ଅନୁଗୋଳ, ୧୬।୯ –ଅନୁଗୋଳ ଜିଲ୍ଲାର ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍(ଏମସିଏଲ) ପ୍ରକଳ୍ପର ୧୫ତମ ରିହାବିଲିଟେସନ ଆଣ୍ଡ୍ ପେରିଫେରି ଡେଭଲପମେଣ୍ଟ ଆଡଭାଇଜରି କମିଟି(ଆରପିଡିଏସି) ଏବଂ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡର ପୃଥକ ବୈଠକ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ ।
ଆରପିଡିଏସି ବୈଠକରେ ଜନସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଦିଗରେ ଏମସିଏଲ୍ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ସେହିପରି ଅନୁଗୋଳ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକରେ ଲୋକଙ୍କ ସ୍ୱାର୍ଥ ପାଇଁ ଉନ୍ନୟନ କାର୍ଯ୍ୟ ଏବଂ କଲ୍ୟାଣକାରୀ ପ୍ରକଳ୍ପ ବିଷୟରେ ଚର୍ଚ୍ଚା ହୋଇଛି । ଡିଏମଏଫ ପାଣ୍ଠିରୁ ହୋଇଥିବା ଅର୍ଥ ବିନିଯୋଗ ତଥା ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଆନୁଷଙ୍ଗିକ ଭିତ୍ତିଭୂମି, ପରିବେଶ ସୁରକ୍ଷା, ଗମନାଗମନ ଭଳି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଉପରେ ବିଚାରବିମର୍ଶ ହୋଇଥିଲା ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳର ତାଳଚେର ଓ ଛେଣ୍ଡିପଦା ବ୍ଲକରୁ ପ୍ରାୟ ୧୦୦ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ ହେଉଛି । ଚଳିତବର୍ଷ ୧୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । କୋଇଲାର ସବୁଠୁ ବଡ କଞ୍ଚାମାଲ ହେଉଛି ଜମି ଏବଂ ସ୍ଥାନୀୟ ଅଞ୍ଚଳର ଜମି ଅଧିଗ୍ରହଣ କରିବାର ସ୍ପଷ୍ଟ ନୀତିର ନିର୍ଦ୍ଧାରଣ ମଞ୍ଚ ହେଉଛି ଆରପିଡିଏସି । ଲୋକଙ୍କ ସୁବିଧା ପାଇଁ ଏହି ବୈଠକ ଗତ ଫେବୃୟାରୀ ବସିଥିବା ବେଳେ ଆଜି ଏବଂ ଚଳିତବର୍ଷ ଶେଷରେ ବୈଠକ ହେବାର ନିଷ୍ପତ୍ତି ହୋଇଛି ।
ଲୋକମାନଙ୍କର ସବିଶେଷ ତଥ୍ୟକୁ ବିସ୍ତୁତ ଭାବେ ଜାଣିବା ପାଇଁ ଆରପିଡିଏସି ଦ୍ୱାରା ଅନେକ ପଲିସି ନିର୍ଣ୍ଣୟ ହୋଇଛି । ଏଥିପାଇଁ ଏକ ବିଶେଷ କମିଟିର ମଧ୍ୟ ପରିକଳ୍ପନା ହୋଇଛି । ଲୋକଙ୍କ ସୁବିଧା ଅନୁସାରେ ଜମି ଅଧିଗ୍ରହଣ କରିବାର ବ୍ୟବସ୍ଥା କରିବା ଉପରେ ନୀତି ପ୍ରସ୍ତୁତ ହୋଇଛି । ଭାରତ ଓ ରାଜ୍ୟ ସରକାରଙ୍କ ଆଇନ ଏବଂ ନୀତି ଅନୁସାରେ ଲୋକମାନେ ବା ବିସ୍ଥାପିତମାନେ ଅଧିକ ଉପକୃତ ହେବା ସହ ଅଧିକ କ୍ଷତିପୂରଣ ପାଇବେ, ସେଥିପାଇଁ ପଦକ୍ଷେପ ନିଆଯିବ । ସମ୍ଭାବ୍ୟ ସହାୟତା ପାଇଁ କୋଲ୍ ଇଣ୍ଡିଆ ତରଫରୁ ମଧ୍ୟ ବ୍ୟବସ୍ଥା ହୋଇଛି । ବୈଠକରେ ପ୍ରଦୂଷଣ ରୋକିବା ସହ କୃତ୍ରିମ ଜଙ୍ଗଲ ସୃଷ୍ଟି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାକୁ ସାକାର କରିବା ଲକ୍ଷ୍ୟରେ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବାରୁ କୋଲ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଅନୁଗୋଳ, ଛେଣ୍ଡିପଦା ଓ ତାଳଚେର ବିଧାୟକ ଏବଂ ଅନୁଗୋଳ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଓ ଏମସିଏଲ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।