ମୁମ୍ବାଇ,୨୮/୦୯:ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) କ୍ଲେମ୍‌ ସେଟେଲ୍‌ମେଣ୍ଟ ନିୟମକୁ ସଂଶୋଧନ କରିଛି । ନୂଆ ନିୟମ  ଅନୁସାରେ, ବ୍ୟାଙ୍କଗୁଡ଼ିକ ନିଜ ମୃତକ ଗ୍ରାହକଙ୍କ ବ୍ୟାଙ୍କ ଖାତା କିମ୍ବା ଲକର୍‌ କ୍ଲେମ୍‌କୁ ଦସ୍ତାବିଜ ଦାଖଲର ୧୫ ଦିନ ମଧ୍ୟରେ ସେଟେଲ୍‌ କରିବେ । ଏଥିରେ ବିଳମ୍ବ ହେଲେ  ନୋମିନିଙ୍କୁ କ୍ଷତିପୂରଣ ଦେବେ ।

କେନ୍ଦ୍ରୀୟ ବ୍ୟାଙ୍କର ନୂଆ ମାର୍ଗଦର୍ଶିକା ଦ୍ୱାରା  ବ୍ୟାଙ୍କଗୁଡ଼ିକର ଭିନ୍ନ ଭିନ୍ନ ସେଟେଲ୍‌ମେଣ୍ଟ  ନିୟମ ଏକ ହୋଇଯିବ । ଫଳରେ ଗ୍ରାହକଙ୍କ  କ୍ଲେମ୍‌ଗୁଡ଼ିକୁ ସେଟେଲ୍‌ କରିବା ସହଜ  ହୋଇପାରିବ । ଆର୍‌ବିଆଇ ଗ୍ରାହକ ସେବାକୁ  ସୁଧାରିବା ପାଇଁ ଦସ୍ତାବିଜ୍‌ କାରବାରକୁ ବି  ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ନେଇଛି । ଦେଶର  ସମସ୍ତ ବ୍ୟାଙ୍କଗୁଡ଼ିକ ନୂଆ ନିୟମକୁ ୨୦୨୬ ମାର୍ଚ୍ଚ  ୩୧ ପୂର୍ବରୁ ଲାଗୁ କରିବେ ।

ଆର୍‌ବିଆଇ ପକ୍ଷରୁ ସେପ୍ଟେମ୍ବର ୨୬ରେ  ଏହି ନୂଆ ନିୟମକୁ ଜାରି କରାଯାଇଛି, ଯାହା  ଅଧୀନରେ ମୃତକ ଗ୍ରାହକଙ୍କ ବ୍ୟାଙ୍କ ଖାତା  କିମ୍ବା ଲକର୍‌ କ୍ଲେମ୍‌କୁ ୧୫ ଦିନରେ ସେଟେଲ୍‌  କରିବାକୁ ପଡ଼ିବ । ନୂଆ ନିୟମର ଲକ୍ଷ୍ୟ ହେଉଛି,  ଭିନ୍ନ ଭିନ୍ନ ସେଟେଲ୍‌ମେଣ୍ଟ ପ୍ରକ୍ରିୟାକୁ ଏକା  ପ୍ରକାର କରିବା ଏବଂ ଗ୍ରାହକ ସେବାକୁ ଉନ୍ନତ  ବନାଇବା । ଏହାସହିତ ଜରୁରୀ ଦସ୍ତାବିଜଗୁଡ଼ିକୁ  ଷ୍ଟାଣ୍ଡାର୍ଡ କରି ପ୍ରକ୍ରିୟାକୁ ସହଜ କରିବା ।  

ଆର୍‌ବିଆଇର ଏହି ନିର୍ଦ୍ଦେଶ ଦେଶର  ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଏବଂ ସମବାୟ  ବ୍ୟାଙ୍କଗୁଡ଼ିକ ପାଇଁ ଲାଗୁ ହେବ । ନୂଆ ନିୟମ  ମୃତକଙ୍କ ବ୍ୟାଙ୍କ ଖାତା, ସେଫ୍‌ ଡିପୋଜିଟ୍‌  ଲକର ଏବଂ ସେଫ୍‌ କଷ୍ଟଡିରେ ରଖାଯାଇଥିବା  ସାମଗ୍ରୀର କ୍ଲେମ୍‌ ଉପରେ ଲାଗୁ ହେବ ।

ଏ ନିର୍ଦ୍ଦେଶ ଉକ୍ତ ସରକାରୀ ସଞ୍ଚୟ  ଯୋଜନାଗୁଡ଼ିକ ଉପରେ ଲାଗୁ ହେବ ନାହିଁ,  ଯାହା ବ୍ୟାଙ୍କଗୁଡ଼ିକ ପକ୍ଷରୁ ପରିଚାଳିତ  ହୋଇଥାଏ । ଯେପରି ବରିଷ୍ଠ ନାଗରିକ ସଞ୍ଚୟ  ସ୍କିମ୍‌(ଏସ୍‌ସିଏସ୍‌ଏସ୍‌), ପବ୍ଲିକ୍‌ ପ୍ରୋଭିଡେଣ୍ଟ  ଫଣ୍ଡ୍‌(ପିପିଏଫ୍‌) ଇତ୍ୟାଦି । ଏଭଳି କ୍ଷେତ୍ରରେ  ସ୍କିମ୍‌ର ନିୟମ କିମ୍ବା ସର୍ତ୍ତାବଳୀ ହିସାବରେ କ୍ଲେମ୍‌  ସେଟେଲ୍‌ମେଣ୍ଟ୍‌ ହେବ ।  

ଯଦି ୧୫ ଦିନରେ କ୍ଲେମ୍‌ ସେଟେଲ୍‌  ନ ହୁଏ ତେବେ ବ୍ୟାଙ୍କକୁ ବିଳମ୍ବର କାରଣ  ଦର୍ଶାଇବାକୁ ପଡ଼ିବ । ଏହାସହିତ ବିଳମ୍ବ  ଅବଧି ପାଇଁ ବକେୟା ରାଶି ଉପରେ ବ୍ୟାଙ୍କ  ହାର୍ମ୪% ବାର୍ଷିକ ସୁଧ ଦେବାକୁ ପଡ଼ିବ ।  ଲକର୍‌ କିମ୍ବା ସେଫ୍‌ କଷ୍ଟଡିର କ୍ଲେମ୍‌  ସେଟେଲ୍‌ମେଣ୍ଟରେ ଯଦି ବିଳମ୍ବ ହୁଏ ତେବେ  ବ୍ୟାଙ୍କକୁ ପ୍ରତି ଦିନର ବିଳମ୍ବ ପାଇଁ ୫,୦୦୦  ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ।