କେନ୍ଦୁଝର ସଦର,୧୦/୯ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ଢିପାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରେ ୨ ଜଣ ଛାତ୍ରଛାତ୍ରୀ, ପ୍ରଥମ ଶ୍ରେଣୀରେ ୩, ଦ୍ବିତୀୟରେ ୮, ତୃତୀୟରେ ୩, ଚତୁର୍ଥରେ ୩, ପଞ୍ଚମରେ ୬ ମିଶି ୨୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଥିବାବେଳେ ଏମାନଙ୍କ ପାଇଁ ଜଣେ ମାତ୍ର ଶିକ୍ଷକ ନିୟୋଜିତ ଅଛନ୍ତି । ତାହା ମଧ୍ୟ ଉକ୍ତ ବିଦ୍ୟାଳୟର ନୁହେଁ।
ବିଦ୍ୟାଳୟର ସ୍ଥାୟୀ ଶିକ୍ଷୟିତ୍ରୀ ସସ୍ମିତା ପଣ୍ଡା ଗତ ୨୨/୭/୨୦୨୫ରେ ସିଆରସିସି ପଦବୀରେ ଚାଲିଯିବା ପରେ କାମ ଚଳା ଭାବେ ଦାବାଙ୍କ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମଙ୍ଗଲସିଂ ମୁଣ୍ଡା ଡେପୁଟେଶନରେ ଆସି ବିଦ୍ୟାଳୟ ଚଳାଉଛନ୍ତି । ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଏକା ପାଠ ପଢ଼ାଇଲାବେଳେ ଜଣେ ଶିକ୍ଷକରେ ଅଡ଼ୁଆ ସୃଷ୍ଟି ହେଉଛି । ଛୋଟ ପିଲାଙ୍କୁ ସମ୍ଭାଳିବା ଜଣେ ଶିକ୍ଷକରେ କଷ୍ଟ ଦାୟକ ହୋଇପଡ଼ିଛି । ସେପଟେ ବିଦ୍ୟାଳୟରେ ଶିକ୍ଷକ ନାହାଁନ୍ତି ବୋଲି ସାହିର ଅନେକ ପିଲା ବାଧ୍ୟ ହୋଇ ଖର୍ଚ କରି ଘରୋଇ ବିଦ୍ୟାଳୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି ବୋଲି ଅଭିଭାବକମାନେ କୁହନ୍ତି।
ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ କଡ଼ରେ ହୋଇଥିଲେ ମଧ୍ୟ ଆଜି ଯାଏଁ ସୁରକ୍ଷା ପାଚେରୀ ନିର୍ମାଣ ହୋଇ ନାହିଁ। ଫଳରେ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ମଧ୍ଯ ହୋଇପାରୁନାହିଁ। କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ବନ୍ୟ ଜନ୍ତୁ ପ୍ରତି ବିପଦ ମଧ୍ଯ ରହିଛି । ଏ ନେଇ ମଣ୍ଡଳ ଶିକ୍ଷାଧିକାରୀ ଓଁକାର ଅନ୍ୱେଷଙ୍କୁ ପଚାରିବାରୁ କୁହନ୍ତି ବିଦ୍ୟାଳୟରେ ଶିକ୍ଷକ ଜଣେ ଅଛନ୍ତି ପାଠ ପଢ଼ାରେ ଅନେକ ସମସ୍ୟା ହେଉଛି । ଖୁବଶୀଘ୍ର ଜଣେ ଶିକ୍ଷକ ନିୟୋଜିତ କରିବା ପାଇଁ ପ୍ରକ୍ରିୟା କରଣ ଜାରି ରହିଛି ବୋଲି କହିଛନ୍ତି ।