ନୂଆଦିଲ୍ଲୀ,୧୮/୦୯: ଲୋକସଭା ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାର ନର୍ବାଚନ ପୂର୍ବରୁ ପୁଣି ଥରେ 'ଭୋଟ ଚୋରି' ପ୍ରସଙ୍ଗ ଉଠାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ କମିଶନ ଜ୍ଞ୍ୟାନେଶ କୁମାର ଭୋଟ ଚୋରଙ୍କୁ ରକ୍ଷା କରୁଛନ୍ତି । ଏ କଳାଧଳା ପ୍ରମାଣ ହିଁ କହୁଛି, ଗଣତନ୍ତ୍ରକୁ ଧ୍ୱଂସ କରୁଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ସୁରକ୍ଷା ଦେଉଛନ୍ତି ତାହାର କୌଣସି ଦ୍ବନ୍ଦ ନାହିଁ । କର୍ଣ୍ଣାଟକ ସିଆଇଡି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୧୮ ଥର ଚିଠି ଲେଖିଛନ୍ତି କିନ୍ତୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଗୋଟିଏ ଥର ବି ଉତ୍ତର ମିଳିନି । ଯେଉଁଠି କଂଗ୍ରେସ ଶକ୍ତିଶାଳୀ ସେଠାରେ ଭୋଟର ଲିଷ୍ଟ ଡିଲିଟ୍ ଫେକ୍ ଲଗ୍ ଇନ୍ ଜରିଆରେ ଭୋଟର ଲିଷ୍ଟ ଡିଲିଟ ହୋଇଛି । ଏହା ସୁନିୟୋଜିତ, ୧୦ ବର୍ଷ ହେଲାଣି ଏଭଳି ଭୋଟ୍ ଚୋରି ଚାଲିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
'ଭୋଟ ଚୋରି' ଅଭିଯୋଗ ଆଣି ରାହୁଲ କହିଛନ୍ତି, ୩୬ ସେକେଣ୍ଡରେ ୨ଟି ଫର୍ମ ଭରା ଯାଇଥିଲା । ୧୪ ମିନିଟରେ ୧୨ ଭୋଟ ଡିଲିଟ ହୋଇଛି । ନିର୍ବାଚନ କମିଶନ ଭାରତୀୟ ଗଣତନ୍ତ୍ରକୁ ନଷ୍ଟ କରୁଥିବା ଲୋକଙ୍କୁ ସୁରକ୍ଷା ଦେବା ବନ୍ଦ କରିବା ଆବଶ୍ୟକ । ଆମେ ୧୦୦% ବୁଲେଟପ୍ରୁଫ୍ ପ୍ରମାଣ ଦେଇଛୁ । ନିର୍ବାଚନ କମିଶନଙ୍କୁ ଏହି ଫୋନ୍, ଓଟିପି ଗୁଡ଼ିକର ଏହି ତଥ୍ୟ ଗୋଟିଏ ସପ୍ତାହ ମଧ୍ୟରେ ଦେବାକୁ ପଡିବ । ମହାରାଷ୍ଟ୍ରର ରାଜୁରାରେ ୬୮୧୫ ଟାର୍ଗେଟ୍ ଭୋଟର ଯୋଡା ଯାଇଥିଲା ।କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ୟୁପିରେ ସବୁଠି ଭୋଟ ଚୋରି ହେଉଛି । ଆମ ପାଖରେ ଏହାର ପ୍ରମାଣ ଅଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହା ଗତ ୧୦-୧୫ ବର୍ଷ ଧରି ଚାଲିଛି । ଏହା ଏକ ବ୍ୟବସ୍ଥା ହୋଇଛି । ଗଣତନ୍ତ୍ରକୁ ଅପହରଣ କରାଯାଇଛି । ଗଣତନ୍ତ୍ରକୁ କେବଳ ଭାରତର ଲୋକମାନେ ରକ୍ଷା କରିପାରିବେ। ଅନ୍ୟ କେହି ଗଣତନ୍ତ୍ରକୁ ରକ୍ଷା କରିପାରିବେ ନାହିଁ । "
କ'ଣ କହିଲେ ଇସି ? ରାହୁଲ ଗାନ୍ଧୀଙ୍କ 'ଭୋଟ ଚୋରି' ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ନିର୍ବାଚନ କମିଶନ । ଏକ୍ସରେ ପୋଷ୍ଟ କହି ଇସି କହିଛନ୍ତି, ଅନଲାଇନରେ କୌଣସି ଭୋଟ ଚୋରି ହୋଇ ପାରିବନାହିଁ । ପ୍ରଭାବିତ ବ୍ୟକ୍ତିଙ୍କୁ ଶୁଣାଯିବାର ସୁଯୋଗ ନ ଦେଇ କୌଣସି ଭୋଟ୍ ଡିଲିଟ୍ କରାଯାଇପାରିବ ନାହିଁ । ୨୦୨୩ ମସିହାରେ, ଆଲାଣ୍ଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ନାମ ଡିଲିଟ୍ କରିବା ପାଇଁ କିଛି ଅସଫଳ ପ୍ରୟାସ କରାଯାଇଥିଲା ଏବଂ ଏହି ମାମଲାର ତଦନ୍ତ ପାଇଁ ନିର୍ବାଚନ କମିଶନଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ଏଫଆଇଆର ଦାୟର କରାଯାଇଥିଲା ।