ମୁମ୍ବାଇ,୧୨ /୯: ରିଲିଜର ସପ୍ତାହେ ପୂର୍ବରୁ ଆଇନ ଜାଲରେ ଛନ୍ଦି ହେଲା ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ 'ଜଲି ଏଲଏଲବି ୩' । ଫିଲ୍ମ ଉପରେ ରୋକ ଲଗାଇବା ନେଇ ଦାବି । ଗୁଜୁରାଟ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଛି । ତେବେ ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ଜଲି ଏଲଏଲବି ୩' ର ଟ୍ରେଲର ରିଲିଜ୍ ହୋଇଥିଲା । ଯାହା ପରେ ଏହି ବିବାଦ ଉପୁଜିଛି । ଏଥିରେ ପ୍ରଦର୍ଶିତ ସିନ୍ ଏବଂ ସଂଳାପକୁ ନେଇ ଅନେକ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି । ମୁମ୍ବାଇ ଏବଂ ଆହ୍ଲାବାଦ ହାଇକୋର୍ଟରେ ମଧ୍ୟ ଫିଲ୍ମ ବିରୋଧରେ ପିଟିସନ୍ ଦାୟର କରାଯାଇଥିଲା ।
ସୂଚନା ଅନୁସାରେ, ଫିଲ୍ମର ଟ୍ରେଲରରେ ଜଣେ ବିଚାରପତିଙ୍କ ଚରିତ୍ରକୁ ଅନୁପଯୁକ୍ତ ଭାବରେ ଚିତ୍ରଣ କରାଯାଇଥିବା ଅଭିଯୋଗରେ ଗୁଜୁରାଟ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରାଯାଇଛି । ଯାହା ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ଆବେଦନକାରୀ ଟ୍ରେଲର ଏବଂ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ଆବେଦନରେ ଫିଲ୍ମକୁ ଦିଆଯାଇଥିବା ପ୍ରମାଣପତ୍ରକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି । ତେବେ ସେନ୍ସର ବୋର୍ଡ ମଙ୍ଗଳବାର ସୁଦ୍ଧା ଏହି ମାମଲାରେ ଆବେଦନକାରୀଙ୍କୁ ଉତ୍ତର ଦେବ
ଆବେଦନକାରୀ କହିଛନ୍ତି ଯେ, ଫିଲ୍ମରେ କୋର୍ଟ କାର୍ଯ୍ୟକୁ ହାସ୍ୟାସ୍ପଦ ଭାବରେ ଉପସ୍ଥାପନ କରି କୋର୍ଟର ମର୍ଯ୍ୟାଦାକୁ ଆଘାତ ଦେବାକୁ ଚେଷ୍ଟା କରାଯାଇଛି । ଫିଲ୍ମରେ ବିଚାରପତିଙ୍କୁ ଅନୁପଯୁକ୍ତ ଭାବରେ ଦର୍ଶାଯାଇଛି ଏବଂ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଇଛି, ଯାହା ନ୍ୟାୟପାଳିକାର ପ୍ରତିଷ୍ଠାକୁ ଆଘାତ କରେ । ଏହି ଆବେଦନରେ ସିବିଏପସି ନିର୍ଦ୍ଦେଶକ ସୁଭାଷ କପୁର, ଅଭିନେତା ଅକ୍ଷୟ କୁମାର, ଅର୍ଶଦ ୱର୍ଶି ଏବଂ ସୌରଭ ଶୁକ୍ଳାଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏନେଇ ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ସିବିଏପସି ଆବେଦନକାରୀଙ୍କ ଯୁକ୍ତି ଉପରେ ନିଷ୍ପତ୍ତି ନେବା ଉଚିତ ଏବଂ ଏହି ମାମଲାରେ କେବେ ନିଷ୍ପତ୍ତି ନିଆଯିବ ତାହା କହିବା ଉଚିତ । ପ୍ରକାଶ ଥାଉକି, ୨୦୧୩ ରେ ଅର୍ଶଦ ୱର୍ଶିଙ୍କ ଅଭିନୀତ ଫିଲ୍ମ "ଜଲି ଏଲଏଲବି" ମୁକ୍ତିଲାଭ କରିଥିଲା । ସେହିପରି ୨୦୧୭ରେ "ଜଲି ଏଲଏଲବି ୨" ମୁକ୍ତିଲାଭ କରିଥିଲା। ଯେଉଁଥିରେ ଅକ୍ଷୟ କୁମାର ଜଣେ ଓକିଲ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ସେପ୍ଟେମ୍ବର ୧୯ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଲେଖକ ଏବଂ ନିର୍ଦ୍ଦେଶକ ହେଉଛନ୍ତି ସୁଭାଷ କପୁର ।