ଝାରସୁଗୁଡ଼ା, ୨୩/୦୯:ଆସନ୍ତା ୨୭ରେ  ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ପୂର୍ବ ନିର୍ଦ୍ଧାରିତ ବ୍ରହ୍ମପୁର ବଦଳରେ  ଝାରସୁଗୁଡ଼ାରେ କାର୍ଯ୍ୟକ୍ରମ ହେବ ବୋଲି  ଏକ ପ୍ରକାର ନିଶ୍ଚିତ ହୋଇଛି । ହେଲେ ଏଯାଏ  ସରକାରୀ ଭାବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ  କାର୍ଯ୍ୟସୂଚୀ ସ୍ପଷ୍ଟ କରାଯାଇନାହିଁ । ତଥାପି ମୋଦିଙ୍କ  ସମ୍ଭାବ୍ୟ ଝାରସୁଗୁଡ଼ା ଗସ୍ତ ନେଇ ଉଭୟ ଦଳୀୟ ଏବଂ  ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଅମଲିପାଲି  ପଡ଼ିଆରେ ଭବ୍ୟ କାର୍ଯ୍ୟକ୍ରମ ପାଇଁ ଜୋର୍‌ଦାର ପ୍ରସ୍ତୁତି  ଆରମ୍ଭ ହୋଇଛି ।

ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ  କହିଛନ୍ତି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ  ଝାରସୁଗୁଡ଼ା ଗସ୍ତରେ ଆସିବା ୯୯ ପ୍ରତିଶତ  ସମ୍ଭାବନା ରହିଛି । ସେହି ଅନୁଯାୟୀ ପ୍ରସ୍ତୁତି ଚାଲିଛି ।  ଗତ ରବିବାର ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,  ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ  ପୃଥକ୍‌ ଭାବେ ମୋଦିଙ୍କ ଝାରସୁଗୁଡ଼ା ସମାବେଶ  ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଝାରସୁଗୁଡ଼ାରେ ପ୍ରଶାସନିକ ଓ ଦଳୀୟ ଗତିବିଧି  ତୀବ୍ର ହୋଇଛି ।

ରବିବାର ସନ୍ଧ୍ୟାରୁ ସହର ଉପକଣ୍ଠ  ଅମଲିପାଲି ପଡ଼ିଆରେ ସଭାସ୍ଥଳ ପ୍ରସ୍ତୁତ କରାଯାଉଛି ।  ଯୁଦ୍ଧକାଳୀନ ଭିତ୍ତିରେ ପଡ଼ିଆ ସମତଳ କାର୍ଯ୍ୟ  ଚାଲିଛି । ରବିବାର ରାଜ୍ୟ ସଭାପତି ଶ୍ରୀ ସାମଲ,  ବିଧାୟକ ଶ୍ରୀ ତ୍ରିପାଠୀ ପ୍ରମୁଖ ସଭାସ୍ଥଳ ପରିଦର୍ଶନ  କରିଥିଲେ । ସର୍କିଟ୍‌ ହାଉସ୍‌ରେ ଶ୍ରୀ ସାମଲ ଦଳୀୟ  କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିଥିଲେ । ଆଇଜି  ହିମାଂଶୁ ଲାଲ୍‌, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱଣ,  ଏସ୍‌ପି ରେଡ୍ଡୀ ରାଘବେନ୍ଦ୍ର ଗୁଣ୍ଡାଲା ଏବଂ ଦଳୀୟ  କାର୍ଯ୍ୟକର୍ତ୍ତା ପଡ଼ିଆ ବୁଲି ଦେଖିଥିଲେ । ଅନୁରୂପ ଭାବେ  ସୋମବାର ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀଙ୍କୁ ନେଇ  ସମୀକ୍ଷା ବୈଠକ କରିଛନ୍ତି । ଅମଲିପାଲି ପଡ଼ିଆକୁ  ପ୍ରଶାସନିକ ଅଧିକାରୀ ଏବଂ ଦଳୀୟ କର୍ମକର୍ତ୍ତା  ନିରୀକ୍ଷଣ କରିବା ସହ ସଭାସ୍ଥଳ ପ୍ରସ୍ତୁତି କାର୍ଯ୍ୟ  ତଦାରଖ କରିଛନ୍ତି । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ  ନେଇ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ବଢ଼ିଛି ।  ଦଳୀୟ କର୍ମକର୍ତ୍ତା ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି ।  

ସୂଚନାଯୋଗ୍ୟ, ସମ୍ଭାବ୍ୟ ଲଘୁଚାପ ଜନିତ ପ୍ରତିକୂଳ  ପାଗ କାରଣରୁ ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାକୁ  କାର୍ଯ୍ୟକ୍ରମ ସ୍ଥାନାନ୍ତର ହୋଇଛି । ମୋଦିଙ୍କ ଜନ୍ମ ଦିବସ  ଅବସରରେ ସେବା ପକ୍ଷ ପାଳନ କରାଯାଉଥିବାବେଳେ  ଝାରସୁଗୁଡ଼ାଠାରେ ଏହି ସମାବେଶର  ଆୟୋଜନ ନେଇ ଜୋର୍‌ଦାର ପ୍ରସ୍ତୁତି ଚାଲିଛି ।