ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ଚାରି ଦିନିଆ ଇସ୍ତାନବୁଲ ଶାନ୍ତି ଆଲୋଚନା ବିଫଳ ହେବା ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ବୁଧବାର ଆଫଗାନ ତାଲିବାନକୁ ଖୋଲା ଧମକ ଦେଇଛନ୍ତି। ଆସିଫ ଚେତାବନୀ ଦେଇଛନ୍ତି ଯେ ଯଦି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ତାଲିବାନକୁ ଏମିତି ନିପାତ କରାଯିବ ଯେ, ସେମାନଙ୍କୁ ଲୁଚିବାକୁ ପୁଣି ଗୁମ୍ଫାକୁ ଫେରିବାକୁ ପଡିବ।

ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ଶାନ୍ତି ଆଲୋଚନା କୌଣସି ଫଳାଫଳ ନ ମିଳିବା ପରେ ଆସିଫ ଏହି ବିବୃତ୍ତି ଦେଇଛନ୍ତି। ପାକିସ୍ତାନର ମୁଖ୍ୟ ଦାବି ଥିଲା ଯେ ଆଫଗାନ ତାଲିବାନ ପାକିସ୍ତାନରେ ଆତଙ୍କବାଦ ପ୍ରସାର କରିବା ପାଇଁ ଆଫଗାନ ମାଟି ବ୍ୟବହାର କରୁଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆସିଫ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଲେଖିଛନ୍ତି ଯେ ଆମ ସହ ଭାଇଚାରା ରଖିଥିବା ଦେଶମାନଙ୍କ ଅନୁରୋଧରେ ପାକିସ୍ତାନ ଆଲୋଚନା ପାଇଁ ସୁଯୋଗ ଦେଇଥିଲା। କିନ୍ତୁ ଆଫଗାନ ଅଧିକାରୀଙ୍କ ବିଷାକ୍ତ ବୟାନ, ସେମାନଙ୍କର ବିଭାଜିତ ଏବଂ ପ୍ରତାରଣାପୂର୍ଣ୍ଣ ମନୋଭାବକୁ ସାମ୍ନାକୁ ଆଣିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନକୁ ତାଲିବାନ ଶାସନକୁ ସମ୍ପୂର୍ଣ୍ଣ ଭାବରେ ନିପାତ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ରର ଏକ ଅଂଶ ମଧ୍ୟ ବ୍ୟବହାର କରିବାକୁ ପଡିବ ନାହିଁ। ଯଦି ପାକିସ୍ତାନ ଚାହିଁବ, ତେବେ ସମଗ୍ର ଅଞ୍ଚଳ ପୁଣି ଥରେ ତାଲିବାନର ଧ୍ୱଂସ ଲିଳା ଦେଖିବ, ଯେପରି ତୋରା ବୋରାରେ ହୋଇଥିଲା। ଆସିଫ କହିଛନ୍ତି ଯେ ତାଲିବାନ ଶାସନ ଭିତରେ ଯୁଦ୍ଧବାଦୀମାନେ ପାକିସ୍ତାନର ସାହସ ଏବଂ ସଂକଳ୍ପକୁ ଭୁଲ ବୁଝିଛନ୍ତି। ସେ କହିଛନ୍ତି ଯେ ଯଦି ତାଲିବାନ ଯୁଦ୍ଧ କରିବାକୁ ଚାହେଁ, ତେବେ ବିଶ୍ୱ ଦେଖିବ ଯେ ସେମାନଙ୍କର ଦାବି କେବଳ ଏକ ବାହାନା ଅଟେ।

ଆସିଫ୍ ତାଲିବାନକୁ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ଆଉ ସେମାନଙ୍କର ବିଶ୍ୱାସଘାତକତା ଏବଂ ଉପହାସକୁ ସହ୍ୟ କରିବ ନାହିଁ। ତାଲିବାନ ପକ୍ଷରୁ ପାକିସ୍ତାନରେ ହେଉଥିବା ଯେକୌଣସି ଆତଙ୍କବାଦୀ କିମ୍ବା ଆତ୍ମଘାତୀ ଆକ୍ରମଣ ପାଇଁ ସେମାନଙ୍କୁ ବହୁ ଭାରୀ ମୂଲ୍ୟ ଦେବାକୁ ପଡିବ। ସେମାନେ ଚାହିଁଲେ ଆମର ଶକ୍ତି ପରୀକ୍ଷା କରିପାରିବେ, କିନ୍ତୁ ଏହା ସେମାନଙ୍କର ନିଜର ବିନାଶ ହିଁ ଆଣିବ।

ଆସିଫ୍ ତାଲିବାନ ଉପରେ ଅଭିଯୋଗ ଆଣିଛନ୍ତି ଯେ ସେମାନେ ନିଜର ଦଖଲ କ୍ଷମତାକୁ ବଞ୍ଚାଇବା ଏବଂ ଯୁଦ୍ଧଭିତ୍ତିକ ଅର୍ଥନୀତି ବଜାୟ ରଖିବା ପାଇଁ ଆଫଗାନିସ୍ତାନକୁ ପୁଣି ଥରେ ଯୁଦ୍ଧର ନିଆଁରେ ଫୋପାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ ଯଦି ତାଲିବାନ ଶାସନ ଆଫଗାନିସ୍ତାନ ଏବଂ ଏହାର ନିରୀହ ଲୋକଙ୍କୁ ପୁଣି ଥରେ ଧ୍ୱଂସ ଆଡ଼କୁ ଠେଲି ଦେବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କର ନିଜସ୍ୱ ନିଷ୍ପତ୍ତି।