ଭୁବନେଶ୍ଵର, ୨୭/୧୦ : ଉପକୂଳ ମୁହାଁ ବାତ୍ୟା ମୋନ୍ଥା। ମୁକାବିଲା ପାଇଁ ଚୂଡ଼ାନ୍ତ ବୈଠକ। ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଲୋକମାନେ ବିଚଳିତ ହୁଅନ୍ତୁ ନାହିଁ, ସରକାର ପ୍ରସ୍ତୁତ ଅଛନ୍ତି। ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା ବୋଲି ମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଆଦି ଉପସ୍ଥିତ ରହିଥିଲେ। ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଭିଡିଓ କନ୍ଫରେନ୍ସି ଜରିଆରେ ସାମିଲ ହୋଇଥିଲେ ।
ସମୀକ୍ଷା ବୈଠକ ପରେ ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ଆଜି ସକାଳ ରିପୋର୍ଟ ଅନୁସାରେ ଅବପାତର ଗତି ଘଣ୍ଟାପ୍ରତି ୧୮ କିଲୋମିଟର ରହିଛି । ବାତ୍ୟାର ଗତି ଧୀରେ ଧୀରେ ବଢ଼ୁଛି । ବିଶେଷଜ୍ଞଙ୍କ ଅନୁସାରେ, ଗତି ଯେତେ ବଢିବ, ପ୍ରଭାବ ସେତେ କମିବ, ଯାହା ଶୁଭ ସୂଚନା। ଗୋପାଳପୁରଠାରୁ ବାତ୍ୟା ୬୦୦ କିଲୋମିଟର ଦୂରରେ ରହିଛି । ଏହା ଲ୍ୟାଣ୍ଡଫଲ କରିବା ପରେ ମାଲକାନଗିରି ଅତିକ୍ରମ କରି ଛତିଶଗଡ଼ ଯିବ । ବାତ୍ୟା ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ପ୍ରଭାବିତ କରିବ । ଛତିଶଗଡ଼ରେ ଅଧିକ ବର୍ଷା ହୋଇପାରେ। ତେଣୁ ମହାନଦୀକୁ ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଜଳଭଣ୍ଡାରରେ ୮୮% ପାଣି ଥିଲା । ଏବେ ପାଣି ଛାଡିବା ପ୍ରକ୍ରିୟା ଆରମ୍ଭ ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଫେରି ଆସିବାକୁ କୁହାଯାଇଛି । ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଠାରୁ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ପ୍ରଶାସନ ଯାଏଁ ପ୍ରସ୍ତୁତି ସରିଛି । ସରକାରୀ ଅଧିକାରୀ, ଅଙ୍ଗନବାଡି, ଆଶା ଦିଦି ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଦାନା ବାତ୍ୟାରେ ଚମତ୍କାର ପ୍ରଦର୍ଶନ ହୋଇଥିଲା। ଏଥର ମଧ୍ୟ ତଳ ଠାରୁ ଉପର ଯାଏଁ ସମସ୍ତେ ପ୍ରସ୍ତୁତ।
ସୁରେଶ ପୂଜାରୀ କହିଛନ୍ତି ଯେ, SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ। ଆନ୍ଧ୍ର ପ୍ରଦେଶ ଲୋକେ ଓଡ଼ିଶା ସମୁଦ୍ରରେ ଥିବା ଜଣାଯାଇଛି। କେତେ ପରିମାଣରେ ସେଠୁ ଜାହାଜ ଆସିଛି, ସେ ନେଇ କୋଷ୍ଟ ଗାର୍ଡ ସହ ଆଲୋଚନା ହେବ। ବିଚଳିତ ହୁଅନ୍ତୁ ନାହିଁ। ସଫଳତାର ସହ ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା। ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ । ୨୦୦ ଗର୍ଭବତୀ ସ୍ଥାନାନ୍ତର ହେଲେଣି, ବାକି ବି ହେବେ । ପାହାଡ଼ରେ ଥିବା ଲୋକଙ୍କୁ ତଳକୁ ଆସିବାକୁ କୁହାଯାଇଛି । କଚା ଘର ଥିବା ଲୋକେ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ପଳେଇ ଆସନ୍ତୁ। ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ଦିଅନ୍ତୁ । ୨୪/୭ ହେଲ୍ପଲାଇନ ନମ୍ଵର ଜାରି ହୋଇଛି। କଣ୍ଟ୍ରୋଲ ରୁମ ଖୋଲା ଅଛି। ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି। ନିଜ ଜିନିଷ ସୁରକ୍ଷା ରଖିବାକୁ ଲୋକ କାମ କରୁଛନ୍ତି। ସମ୍ବେଦନଶୀଳ ଓ ପାଣି ଘେରରେ ରହିବା ଆଶଙ୍କା ଥିବା ଲୋକ ରିଲିଫ ସେଣ୍ଟରକୁ ଆସନ୍ତୁ । ସମ୍ପ୍ରତି ଦାୟିତ୍ୱ ଓଡ଼ିଶା ପୁଲିସ ନେବେ, ଏବେ ବର୍ଷା ହେଲାଣି। ବାତ୍ୟା ସମୟରେ ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବ। ୮ ଜିଲ୍ଲାରେ ୨୦୦ ରିଲିଫ୍ ସେଣ୍ଟର କରାଯାଇଛି। ସ୍କୁଲକୁ ବି ଆଶ୍ରୟସ୍ଥଳୀ ପାଇଁ ବ୍ୟବହାର କରାଯିବ। ଏହି ୮ ଜିଲ୍ଲାରେ ୨୮ରୁ ୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି। ଅଙ୍ଗନବାଡି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯିବ। ସହରରେ ଯେଉଁଠି ପାଣି ପଶିବା ଆଶଙ୍କା ରହିଛି, ସେଠି ପମ୍ପିଙ୍ଗ କରିବାକୁ କୁହାଯାଇଛି। ଯେପରି ଘରକୁ ପାଣି ନ ପଶେ। ରାସନ, ଗୋଖାଦ୍ୟ ଓ ପଶୁ ଖାଦ୍ୟ ପର୍ଯ୍ୟାପ୍ତ ମହାଜୁଦ ଅଛି। ପାୱାର ବ୍ୟାକଅପ୍ ବ୍ୟବସ୍ଥା ହୋଇଛି।