​​​​​​​ମାଲକାନଗିରି,୧୨/୧୦(ଆପ୍ର ): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ  ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳ ନିଜେ ୫ ବର୍ଷରୁ କମ୍ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାଲକାନଗିରି  ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ପୋଲିଓ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି ।

 ୧୨ ଅକ୍ଟୋବର ରେ ମାଲକାନଗିରି ଜିଲ୍ଲାରେ ପୋଲିଓ ପାଇଁ ଉପ-ଜାତୀୟ ଟୀକାକରଣ ଦିବସ  ଆୟୋଜନ କରାଯାଉଛି ।  ୧୩ ଏବଂ ୧୪ ଅକ୍ଟୋବର  ଦୁଇ ଦିନରେ  ଘର ଘର ବୁଲି ଶିଶୁଙ୍କୁ ପୋଲିଓ ଟୀକା ଦିଆଯିବ। ଉପ-ଜାତୀୟ ଟୀକାକରଣ  ସମୟରେ ସମୁଦାୟ ୦ ରୁ ୫ ବର୍ଷ ବୟସର ୭୫ ହଜାର ୨୫୦ ଜଣ  ଶିଶୁଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ  ୫୪ ଟି ମୋବାଇଲ୍ ଦଳ ଏବଂ ୫୮ ଟି ଟ୍ରାଞ୍ଜିଟ୍ ଦଳ ସହିତ ମୋଟ ୭୫୨ ଟିକାକରଣ ବୁଥ୍ ଯୋଜନା କରାଯାଇଛି । ୬୧ ଟିକାକରଣ କେନ୍ଦ୍ରରେ ୧୫୦୪ ଜଣ ଟିକାଦାତା ପୋଲିଓ ଟୀକାକରଣ ପାଇଁ ନିୟୋଜିତ ହେବେ।  ସମଗ୍ର ଜିଲ୍ଲାରେ କାର୍ଯ୍ୟକ୍ରମ ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ଉପ-ଜାତୀୟ ଟୀକାକରଣ ସମୟରେ ଟୀକାକରଣ ପରେ ଯେକୌଣସି ପ୍ରତିକୂଳ ଘଟଣା ପାଇଁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସଜାଗ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୋଳ ମଣି ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ବ୍ରଜବନ୍ଧୁ ଦାଶ,ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ,, ଡିପିଏମ୍ ମୌସମୀ ମିଶ୍ର ଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।