କଟକ,୧୬/୧୦: ପୁଲିସ ଏସ୍‌ଆଇ  ପରୀକ୍ଷା ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା ଶଙ୍କର ପୃଷ୍ଟି ଆଗୁଆ ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ଶଙ୍କର କେଳେଙ୍କାରୀର ମୁଖ୍ୟ ବୋଲି ଜଣାପଡ଼ିଥିଲା ।

କ୍ରାଇମ୍‌ବ୍ରାଞ୍ଚ୍‌ ତା’ ନାଁରେ ମାମଲା ରୁଜୁ  କରିବା ପରେ ସେ ଏପର୍ଯ୍ୟନ୍ତ ଫେରାର ଅଛି । ସମ୍ଭାବ୍ୟ  ଗିରଫଦାରୀକୁ ଏଡ଼ାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛି । ପୁଲିସ ଏସ୍‌ଆଇ ପରୀକ୍ଷା ଟେଣ୍ଡର୍‌ ଜରିଆରେ ପିଏସ୍‌ୟୁ ଆଇଟିଆଇ ଲିମିଟେଡ୍‌ ସଂସ୍ଥାକୁ ଦିଆଯାଇଥିଲା । ଏହି ସଂସ୍ଥା  ଭୁବନେଶ୍ୱରର ସିଲିକନ୍‌ ଟେକ୍ନୋଲାବ୍‌କୁ ଓ ସିଲିକନ୍‌  ପକ୍ଷରୁ ଏହି କାମ ପଞ୍ଚସଫ୍ଟକୁ ଦିଆଯାଇଥିଲା । ପଞ୍ଚସଫ୍ଟକୁ ପରୀକ୍ଷା ପରିଚାଳନା ଲାଗି ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପଞ୍ଚସଫ୍ଟ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ଭାବେ ଶଙ୍କର ପୃଷ୍ଟି କାର୍ଯ୍ୟ  କରୁଥିଲା ଯେଉଁଠାରେ ଯାବତୀୟ କେଳେଙ୍କାରୀ  ହୋଇଥିବା ଜଣାପଡ଼ିଛି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ  ଇତିମଧ୍ୟରେ ଏହି ମାମଲାରେ ୧୧୪ ଜଣ ଆଶାୟୀ  ପ୍ରାର୍ଥୀ, ତିନି ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଶଙ୍କର ଫେରାର ରହିଛି।