କଟକ,୧୮/୧୦ ପୁଲିସ୍ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ତଦନ୍ତରୁ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଓ ପଶ୍ଚିମବଙ୍ଗ ଦୀଘା ମଡ୍ୟୁଲ୍ ବିଷୟରେ ତଥ୍ୟ ମିଳିବା ପରେ ପୁଲିସ ସନ୍ଦେହ କରୁଛି କି ଏଭଳି ଆଉ ଗୋଟିଏ ବା ଦୁଇଟି ସମାନ ଧରଣର ମଡ୍ୟୁଲ୍ ଥାଇପାରେ । ଅର୍ଥାତ୍ ଅନ୍ୟ କେଉଁ ପଡ଼ୋଶୀ ରାଜ୍ୟକୁ ଆଉ କିଛି ଆଶାୟୀ ପ୍ରାର୍ଥୀଙ୍କୁ ସମାନ ଢଙ୍ଗରେ ନିଆଯାଇ ସ୍ୱତନ୍ତ୍ର କୋଚିଂ ନାଁରେ ପ୍ରଶ୍ନପତ୍ର ଦିଆଯିବାକୁ ଯୋଜନା ହୁଏତ କରାଯାଇ ଥାଇପାରେ । ତେଣୁ ସେହି ‘ଅଜଣା ମଡ୍ୟୁଲ୍’ର ଖିଅ ଖୋଜି ବାହାର କରିବା ପାଇଁ ପୁଲିସ ଭିନ୍ନ ଏକ ତରିକା ଆପଣାଇଛି ।
ଦିଲ୍ଲୀ-ଏନ୍ସିଆର୍ରେ ୩ ଭଡ଼ାଘର ବଦଳାଇଲାଣି ଶଙ୍କର
ବିଜୟନଗରମ୍ରେ ବ୍ରହ୍ମପୁର ପୁଲିସ ଟିମ୍ ୧୧୪ ଆଶାୟୀ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ୍ଙ୍କୁ ଧରିବା ବେଳେ କେଳେଙ୍କାରୀର ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟି ଦିଲ୍ଲୀରେ ଥିଲା । ୨୯ ତାରିଖ ରାତି ପ୍ରାୟ ୯ଟା ବେଳକୁ ତାର ଫୋନ୍ ବନ୍ଦ ହୋଇଗଲା । ଏହା ପରଠୁ ଆଉ ଅନ୍ ହୋଇନି । କ୍ରାଇମବ୍ରାଞ୍ଚ ଟିମ୍ ତାକୁ ଖୋଜିବା ପାଇଁ ତିନି ଥର ଦିଲ୍ଲୀ ଯାଇ ଫେଲ୍ ମାରିଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଥମେ ସେ ଦିଲ୍ଲୀରେ ଏକ ଘରେ ଭଡ଼ା ନେଇ ରହୁଥିଲା । ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ସେ ଉକ୍ତ ଘର ଛାଡ଼ିଦେଲା । ଏହାପରେ ସେ ଏନ୍ସିଆର୍ ବା ଦିଲ୍ଲୀ ନିକଟ ଅଞ୍ଚଳରେ ଆଉ ଦୁଇ ଥର ଦୁଇଟି ଘର ଭଡ଼ା ନେଇ ଦୁଇରୁ ତିନି ଦିନ ସେଠାରେ ରହି ପରେ ପୁଣି ଘର ଛାଡ଼ିଥିଲା। ଏବେ ସେ ଦିଲ୍ଲୀରୁ ଚମ୍ପଟ ମାରିଛି । ତାର ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ୍, କ୍ରେଡିଟ୍ କାର୍ଡ ଓ ୟୁପିଆଇକୁ ମଧ୍ୟ ବ୍ଲକ୍ କରି ଦିଆଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
ଦୀଘା ମଡ୍ୟୁଲ୍ର ଆଶାୟୀ ପ୍ରାର୍ଥୀ ରାଜସାକ୍ଷୀ ହୁଅନ୍ତୁ, ନଚେତ ଗିରଫ ହେବେ
ଗିରଫ ଅଭିଯୁକ୍ତ ବାଲେଶ୍ୱରର ଅରବିନ୍ଦ ଦାସ ପାଖରୁ ଦୀଘା କ୍ୟାମ୍ପକୁ ଯିବାକୁ ଥିବା ସମସ୍ତ ୧୧୦ ଜଣ ଆଶାୟୀ ପ୍ରାର୍ଥୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିସାରିଛି । କିଛି ଆଶାୟୀଙ୍କ ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ ମଧ୍ୟ ଅରବିନ୍ଦଠାରୁ ଜବତ ହୋଇଛି । ଏମାନେ ସମସ୍ତେ ଅଗ୍ରୀମ ଟଙ୍କା ୧୦ଲକ୍ଷ ଲେଖାଏଁ ଦେଇସାରିଥିଲେ । ମାତ୍ର କେଳେଙ୍କାରୀ ପଦାକୁ ଆସିବା ପରେ କେହି ମୁହଁ ଖୋଲୁ ନାହାନ୍ତି । ଟଙ୍କା ଫେରସ୍ତ ପାଇଁ ମଧ୍ୟ ପୁଲିସକୁ ଅନୁରୋଧ କରୁନାହାନ୍ତି । ମାତ୍ର ସେମାନେ ଟଙ୍କା ଦେଇଛନ୍ତି ଓ ଜାଲିଆତି ଉପାୟରେ ପରୀକ୍ଷା ଦେଇ ନିଯୁକ୍ତି ପାଇବାକୁ ପ୍ରସ୍ତୁତ ହୋଇଥିବାରୁ ଆଇନ ଆଖିରେ ଦୋଷୀ । ତେଣୁ ସେମାନେ ବର୍ତ୍ତମାନ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବା କଥା । ସେଭଳି ହେଲେ କ୍ରାଇମ୍ବ୍ରାଞ୍ଚ୍ ସେହି ଆଶାୟୀ ପ୍ରାର୍ଥୀମାନଙ୍କୁ ରାଜସାକ୍ଷୀ କରାଇବ । ସୁରକ୍ଷା ଦେବ । ଯଦି ସେମାନେ ପୁଲିସକୁ ସହଯୋଗ ନକରନ୍ତି ତାହେଲେ ଆଇନ ଅନୁସାରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ ମଧ୍ୟ କରିପାରେ ବୋଲି ଆଜି କ୍ରାଇମବ୍ରାଞ୍ଚ ଡିଜି ଶ୍ରୀ ମିଶ୍ର ରୋକ୍ଠୋକ୍ ଶୁଣାଇଛନ୍ତି ।
ଜାଲିଆତି ନୁହେଁ, ସିଣ୍ଡିକେଟ୍ କ୍ରାଇମ୍
ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାକୁ କ୍ରାଇମ୍ବ୍ରାଞ୍ଚ୍ ଡିଜି ‘ସିଣ୍ଡିକେଟ୍ କ୍ରାଇମ୍’ ଆଖ୍ୟା ଦେଇଛନ୍ତି । ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ମୋଟା ଅଙ୍କର ଅର୍ଥ ନେଇ ସରକାରୀ ବ୍ୟବସ୍ଥାକୁ ପାଦରେ ଦଳିମକଚି ଏହି ନିଯୁକ୍ତି ଜାଲିଆତି କରାଯିବାକୁ ଚୂଡାନ୍ତ ହୋଇଥିଲା । ଲୋକଙ୍କୁ ଏଭଳି ଢଙ୍ଗରେ ବିଶ୍ୱାସ ଦିଆଯାଇଥିଲା ଯେ, ସବୁକିଛି ଟଙ୍କା ବଳରେ ହୋଇଯିବ । ସିଣ୍ଡିକେଟ୍ର ମାଣ୍ଡର୍ମାଇଣ୍ଡ୍ ଶଙ୍କର ପୃଷ୍ଟି ଏତେ ଜଟିଳ କାମକୁ ଅତି ସହଜରେ କରିଦେବ ବୋଲି ଯୋଜନା କରିଥିଲା ଯାହାକୁ ପୁଲିସ ବାହିନୀ ଓ କ୍ରାଇମବ୍ରାଞ୍ଚ ଏକପ୍ରକାର ଧୂଳି ଚଟାଇଛି । ଅନ୍ୟ ରାଜ୍ୟରେ ଥିବା ଏଭଳି ‘ନିଯୁକ୍ତି ଜାଲିଆତି ଗ୍ୟାଙ୍ଗ୍’ ସହିତ ଶଙ୍କରର ସୁସମ୍ପର୍କ ବିଷୟ ଏବେ ପ୍ରାୟ ସ୍ପଷ୍ଟ ହେଲାଣି । ମାତ୍ର ପୂର୍ବରୁ ସେ ଓଡ଼ିଶାରେ ଏଭଳି ନିଯୁକ୍ତି ଜାଲିଆତି କରିଛି କି ନାହିଁ ତାହା ତଦନ୍ତ ପରିସରଭୁକ୍ତ ଥିବା ଡିଜି ଶ୍ରୀ ମିଶ୍ର କହିଛନ୍ତି । ତେବେ ଶଙ୍କରର କମ୍ପ୍ୟୁଟର ପରୀକ୍ଷା କେନ୍ଦ୍ର ଥିବାରୁ ସେ ଏଭଳି କାମ ପୂର୍ବରୁ ନିଶ୍ଚିତ ରୂପେ କରିଥିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ସନ୍ଦେହ ବ୍ୟକ୍ତ କରିଛନ୍ତି ।