ନୂଆଦିଲ୍ଲୀ,୨୭।୮: ରାଜସ୍ଥାନ ହାଇକୋର୍ଟରୁ ଆଶାରାମଙ୍କୁ ବଡ଼ ଝଟକା। ୨୦୨୫ ଜାନୁଆରୀ ତୃତୀୟ ସପ୍ତାହରୁ ଲଗାତାର ଜେଲରୁ ବାହାରେ ଥିବା ଆଶାରାମଙ୍କ ଅନ୍ତରୀଣ ଜାମିନକୁ ବୃଦ୍ଧି କରିବାକୁ ହାଇକୋର୍ଟ ମନା କରିଦେଇଛି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ, ଏବେ ଆଶାରାମଙ୍କୁ ପୁଣି ଥରେ ଯୋଧପୁର କେନ୍ଦ୍ରୀୟ କାରାଗାରରେ ଆତ୍ମସମର୍ପଣ କରିବାକୁ ପଡିବ।
ସୂଚନା ଅନୁଯାୟୀ, ରାଜସ୍ଥାନ ହାଇକୋର୍ଟରେ ଆଶାରାମଙ୍କ ଦ୍ୱାରା ତାଙ୍କର ଅନ୍ତରୀଣ ଜାମିନ ବୃଦ୍ଧି ପାଇଁ ଏକ ଆବେଦନ ଦାଖଲ କରାଯାଇଥିଲା। ବିଚାରପତି ଦିନେଶ ମେହେଟ୍ଟା ଏବଂ ବିଚାରପତି ବିନୀତ କୁମାର ମାଥୁରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ଅଗଷ୍ଟ ୨୯ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ବୃଦ୍ଧି କରିବା ସହିତ କୋର୍ଟ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ତିନି ବରିଷ୍ଠ ଡାକ୍ତରଙ୍କ ଏକ ମେଡିକାଲ୍ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ଦୁଇଜଣ ହୃଦ୍ରୋଗ ଏବଂ ଜଣେ ନ୍ୟୁରୋଲୋଜି ବିଶେଷଜ୍ଞ ଥିଲେ। ଆଶାରାମଙ୍କୁ ପରୀକ୍ଷା କରିବା ପରେ, କୋର୍ଟ ମେଡିକାଲ୍ ବୋର୍ଡର ରିପୋର୍ଟକୁ ଇମେଲ୍ ମାଧ୍ୟମରେ ରେଜିଷ୍ଟ୍ରାର ଜୁଡିସିଆଲ୍ଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଶୁଣାଣି ସମୟରେ, ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ୍ ରିପୋର୍ଟ ଦେଖିବା ପରେ କୋର୍ଟ ଆଶାରାମଙ୍କ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ମନା କରିଦେଇଥିଲେ। ଏହି ନିଷ୍ପତ୍ତି ଆଶାରାମଙ୍କୁ ବଡ଼ ଝଟକା ଦେଇଛି।
ଆଶାରାମଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ସେ ଗୁଜରାଟ ହାଇକୋର୍ଟରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି, ତେଣୁ ତାଙ୍କ ଜାମିନକୁ ବୃଦ୍ଧି କରାଯିବା ଉଚିତ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଏବଂ ରାଜ୍ୟ ଆଡଭୋକେଟ୍ ଦୀପକ ଚୌଧୁରୀ କହିଛନ୍ତି ଯେ ସିଭିଲ୍ ହସ୍ପିଟାଲର ରିପୋର୍ଟ ଅନୁଯାୟୀ, ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, ତେଣୁ ତାଙ୍କ ଜାମିନକୁ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ। ରିପୋର୍ଟ ଦେଖିବା ପରେ, ହାଇକୋର୍ଟ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି। ତଥାପି, କୋର୍ଟ ଆଶାରାମଙ୍କୁ ଏହି ସ୍ୱାଧୀନତା ଦେଇଛନ୍ତି ଯେ ଯଦି ସେ ଭବିଷ୍ୟତରେ ଅସୁସ୍ଥତାର ଆଶଙ୍କା କରନ୍ତି, ତେବେ ସେ ତୁରନ୍ତ ଚିକିତ୍ସା ନେଇପାରିବେ ଏବଂ ହାଇକୋର୍ଟରେ ନୂତନ ଆବେଦନ କରିପାରିବେ।
୨୦୧୩ ମସିହାରେ ଆଶାରାମ ଯୋଧପୁରର ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ଅଗଷ୍ଟ ୩୧ରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ଏହାପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍ରେ ରଖାଯାଇଥିଲା। ସେବେଠୋରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।