ନୂଆଦିଲ୍ଲୀ,୨୪/୯ : କିଛି ହାଇକୋର୍ଟ ବିଚାରପତି ନିଜ କାମକୁ ଠିକ୍ ଭାବେ ପୂରା କରିପାରୁନାହାନ୍ତି । ଏଭଳି ବିଚାରପତିମାନଙ୍କର ପ୍ରଦର୍ଶନ ବା କାର୍ଯ୍ୟର ମୂଲ୍ୟାଙ୍କନ ହେବା ଉଚିତ୍ । ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସୋମବାର ଏହି ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ହାଇକୋର୍ଟର ବିଚାରପତିମାନଙ୍କ ଲାଗି ସ୍କୁଲ ପ୍ରିନ୍ସିପାଲଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରିବାକୁ ଚାହୁଁନାହୁଁ । ତେବେ ଡେସ୍କ ଉପରେ ଫାଇଲ୍ ଗଦା ନ ହେବାକୁ ସବୁ ବିଚାରପତିଙ୍କ ନିକଟରେ ନିଜର ଏକ ପରିଚାଳନା ବ୍ୟବସ୍ଥା ରହିବା ଜରୁରି । କିଛି ବିଚାରପତି ଦିନରାତି ପରିଶ୍ରମ କରି ମାମଲାଗୁଡିକୁ ଉଲ୍ଲେଖନୀୟ ଭାବେ ସମାଧାନ କରୁଛନ୍ତି । କିନ୍ତୁ କିଛି ଏଭଳି ବିଚାରପତି ବି ଅଛନ୍ତି ଯେଉଁମାନେ ସେମାନଙ୍କ କାମକୁ ସମୟବଦ୍ଧ ଭାବେ ପୂରା କରନ୍ତି ନାହିଁ । ମାମଲାକୁ ଅନାବଶ୍ୟକ ଭାବେ ଟାଳିବା ସେମାନଙ୍କ ଅଭ୍ୟାସ । ଏହା ପଛର କାରଣ କ’ଣ ଆମେ ତାହା ଜାଣିନାହୁଁ । କିନ୍ତୁ ଏହି ସ୍ଥିତି ଚିନ୍ତାଜନକ । ଏହା ବିଚାରପତିମାନଙ୍କର ଛବିକୁ ମଧ୍ୟ ଖରାପ କରିବ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଉଦାହରଣ ସ୍ୱରୂପ, ଯଦି ଜଣେ ବିଚାରପତି ଏକ ଅପରାଧିକ ଆବେଦନର ଶୁଣାଣି କରୁଛନ୍ତି ତେବେ ସେ ଦିନରେ ୫୦ଟି ମାମଲାରେ ରାୟ ଦେବେ ବୋଲି ଆମେ ଆଶା କରିପାରିବା ନାହିଁ । ଦିନରେ ଗୋଟିଏ ଅପରାଧିକ ଆବେଦନର ଚୂଡ଼ାନ୍ତ ରାୟ ଦେବା ଏକ ବଡ଼ ସଫଳତା । କିନ୍ତୁ ଜାମିନ ମାମଲାରେ ଯଦି ଜଣେ ବିଚାରପତି ଦିନକୁ ଗୋଟିଏ ଜାମିନ ଆବେଦନ ନେଇ ରାୟ ଦେବା କଥା କହିବେ ତେବେ ସେ ଆତ୍ମସମୀକ୍ଷା କରିବା ଉଚିତ୍ । ଏହି କ୍ଷେତ୍ରରେ ତାଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରାଯିବା ଆବଶ୍ୟକ । ଝାଡ଼ଖଣ୍ଡ ହାଇକୋର୍ଟ ସହ ସଂପର୍କିତ ଅପରାଧିକ ମାମଲାରେ ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି । ଆଜୀବନ ଓ ମୃତ୍ୟୁଦଣ୍ଡ ପାଇଥିବା କିଛି ଦୋଷୀ ଝାଡ଼ଖଣ୍ଡ ହାଇକୋର୍ଟ ସେମାନଙ୍କ ଅପରାଧିକ ଆବେଦନ ନେଇ ରାୟ ଶୁଣାଉନଥିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଦୀର୍ଘ ବର୍ଷ ହେଲା ସେମାନଙ୍କ ମାମଲାରେ ରାୟକୁ ସୁରକ୍ଷିତ ରଖିଥିବା ଆବେଦନରେ ଦର୍ଶାଯାଇଥିଲା । ପରେ ଅବଶ୍ୟ ହାଇକୋର୍ଟ ସେମାନଙ୍କ ମାମଲାରେ ରାୟ ଶୁଣାଇଥିଲେ । ନିଜର ରାୟରେ ଅଧିକାଂଶଙ୍କୁ ଖଲାସ କରିଥିଲେ କୋର୍ଟ ।
ତେବେ ସୁପ୍ରିମକୋର୍ଟ ରାୟ ପ୍ରଦାନ ଲାଗି ଦୀର୍ଘ ଦିନ ବିଳମ୍ବର ବ୍ୟବସ୍ଥାଗତ ପ୍ରସଙ୍ଗ ଉଠାଇଥିଲେ । ଅନ୍ୟପଟେ ଗତକାଲି ମାମଲାର ଶୁଣାଣି ସମୟରେ ଓକିଲ ଫୌଜିୟା ଶକିଲ ଦେଶର ଭିନ୍ନ ଭିନ୍ନ ହାଇକୋର୍ଟରେ ପଡ଼ି ରହିଥିବା ମାମଲାର ସ୍ଥିତି ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏଥିସହ କିଛି ହାଇକୋର୍ଟ ନିର୍ଦ୍ଧାରିତ ଫର୍ମାଟ୍ରେ ତଥ୍ୟ ଉପଲବ୍ଧ କରିନଥିବା ଦର୍ଶାଇଥିଲେ । ସୁପ୍ରିମକୋର୍ଟ ଏଥିନେଇ ଅସନ୍ତୋଷ ପ୍ରକାଶ କରି ୨ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବରିଷ୍ଠ ଓକିଲ ଅଜିତ ସିହ୍ନାଙ୍କୁ ମାମଲାରେ ସହାୟତା କରିବାକୁ କୋର୍ଟ ନିଯୁକ୍ତ କରିଛନ୍ତି ।