ନୂଆଦିଲ୍ଲୀ ୦୭/୦୯: ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସ୍ନାଲ ମୁଭି (ଏସ୍ଆଇଆଇଏମ୍ଏ) ଆୱାର୍ଡସ-୨୦୨୫ ପାଇଁ ଦୁବାଇରେ ଅଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ରଶ୍ମିକାଙ୍କର ନିର୍ବନ୍ଧ ଶେଷ ହୋଇଛି । ତାଙ୍କ ବାମ ହାତର ଅନାମିକା ଆଙ୍ଗୁଳିରେ ହୀରା ମୁଦି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ମୁଦି ଦେଖି ସୋସିଆଲ ମିଡିଆ ୟୁଜର୍ ଅନୁମାନ କରୁଛନ୍ତି, ରଶ୍ମିକା ଓ ବିଜୟ ଦେବରକୋଣ୍ଡାଙ୍କର ଗୋପନରେ ନିର୍ବନ୍ଧ ଶେଷ ହୋଇଛି ।
ଭାଇରାଲ ଭିଡିଓରେ ବିମାନବନ୍ଦରରୁ ବାହାରିବା ସମୟରେ ରଶ୍ମିକା ସାଧାରଣ ପୋଷାକରେ ଦେଖାଯାଇଥିଲେ । ଗାଡ଼ିରେ ବସିବା ପୂର୍ବରୁ ଗଣମାଧ୍ୟମକୁ ହାତ ହଲାଇ ସେ ହେଲୋ କହିଲେ । ଏତିକିବେଳେ ତାଙ୍କ ଆଙ୍ଗୁଳିରେ ମୁଦି ଦେଖିବାକୁ ମିଳିଲା । ଏହା ପରଠୁ ୟୁଜର୍ କହୁଛନ୍ତି, ରଶ୍ମିକା ଏଣିକି ରଶ୍ମିକା ଦେବରକୋଣ୍ଡା ହୋଇଗଲେ । ଏସ୍ଆଇଆଇଏମ୍ଏ ଆୱାର୍ଡସରେ ଶାଢ଼ି ପିନ୍ଧି ରେଡ୍ କାର୍ପେଟ୍କୁ ଓହ୍ଲାଇଥିବାବେଳେ ରଶ୍ମିକାଙ୍କ ଆଙ୍ଗୁଳିରେ ମୁଦି ଦେଖିବାକୁ ମିଳିଥିଲା ।
ତେବେ ରଶ୍ମିକା-ବିଜୟଙ୍କ ଡେଟିଂ ଗୁଜବ ବେଶ କିଛି ସମୟ ହେଲା ଟ୍ରେଣ୍ଡ୍ରେ ରହିଛି । ଉଭୟଙ୍କ ଅନ୍ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ କେମିଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ନିକଟରେ ନ୍ୟୁୟର୍କ ସିଟିରେ ଆୟୋଜିତ ୪୩ତମ ଇଣ୍ଡିଆ ଡେ ପରେଡ୍ରେ ଦୁହିଁଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା । ଭାଇରାଲ ଭିଡିଓରେ ଉଭୟ ମ୍ୟାନ୍ହାଟନ ସଡ଼କରେ ହାତଧରି ଚାଲୁଥିଲେ । କ୍ୟାମେରାକୁ ଦେଖିବା ମାତ୍ରେ ଦୁହେଁ ତୁରନ୍ତ ହାତ ଛାଡ଼ିଦେଲେ ଏବଂ ହସି ହସି ଫ୍ୟାନ୍ଙ୍କୁ ହାତ ହଲାଇ ଅଭିବାଦନ ଜଣାଇଲେ ।