ନୂଆଦିଲ୍ଲୀ,୦୫/୧୦: ଚଳିତ ପାରା ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପ୍ର ଅଷ୍ଟମ ଦିବସରେ ଭାରତକୁ ଆଉ ୩ଟି ପଦକ ମିଳିଛି । ମହିଳା କ୍ଲବ୍ ଥ୍ରୋରେ ଏକତା ଭ୍ୟାନ ଓ ପୁରୁଷ ସଟ୍ପୁଟ୍ରେ ସୋମନ ରାଣା ରୌପ୍ୟ ଜିତିଥିବାବେଳେ ହାଇଜମ୍ପରେ ପ୍ରବୀଣ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଚଳିତ ଚାମ୍ପିଅନସିପ୍ରେ ଭାରତର ପଦକ ସଂଖ୍ୟା ୧୮କୁ (୬ସ୍ୱର୍ଣ୍ଣ, ୭ରୌପ୍ୟ, ୫ବ୍ରୋଞ୍ଜ) ବୃଦ୍ଧି ପାଇଛି । ପାରା ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପ୍ରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ଗତ ସଂସ୍କରଣରେ ଭାରତ ମୋଟ ୧୭ଟି (୬ସ୍ୱର୍ଣ୍ଣ, ୫ରୌପ୍ୟ, ୬ବ୍ରୋଞ୍ଜ) ପଦକ ଜିତିଥିଲା ।
ମହିଳା କ୍ଲବ୍ ଥ୍ରୋ (ଏଫ୍-୫୧) ଫାଇନାଲ୍ରେ ଏକତା ସିଜନର ଶ୍ରେଷ୍ଠ ପ୍ରଦର୍ଶନ ୧୯.୮୦ମିଟର ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାସଲ କରିଥିଲେ । ସେ କ୍ରମାନ୍ୱୟରେ ତୃତୀୟ ବିଶ୍ୱ ଚାମ୍ପିଅନସିପ୍ ପଦକ ଜିତିଛନ୍ତି । ୟୁକ୍ରେନର ଜୋୟା ଓଭସି ୨୪.୦୩ମି. ସହ ସ୍ୱର୍ଣ୍ଣ ଏବଂ ରୁଷିଆର ଏକତେରିନା ପୋଟାପୋଭା ୧୮.୬୦ମି. ସହ ବ୍ରୋଞ୍ଜ ଜିତିଛନ୍ତି ।
ପୁରୁଷ ସଟ୍ପୁଟ୍ (ଏଫ୍-୫୭) ଫାଇନାଲ୍ରେ ସୋମନ ନିଜର ଚତୁର୍ଥ ପ୍ରୟାସରେ ସିଜନର ଶ୍ରେଷ୍ଠ ପ୍ରଦର୍ଶନ ୧୪.୬୯ମି. ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଇରାନର ୟାସିନ (୧୬.୬୦ମି.) ବିଶ୍ୱ ରେକର୍ଡ଼ ସହ ସ୍ୱର୍ଣ୍ଣ ଏବଂ ଫିନ୍ଲାଣ୍ଡର ତେଇଜୋ କୋପିକ୍କା ୧୪.୫୧ମି. ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ପୁରୁଷ ହାଇଜମ୍ପ (ଟି-୬୪) ଫାଇନାଲ୍ରେ ପ୍ରବୀଣ ମଧ୍ୟ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ୨.୦୦ମି. ଜମ୍ପ କରି ତୃତୀୟ ସ୍ଥାନରେ ରହିଥିଲେ । ଉଜବେକିସ୍ତାନର ତେମୁରବେକ (୨.୦୩ମି.) ସ୍ୱର୍ଣ୍ଣ ଓ ବ୍ରିଟେନର ଜୋନାଥନ ବ୍ରୁମ-ଏଡୱାର୍ଡ ୨.୦୦ମି. ସହ ରୌପ୍ୟ ପଦକ ଜିତିଛନ୍ତି ।