍ ଫାଇନାଲରେ ଟ୍ରଫି ହସ୍ତାନ୍ତର ବିବାଦ ସମୟରେ ଟ୍ରଫି ନ ଫେରାଇବା ପ୍ରସଙ୍ଗକୁ ମୋହସିନ୍ ନକଭିଙ୍କ "ନୀତିଗତ ଏବଂ ସାହସିକ ମନୋଭାବ" ବୋଲି ବର୍ଣ୍ଣନା କରିବା ସହ ତାଙ୍କୁ ସହିଦ ଜୁଲଫିକର ଅଲି ଭୁଟ୍ଟୋ ଉତ୍କର୍ଷ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିବାକୁ ଯାଉଛନ୍ତି ପାକିସ୍ତାନ ସରକାର ।
ଭାରତୀୟ ଖେଳାଳି ତାଙ୍କ ହାତରୁ ଟ୍ରଫି ନନେବାରୁ ନକଭି ଟ୍ରଫିକୁ ନିଜ ପାଖରେ ରଖିଥିଲେ । ପରେ ସୋସିଆଲ ମିଡିଆରେ କହିଥିଲେ ଯେ, ଭାରତୀୟ ଦଳ "ଯଦି ପ୍ରକୃତରେ ଏହା ଚାହାଁନ୍ତି" ତେବେ ସେମାନେ ଏସିସି ମୁଖ୍ୟାଳୟକୁ ଏହାକୁ ନିଅନ୍ତୁ । ମୁଁ କିଛି ଭୁଲ କରିନାହିଁ, ଏବଂ ମୁଁ ବିସିସିଆଇକୁ କ୍ଷମା ମାଗିନାହିଁ
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ , ସିନ୍ଧ ଏବଂ କରାଚୀ ବାସ୍କେଟବଲ୍ ଆସୋସିଏସନର ସଭାପତି ଆଡଭୋକେଟ୍ ଗୁଲାମ ଆବାସ ଜମାଲ୍ ଏହି ଘୋଷଣା କରିଛନ୍ତି । ଜମାଲ୍ କହିଛନ୍ତି ଯେ, ଭାରତ ସହିତ ରାଜନୈତିକ ଏବଂ କ୍ରୀଡା ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ନକଭିଙ୍କ କାର୍ଯ୍ୟ "ଜାତୀୟ ଗର୍ବକୁ ପୁନରୁଦ୍ଧାର" କରିଛି । କରାଚୀରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହେବ । ପିପିପି ଚେୟାରମ୍ୟାନ ବିଲାୱଲ ଭୁଟ୍ଟୋ ମୁଖ୍ୟ ଅତିଥି ହେବେ । ଭୁଟ୍ଟୋ ତାଙ୍କର ଉପଲବ୍ଧତା ନିଶ୍ଚିତ କରିବା ପରେ ତାରିଖ ଚୂଡ଼ାନ୍ତ କରାଯିବ ବୋଲି କାର୍ଯ୍ୟକ୍ରମ ଆୟୋଜକମାନେ କହିଛନ୍ତି ।