ପ୍ରତ୍ୟେକ ସଂପର୍କ କିଛି ତ୍ୟାଗ ଦାବି କରେ । ପ୍ରଥମ ଦାବି ହେଲା ଅହଂକାର ତ୍ୟାଗ । ସ୍ୱାର୍ଥରହିତ ବ୍ୟକ୍ତି ଅସମ୍ଭବ ଏବଂ ସ୍ୱାର୍ଥ ଯଦି ନାହିଁ ବ୍ୟକ୍ତିର ଅସ୍ମିତା ମଧ୍ୟ ସନ୍ଦେହାଚ୍ଛନ୍ନ । କିନ୍ତୁ ସ୍ୱାର୍ଥ, ଅହଂତ୍ୟାଗ ମାଧ୍ୟମରେ ଉଜ୍ୱଳ ହେବାକୁ ପଡ଼ିବ । ସଂପର୍କର ମାଧୁର୍ଯ୍ୟ ପାଇବାକୁ ହେଲେ ଅହଂତୃପ୍ତିର କେତେକ ଅଂଶ ତ୍ୟାଗ କରିବାକୁ ହେବ ଉଭୟଙ୍କ ପାଇଁ ।

ମଣିଷ ବୋଧହୁଏ ଏକମାତ୍ର ପ୍ରାଣୀ ଯିଏ ସଂପର୍କ ସୃଷ୍ଟିକରେ । ମଣିଷ ଶିଶୁର ଅସହାୟତା ଏହାର କାରଣ ହେଇପାରେ । କିନ୍ତୁ ମଣିଷ ଯେହେତୁ ମେଧାଯୁକ୍ତ ଏବଂ ଅବେଗମୟ ସେ ଏକା ରହିବାକୁ ଚାହେଁନାହିଁ । ପଶୁ ଏକା ରହିପାରେ କେବଳ ଅସ୍ତିତ୍ୱ ଭୟ ଆସିଲେ । ସଂଘବଦ୍ଧ ହୁଏ । ମଣିଷ ବି ସଂଘବଦ୍ଧ ହୁଏ ସ୍ଥିତି ଭୟ ସୃଷ୍ଟିହେଲେ । ମଣିଷ ଅନ୍ୟ ସମସ୍ତ ଜୀବଠାରେ ଅଲଗା, କାରଣ ମଣିଷ ସଂସ୍କୃତି ଓ ସଭ୍ୟତା ଗଢ଼େ । ଦୁଇଟି ବିଶେଷ ଗୁଣ ମାଧ୍ୟମରେ ମଣିଷ ସାମାଜିକତା ଓ ଆଧ୍ୟାତ୍ମିକା ସୃଷ୍ଟିକରେ । ସେ ଦୁଇଟି ହେଲେ ପ୍ରେମ ଓ ଭକ୍ତି । ଏହି ଦୁଇଟି ଭାବଐଶ୍ୱର୍ଯ୍ୟ ମଣିଷକୁ ଛାଡ଼ିଦେଲେ ଆଉ କାହା ପାଖେ ନାହିଁ । ପ୍ରେମ ମାଧ୍ୟମରେ ସେ ପରିବାର, ସମାଜ ଗଢ଼େ ଏବଂ ଏହି ସମାଜକୁ ସୁଦୃଢ଼ ରଖିବା ଲାଗି ସେ ଭକ୍ତି କରେ କେତୋଟି ଦୈବୀ ଶକ୍ତିକୁ । ଈଶ୍ୱରବିଶ୍ୱାସ ମଣିଷକୁ ସ୍ଥିତି, ଆଶ୍ୱାସନା ଦିଏ ଏବଂ ପ୍ରେମ ମଣିଷକୁ ସାମାଜିକ ସ୍ଥିରତା ଦିଏ । ତେଣୁ ମଣିଷ ଏକା ରହିପାରେନାହିଁ । ସଂସାରତ୍ୟାଗୀ ସନ୍ନ୍ୟାସୀ ମଧ୍ୟ ଏକା ନୁହେଁ । ଯେହେତୁ ସେ ଈଶ୍ୱର ଓ ଅନ୍ୟ ଶକ୍ତିମାନଙ୍କୁ ଭକ୍ତିରେ ଯୋଡ଼ିଦିଏ ତାର ଅଧ୍ୟାତ୍ମ ସାଧନାରେ । ଗ୍ରୀକ ଦାର୍ଶନିକ ଏରିଷ୍ଟୋଟଲ ଯଥାର୍ଥରେ କହନ୍ତି- ଯିଏ ଏକାକୀ ରହେ ସେ ହୁଏତ ଈଶ୍ୱର ବା ପଶୁ । ସଂପର୍କ ତେଣୁ ମଣିଷ ଜୀବନ ଲାଗି ଅନସ୍ୱୀକାର୍ଯ୍ୟ ବାସ୍ତବ । ଏହି ବାସ୍ତବକୁ ବ୍ୟକ୍ତି ବା ଗୋଷ୍ଠୀ ଅତିକ୍ରମ କରିପାରେନାହିଁ । ସଂପର୍କର ପ୍ରଥମ ପରିଚୟ ହେଲା ପ୍ରେମ । ପ୍ରତ୍ୟେକ ପୁରୁଷ, ନାରୀ ଜଣେ ଅନ୍ତରଙ୍ଗ ସାଥୀ ଚାହେଁ । ଦୁହେଁ ମିଶି ଏକ ସଂସାର ଗଢ଼ନ୍ତି ଏବଂ ସମାଜ, ସଂସ୍କୃତି, ସଭ୍ୟତାର ସବୁ ନିର୍ଦ୍ଦେଶ ସ୍ୱୀକାର କରନ୍ତି । ପ୍ରେମ ପ୍ରସାରିତ ହୋଇ ପରିବାର ଡେଇଁ ସମାଜକୁ ମଧ୍ୟ ଆପଣାର କରେ । ଆସ୍ଥା, ଭକ୍ତି, ବିଶ୍ୱାସ ଓ ପର୍ବପବାଣିର ଉପଚାର, ଆଡମ୍ବର ମଧ୍ୟ ଗ୍ରହଣ କରେ । ପ୍ରେମ ଓ ଭକ୍ତି ମିଶି ଏକ ସମୃଦ୍ଧ ଉନ୍ନତ ଜୀବନଧାରା, ଜୀବନ ଦର୍ଶନ ସୃଷ୍ଟିହୁଏ । ସଂପର୍କ ତେଣୁ ମଣିଷର ସୁସ୍ଥ ଜୀବନ ଲାଗି ଅପରିହାର୍ଯ୍ୟ ।
ସଭ୍ୟତା ଲୋକସଂଖ୍ୟା ବୃଦ୍ଧି, ଅର୍ବାନ ବିସ୍ଫୋରଣ ପ୍ରଭୃତି ଯୋଗୁଁ ସଂପର୍କର ଅର୍ଥ ବିସ୍ତାରିତ ହୋଇଯାଏ । ଜମିଦାର-ଚାଷୀ ସଂପର୍କ ସହ କର୍ପୋରେଟ ବିଶ୍ୱରେ ଶ୍ରମିକ-ମାଲିକ ସଂପର୍କ ବଦଳିଯାଏ । ଆଇ.ଟି., ଏ.ଆଇ. କ୍ଷେତ୍ର ମଣିଷ ଓ ପ୍ରକୃତିର ସଂପର୍କ ମଧ୍ୟ ବଦଳାଇ ଦିଏ । ରାଜନୀତିରେ ସଂପର୍କ ଭିନ୍ନ ରୂପ ନିଏ । ରାଜନୀତିକ, କୂଟନୀତିକ, ଅର୍ଥନୀତିକ ସଂପର୍କ ଉଭୟ ଆନ୍ତର୍ଜାତିକ ଓ ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ସଂପର୍କକୁ ନୂଆ ରୂପ ଦିଏ । ଅର୍ଥାତ୍ ମଣିଷର ଆତ୍ମିକ- ପାରିବାରିକ-ସାମାଜିକ ସଂପର୍କ ବାହାରେ ଦେଶ-ଦେଶ ମଧ୍ୟରେ ସଂପର୍କ ରାଜନୀତିକ, ବାଣିଜ୍ୟିକ ଓ ସାଂସାରିକ, କୂଟନୈତିକ ଇତ୍ୟାଦି ହୋଇଯାଏ । ଏପରି କ୍ଷେତ୍ର ବ୍ୟକ୍ତି ବହୁ ବିଭାଜିତ ହେବାକୁ ବାଧ୍ୟହୁଏ । ବ୍ୟକ୍ତି ଘର ଭିତରେ ପିତାମାତା, ପତ୍ନୀ ପୁତ୍ର କନ୍ୟା ସହ ଯେଉଁ ସଂପର୍କ ରଖେ ସେଥିରେ ଡିଗ୍ରୀର ପ୍ରଭେଦ ରହେ । ପିତାମାତା ଆଦର, ଭକ୍ତି ଓ କର୍ତ୍ତବ୍ୟର ଏକ ସମନ୍ୱିତ ସଂପର୍କ । ପତ୍ନୀ ସହ ସଂପର୍କ ପ୍ରେମାଧାରିତ, ସନ୍ତାନମାନଙ୍କ ସହ ବ୍ୟକ୍ତିର ସଂପର୍କ ଆବେଗ, ସ୍ନେହ, କର୍ତ୍ତବ୍ୟ ଓ ସ୍ନେହଜଡ଼ିତ ସଂପର୍କ । ପଡ଼ୋଶୀ ସହିତ ସଂପର୍କ ସ୍ୱାର୍ଥପ୍ରଣୋଦିତ ଗୋଷ୍ଠୀ ମନୋଭାବର ଏକ ସଂସ୍କରଣ । କର୍ମକ୍ଷେତ୍ରରେ ସେ ଦେଶ ଜାତି ପାଇଁ ଭବିଷ୍ୟତ ପିଢ଼ିମାନଙ୍କର ସମୃଦ୍ଧି ଲାଗି କର୍ତ୍ତବ୍ୟ କରେ । ନିର୍ଲିପ୍ତ, ନିରଳସ ଭାବେ ସେ କାମ କରେ । ସେଠି ଆବେଗ ପ୍ରେମ ଅପେକ୍ଷା ଦେଶାନୁରକ୍ତି, ଆନୁଗତ୍ୟ ପ୍ରଭୃତି ସଂପର୍କ ରହେ । ଯାହା ପରିବାର ସହିତ ସଂପର୍କଠାରୁ ଅଲଗା । ଯଦି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା- ଦେଶରକ୍ଷା, ବିଦେଶ ନୀତି ବା କୂଟନୀତିରେ କାର୍ଯ୍ୟ କରେ ସେ କମ୍ କଥା କହେ ଏବଂ ପତ୍ନୀକୁ ମଧ୍ୟ ଗୁପ୍ତକଥା କହେନାହିଁ । ବ୍ୟାଙ୍କ କର୍ମଚାରୀ, ପୁଲିସ, ଇଡି-ସିବିଆଇ ଇତ୍ୟାଦି ବିଭାଗରେ ଯେଉଁମାନେ କାମ କରନ୍ତି ସେମାନେ ପ୍ରାୟ ଅସଂପର୍କିତ ରହିବା ଲାଗି ଚେଷ୍ଟା କରନ୍ତି । ଆବଶ୍ୟକ ନହେଲେ ନିଜର ପରିଚୟ ମଧ୍ୟ ଗୁପ୍ତ ରଖନ୍ତି । ରାଜ୍ୟର ବା ଦେଶର ପ୍ରଧାନ, ମୁଖ୍ୟ ଏବଂ ବିଭାଗୀୟ ମନ୍ତ୍ରୀମାନେ ଗମ୍ଭୀର ଭାବେ କାମ କରନ୍ତି । ନିଜର ମନୋଭାବ ମଧ୍ୟ ଜଣାନ୍ତିନାହିଁ । ତେଣୁ ଆଜିର ଜୀବନଶୈଳୀରେ ମଣିଷ ବିଭିନ୍ନ ସଂପର୍କର ମୁଖା ପିନ୍ଧିବାକୁ ବାଧ୍ୟହୁଏ । ଜଣେ କୌତୁକପ୍ରବଣ ବ୍ୟକ୍ତି ମଧ୍ୟ କର୍ପୋରେଟ ସେକ୍ଟରରେ, ବ୍ୟବସାୟରେ ଗମ୍ଭୀର ହେବାକୁ ପଡ଼େ, ନଚେତ୍ ସେ କେବଳ କ୍ଷତିଗ୍ରସ୍ତ ହେବନାହିଁ, ଅନେକ ତାକୁ ଅଯୋଗ୍ୟ ମଧ୍ୟ କହିବେ । ତେଣୁ ଆଜିର ପୃଥିବୀରେ ସଂପର୍କ ଆବେଗମୁକ୍ତ । ଜଣେ ଅଧ୍ୟାପକ ଯେତେବେଳେ ଶ୍ରେଣୀରେ ପାଠ ପଢ଼ାଏ, ସେ ଏକ ଅଲଗା ବ୍ୟକ୍ତି ପାଲଟେ । ତାର ବ୍ୟକ୍ତିଗତ ମନୋଭାବ ଗୋପନ କରି ସେ ଏକ ନିର୍ଦ୍ଦିଷ୍ଟ ବିଷୟରେ ଭାଷଣ ଦିଏ ।
କାବ୍ୟ କବିତା, ସଂଗୀତ ପ୍ରଭୃତି ସୂକ୍ଷ୍ମକଳାରେ ଆମେ ସଂପର୍କର ସେତୁ ବାନ୍ଧୁ ଶବ୍ଦରେ, ସ୍ୱରରେ, ରଙ୍ଗରେ । ଆଜିର ସମୃଦ୍ଧ ବିଶ୍ୱରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ସଂପର୍କର ସେତୁ ଗଢ଼ାଯାଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏସବୁ ସଂପର୍କ ସୃଷ୍ଟି କେବଳ ଅର୍ଥଲାଳସା ଦୃଷ୍ଟିରୁ କରାଯାଏ । ବଡ଼ ବଡ଼ ନେତାଙ୍କୁ ବିଦେଶରୁ ଡାକି ଆମର ସୂକ୍ଷ୍ମ, ସ୍ଥୂଳ ଏବଂ ଶକ୍ତିର ପ୍ରଦର୍ଶନ କରାଯାଏ । ଗୋଟିଏ ଦିଗରୁ ଏହା ସାଂସ୍କୃତିକ ମନୋରଞ୍ଜନ, କିନ୍ତୁ ଅନ୍ୟ ଦୃଷ୍ଟିରୁ ଏହା ପଛରେ ଥାଏ ବଡ଼ ଆର୍ଥିକ ଥୋପ । ଆମେରିକା ଭାରତକୁ ବନ୍ଧୁର ମର୍ଯ୍ୟାଦା ଦେଇ ସବୁଠାରୁ ଦାମିକା ଏଫ୩୫ ଯୁଦ୍ଧବିମାନ କିଣିବାକୁ କହେ³ ଭାରତ ମଧ୍ୟ ଟାରିଫକୁ ସାମାନ୍ୟ କରିବା ଲାଗି ବାରମ୍ବାର ବନ୍ଧୁତାର ପ୍ରଦର୍ଶନ ମାଧ୍ୟମରେ ବାଣିଜ୍ୟ ବୃଦ୍ଧି କରିବାକୁ ଚାହେଁ । ଅବଶ୍ୟ ଏଥିରେ କିଛି କ୍ଷତି ନାହିଁ, କାରଣ ଆଜିର ପୃଥିବୀରେ ବାଣିଜ୍ୟିକ ସଂପର୍କ ପାଇଁ ସବୁ କରାଯାଏ । ଚୀନ ସାଗର, ଭାରତ ମହାସାଗର ଅଞ୍ଚଳ ଉପରେ ପୂର୍ଣ୍ଣ ଅଧିକାର ପାଇଁ ଚୀନ ତାଇୱାନକୁ ସଂପୂର୍ଣ୍ଣ ଗିଳିଦେବାକୁ ଚାହେଁ ଏବଂ ଶ୍ରୀଲଙ୍କା ମାଳଦ୍ୱୀପରେ ଘାଟି ନିର୍ମାଣ କରିବାକୁ ଚାହେଁ । ଭାରତ ମଧ୍ୟ ତାହା ଚାହେଁ । ତେଣୁ ବନ୍ଧୁତା ଓ ମଧୁର ସଂପର୍କ ସୃଷ୍ଟି ବାହାନାରେ ଅନେକ ଆର୍ଥିକ ଓ ସାମରିକ ସାହାଯ୍ୟ କରାଯାଏ । ଏକଥା ସତ ଯେ, ଆଜି ବିଶ୍ୱରେ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ସହିତ ସଂପର୍କ ବିନା ତିଷ୍ଠିପାରିବ ନାହିଁ । ଆତ୍ମନିର୍ଭରଶୀଳତାର ଏକ ସୀମା ଅଛି । ମଣିଷ ଶିଶୁ ଯେପରି ଅନ୍ୟ ସଂପର୍କିତମାନଙ୍କ ସହଯୋଗ ବିନା ତିଷ୍ଠି ପାରେନାହିଁ, ଦେଶ-ରାଷ୍ଟ୍ର ମଧ୍ୟ ଅନ୍ୟ ରାଷ୍ଟ୍ର ସହିତ ଅସଂପର୍କିତ ହୋଇ ତିଷ୍ଠିପାରିବ ନାହିଁ । ତେଣୁ ସଂପର୍କ ପଛରେ ରହିଛି ସ୍ୱାର୍ଥ । ‘ଯଦି ତୋର ଡାକ୍ ଶୁନେ କେଉ ନ ଆସେ ତବେ, ଏକ୍ଲା ଚଲୋ ରେ’ କାନକୁ ଭଲ ଲାଗେ, କିନ୍ତୁ ଏକା କେହି ଚାଲିପାରେନାହିଁ । ତେଣୁ ଏହି ଏକାପଣ ଦୂର କରିବା ଲାଗି ଅର୍ଥାତ୍ ବ୍ୟକ୍ତିର ସ୍ୱାର୍ଥ-ଅହଂ ତୃପ୍ତି ପାଇଁ ସଂପର୍କ ଅନିବାର୍ଯ୍ୟ, ଅପରିହାର୍ଯ୍ୟ । ମନ ହୃଦୟର ସଂପର୍କ ମଧ୍ୟ ସ୍ୱାର୍ଥପ୍ରଣୋଦିତ । କେବଳ ପ୍ରେମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସଂପର୍କ ସ୍ୱାର୍ଥକୈନ୍ଦ୍ରିକ । ଏହି ପ୍ରେମ ମଧ୍ୟ ଅନେକ କ୍ଷେତ୍ରରେ ସ୍ୱାର୍ଥତ୍ୟାଗ ନକରିବା ହେତୁ ନଷ୍ଟ ହେଇଯାଏ ।
ପ୍ରେମ ସଂପର୍କ ଅହଂ-ସ୍ୱାର୍ଥର ତ୍ୟାଗ କାମନା କରେ । ଯେଉଁଠି ସ୍ୱାର୍ଥ ପ୍ରେମବିହୀନ ନୁହେଁ ସେଠି ପ୍ରେମ ମଧ୍ୟ ଏକ ଅହଂତୃପ୍ତି, ପୌରୁଷର ଦୀପ୍ତି ଭାବେ ଏକପାଖିଆ ହେଇଯାଏ । ଅର୍ଥାତ୍ ପୁରୁଷ ବା ସ୍ତ୍ରୀ କିଏ ଜଣେ ଅହଂ ତ୍ୟାଗ କରେ । ନଚେତ ଦୁଇଟି ଆତ୍ମା ମଧ୍ୟରେ ସଂଘାତ ହୁଏ । ଯଦି ପ୍ରେମିକ-ପ୍ରେମିକା ପରସ୍ପର ଭିତରେ ଲୀନ, ତେବେ ପ୍ରେମସଂପର୍କ । ଅର୍ଥାତ୍ ପ୍ରେମ ଏକ ସମର୍ପଣ । ସେହି ଅନୁବୃତ୍ତିରେ ସଂପର୍କ ମଧ୍ୟ ଏକ ସମର୍ପଣ । ଯଦି ସଂପର୍କ ଦୁଇଟି ସ୍ୱାର୍ଥ ମଧ୍ୟରେ ଏକ ସାଲିସ୍ ତାହା କ୍ଷଣସ୍ଥାୟୀ । ଯଦି ପାରସ୍ପରିକ ଆବଶ୍ୟକତା ସଂପର୍କର ପରିଭାଷା ହୁଏ, ତାହା ଦିନେ ନା ଦିନେ ତୁଟିଯିବ । ଅର୍ଥାତ୍ ଏପରି ସଂପର୍କ କ୍ଷଣସ୍ଥାୟୀ । ଇଚ୍ଛାପୂର୍ଣ୍ଣ ନହେଲେ ମଣିଷ ଈଶ୍ୱରଙ୍କ ସହିତ ମଧ୍ୟ ସଂପର୍କ ଛିନ୍ନ କରେ । ବନ୍ଧୁତା ସାମାନ୍ୟ ବିତର୍କରେ ବିଚ୍ଛିନ୍ନ ହୁଏ । ଯେଉଁ ଦେଶର ରାଜା ପରିବାର ସଂପର୍କକୁ ଦେଶ ଉପରେ ରଖେ ସେଠି ଦେଶ ନଷ୍ଟହୁଏ। ଜାତି ନନ୍ଦିଘୋଷ ସ୍ୱାର୍ଥକୁ ସାରଥି କଲେ ଚାଲିପାରେନାହିଁ । ଏକଥା ସତ, କିନ୍ତୁ ମଣିଷ କିପରି ସଂପୂର୍ଣ୍ଣ ସ୍ୱାର୍ଥହୀନ ହୋଇପାରେ? କାହିଁକି ବା ହେବ? ଗୋଟିଏ ଜୀବନର ସାର୍ଥକତା ଲାଗି ବ୍ୟକ୍ତି ନିଜର ଅଭିଯାନ କରେ ତାର ସ୍ୱତନ୍ତ୍ର ପରିଧିରେ । ଅନେକ ସଂପର୍କ ଗଢ଼େ, ଅନେକ ତୁଟାଏ । ଏକୁଟିଆ ମାଆକୁ ଛାଡ଼ି ସେ ଶଙ୍କରାଚାର୍ଯ୍ୟ ହୁଏ । ଯଦି ମାତୃମୋହରେ ସ୍ୱାର୍ଥତ୍ୟାଗ କରିଥାନ୍ତେ ସେ ହୁଏତ ଶଙ୍କରା ହୋଇଥାନ୍ତେ ।
ସାଧାରଣରେ କୁହାଯାଏ, କିଛି ପାଇବାକୁ ହେଲେ କିଛି ଛାଡ଼ିବାକୁ ହୁଏ । ଟିଥୋନସ୍ ପରି ଅମର ହେବାକୁ ହେଲେ ଯୌବନ ଛାଡ଼ିବାକୁ ହୁଏ । ପିତାମାତାଙ୍କୁ ସବୁ ସ୍ନେହାଦର କଲେ ପିଲାଙ୍କୁ ସାମାନ୍ୟ ଅବହେଳା କରିବାକୁ ହୁଏ ବା ନିଜ ବିଳାସକୁ ତ୍ୟାଗ କରିବାକୁ ହୁଏ । ସଂପର୍କ ତ୍ୟାଗବିନା ଅସମ୍ଭବ । ପ୍ରେମ, ଭକ୍ତି ଯେପରି ତ୍ୟାଗ ଦାବି କରନ୍ତି ସଂପର୍କ ସେହିପରି ତ୍ୟାଗ ଦାବି କରେ । ପ୍ରେମିକାକୁ ଐଶ୍ୱର୍ଯ୍ୟମୟୀ କରିବାକୁ ହେଲେ ଆତ୍ମତ୍ୟାଗ କରିବାକୁ ହୁଏ । ଦେଶର ଅସ୍ମିତାର ସୁରକ୍ଷା ପାଇଁ ବ୍ୟକ୍ତିର ଐଶ୍ୱର୍ଯ୍ୟର ବଳି ଦେବାକୁ ହୁଏ । ଗ୍ରୀକ ଓଡିନ ମିଥ୍ରେ ବଡ଼ କବି ହେବାକୁ ହେଲେ ଡାହାଣ ଚକ୍ଷୁ ଦାନ କରିବାକୁ ହୁଏ । ପ୍ରତ୍ୟେକ ସଂପର୍କ ସେହିପରି କିଛି ତ୍ୟାଗ ଦାବି କରେ ।
ପ୍ରଥମ ଦାବି ହେଲା ଅହଂକାର ତ୍ୟାଗ । ସ୍ୱାର୍ଥରହିତ ବ୍ୟକ୍ତି ଅସମ୍ଭବ ଏବଂ ସ୍ୱାର୍ଥ ଯଦି ନାହିଁ ବ୍ୟକ୍ତିର ଅସ୍ମିତା ମଧ୍ୟ ସନ୍ଦେହାଚ୍ଛନ୍ନ । କିନ୍ତୁ ସ୍ୱାର୍ଥ, ଅହଂତ୍ୟାଗ ମାଧ୍ୟମରେ ଉଜ୍ୱଳ ହେବାକୁ ପଡ଼ିବ। ସଂପର୍କର ମାଧୁର୍ଯ୍ୟ ପାଇବାକୁ ହେଲେ ଅହଂତୃପ୍ତିର କେତେକ ଅଂଶ ତ୍ୟାଗ କରିବାକୁ ହେବ ଉଭୟଙ୍କ ପାଇଁ । ନଚେତ୍ ସ୍ୱାମୀ ସ୍ତ୍ରୀ, ପିତା ମାତା ପୁତ୍ର, ପଡ଼ୋଶୀ ଦେଶ, ରାଷ୍ଟ୍ର କାହା ସହିତ ସଂପର୍କ ପ୍ରତିଷ୍ଠା ପାଇବନାହିଁ । ଆଜିର ବିଶ୍ୱରେ ଧର୍ମ-ଧର୍ମର ଯେଉଁ ସଂଘାତ ଦେଖାଯାଉଛି ତାର ମୁଖ୍ୟ କାରଣ ହେଲା ସେଇ ଅହଂ । ଧର୍ମ ମଣିଷ ଜାତିକୁ ଅବନମିତ କରେ । ଯଦି ତାହା ହୁଏନାହିଁ, ପାରସ୍ପରିକତା ସ୍ୱୀକାର୍ଯ୍ୟ ହୁଏନାହିଁ । ତେବେ ସଂପର୍କ ସୃଷ୍ଟି ହୁଏନାହିଁ । ସଂପର୍କ ପ୍ରେମ ପରି ଏକ ଢଳଢଳ ମୁକ୍ତାବିନ୍ଦୁ, ତାକୁ ଧାରଣ କରିବାକୁ ହେଲେ ପଦ୍ମପାଖୁଡ଼ାର ଐଶ୍ୱର୍ଯ୍ୟଯୁକ୍ତ ହେବାକୁ ପଡ଼ିବ ।