ନୂଆଦିଲ୍ଲୀ: ଶୁକ୍ରବାର ପଞ୍ଜାବ ପୋଲିସର ଉପ-ମହାନିରୀକ୍ଷକ ହରଚରଣ ସିଂହ ଭୁଲ୍ଲରଙ୍କୁ ୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ମାମଲାରେ ଧରାପଡ଼ିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ଏକ ମାମଲାର ସମାଧାନ କରିବା ଏବଂ ତାଙ୍କ ବ୍ୟବସାୟ ବିରୁଦ୍ଧରେ କୌଣସି ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଏହି ଲାଞ୍ଚ ନେଉଥିଲେ ବୋଲି ସୂଚନା ରହିଛି।
ଗୁରୁବାର ଅଭିଯୋଗକାରୀଙ୍କୁ ଭୁଲ୍ଲରଙ୍କ ମୋହାଲି ସ୍ଥିତ କାର୍ଯ୍ୟାଳୟକୁ ପ୍ରଥମ କିସ୍ତି ଲାଞ୍ଚ ନେବା ପାଇଁ ଡକାଯାଇଥିଲା। ହେଲେ ଅଭିଯୋଗକାରୀ ପ୍ରଥମରୁ ଏନେଇ ସିବିଆଇ ନିକଟରେ ଅଭିଯୋଗ କରିଥିବାରୁ ଘଟଣାସମୟରେ ସିବିଆଇ ଭୁଲ୍ଲରଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା। ସେତେବେଳେ ଡିଆଇଜିଙ୍କ ସହ ଜଡିତ ଜଣେ ମଧ୍ୟସ୍ଥି କିର୍ଶାନୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଭୁଲ୍ଲର ତାଙ୍କ ମଧ୍ୟସ୍ଥି କ୍ରିଶାନୁଙ୍କ ମାଧ୍ୟମରେ ଅଭିଯୋଗକାରୀଙ୍କ ଉପରେ ଥିବା ଏକ ଏଫଆଇଆର ହଟାଇବା ପାଇଁ ଲାଞ୍ଚ ଦାବି କରିଥିଲେ। ଏହି କାମ ପାଇଁ ଭୁଲ୍ଲର ମାସିକିଆ କିସ୍ତି (ଲାଞ୍ଚ) ମଧ୍ୟ ମାଗିଥିଲେ ଏବଂ ଏହା ନ ଦେଲେ ଅଭିଯୋଗକାରୀଙ୍କୁ ବିଭିନ୍ନ ମିଥ୍ୟା ଅପରାଧିକ ମାମଲାରେ ଫସାଇ ଦିଆଯିବ ବୋଲି ଧମକ ଦେଇଥିଲେ। ଏନେଇ ଅଭିଯୁକ୍ତ ବ୍ୟକ୍ତି ଜଣକ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।
ଏହି ମାମଲା ସିବିଆଇ ନିକଟକୁ ଆସିବା ପରେ ଏହାର କଡା ଯାଞ୍ଚ ଆରମ୍ଭ ହୋଇଥିଲା। ଭୁଲ୍ଲର ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ଚଣ୍ଡିଗଡରୁ ଅଭିଯୁକ୍ତଙ୍କୁ ହ୍ୱାଟସଆପ ଯୋଗେ କଲ କରି କ୍ରିଶାନୁଙ୍କୁ ୮ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ତେବେ ଏହି ହ୍ୱାଟସଆପ ନମ୍ୱରକୁ ଯାଞ୍ଚ କରିବାରୁ ଏହା ଡିଆଇଜି ଭୁଲ୍ଲରଙ୍କର ବୋଲି ଜଣାପଡିଥିଲା। ଯାହାପରେ ସିବିଆଇ ଆକ୍ସନ ମୋଡରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାଲ ବିଛାଇବା ଆରମ୍ଭ କରିଥିଲା।
ଚଳିତ ମାସରେ ଲାଞ୍ଚ ନେବାପାଇଁ କ୍ରିଶାନୁ ଅଭିଯୋଗକାରୀଙ୍କ ସହ ଯୋଗାଯୋଗ କରିବା ପରେ ସିବିଆଇ ଘଟଣାସ୍ଥଳରେ ପୂର୍ବରୁ ଛପି ରହିଥିଲା। ଏହାପରେ ଅଭିଯୋଗକାରୀ ଲାଞ୍ଚ ଦେଉଥିବା ସମୟରେ ସିବିଆଇ କ୍ରିଶାନୁଙ୍କୁ ମାଡିବସିଥିଲା। ଯାହାପରେ କ୍ରିଶାନୁ ସମସ୍ତ କଥା ମାନିନେଇଥିଲେ।
ଭାରତୀୟ ନ୍ୟାୟ ସଂହିତା ଓ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଉଭୟ ଭୁଲ୍ଲର ଓ କ୍ରିଶାନୁଙ୍କୁ ଉପରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।