ଜଗତସିଂହପୁର,୧୨/୧୦:ଦୁର୍ନୀତିର ମୂଳଦୁଆ ପଡ଼ିଥିବା ସ୍ଥାନୀୟ ଦଶ ନମ୍ବରରୁ ହାଟ ପୋଲ କେନାଲ ବନ୍ଧ ରାସ୍ତାରେ ପୁଣି ଖୋଳାତଡ଼ା ଆରମ୍ଭ ହୋଇଯାଇଛି । ଭୂତଳ ପାଣି ପାଇପ୍ ବିଛାଇବାକୁ ଯାଇ ରାସ୍ତା ପାଶ୍ୱର୍କୁ ଖୋଳାଚାଲିଛି । ଏହାର ପ୍ରଭାବର କେତେକ ଜାଗାରେ ପେଭର୍ ବ୍ଲକ୍ ବିକ୍ଷିପ୍ତ ହୋଇଯାଇଛି । ସୋମନାଥ ହାଟକୁ ବିଭିନ୍ନ ଜିନିଷ ଧରି ଭାରିଯାନଗୁଡ଼ିକ ଉକ୍ତ ରାସ୍ତାରେ ଯାତାୟାତ କରିଥାନ୍ତି । ବର୍ତ୍ତମାନ ପେଭର୍ ବ୍ଲକ କିଛି ଜାଗାରୁ ଉଠି ଯାଇଥିବାରୁ ଆଉ କିଛି ମାସ ଭିତରେ ପୁଣି ସେହି ରାସ୍ତା ଜରାଜୀର୍ଣ୍ଣ ସ୍ତରକୁ ଆସିବାର ଆଶଙ୍କା ପ୍ରକାଶ ପାଇଛି ।
୨୦୨୦ ମସିହା ଶେଷ ବେଳକୁ ଏହି କେନାଲ ବନ୍ଧ ରାସ୍ତାକୁ ଢଳେଇ କରି ଜଳସେଚନ ବିଭାଗ ପକ୍ଷରୁ ୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାସ କେଇଟା ନଯାଉଣୁ ବହୁ ଅଂଶରୁ ଢଳେଇ ଉଠି ଯାଇଥିଲା । ଖାଲଖମାକୁ ମରାମତି କରିବାକୁ ଯାଇ ଉକ୍ତ ବିଭାଗ କେତେବେଳେ କ୍ରସର ଡଷ୍ଟ ତ ଆଉ କେତେବେଳେ ପିଚୁ ତାଳି ପକାଇ ଦାୟିତ୍ୱ ସାରିଥିଲା । ଅଥଚ ରାସ୍ତା ନିର୍ମାଣର ଜାଲିଆତି ଉପରେ ତଦନ୍ତ ହୋଇନଥିଲା । ଭିଜିଲାନ୍ସ ବିଭାଗ ଦପ୍ତର ସେହି ରାସ୍ତା ପାଶ୍ୱର୍ରେ ରହି ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଆଖି ବନ୍ଦ କରି ବସିଥିବା ଅନୁଭବ କରାଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ରାସ୍ତା ଆର୍ଡି ବିଭାଗ ହାତକୁ ଯାଇଥିଲା । ଏହି ବିଭାଗ ମଧ୍ୟ କେନାଲ ବନ୍ଧ ରାସ୍ତାକୁ ପୂର୍ବାପେକ୍ଷା ସଙ୍କୁଚିତ କରି ପେଭର୍ ବ୍ଲକ୍ ବିଛାଇଥିଲା । ସେ ସମୟରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପୂର୍ବ ରାସ୍ତା କାର୍ଯ୍ୟର ଦୁର୍ନୀତି ଏବଂ ତା ଉପରେ ହଠାତ୍ ପେଭର ବ୍ଲକ୍ ପଡ଼ୁଥିବା ଦେଖି କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ଉପାୟ ନପାଇ ଆର୍ଡି ବିଭାଗ କାମ ବନ୍ଦ ରଖିଥିଲେ । ପରେ କିନ୍ତୁ ସେହି ରାସ୍ତାରେ ଆବଡ଼ାଖାବଡ଼ା ଭାବେ ପେଭର୍ ବ୍ଲକ ବିଛା ଯାଇଥିଲା । ସେହି ରାସ୍ତା ନିର୍ମାଣ କରଥିବା ଠିକା ସଂସ୍ଥା ୫ବର୍ଷ ପର୍ଯ୍ୟନ୍ତ ମରାମତି ପ୍ରତି ଦୃଷ୍ଟି ଦେବେ ବୋଲି ବିଧାୟକ ଶ୍ରୀ ଦାସ ସ୍ପଷ୍ଟ କରିଥିଲେ ।
ବର୍ତ୍ତମାନ ଉକ୍ତ ପେଭର୍ ବ୍ଲକ୍ ରାସ୍ତାର ଦୁଇ ପାଶ୍ୱର୍କୁ ଖୋଳାଯାଇଛି । ପାଣି ପାଇପ୍ ନିମନ୍ତେ ରାସ୍ତା ପାଶ୍ୱର୍କୁ ଖୋଳାଯିବାରେ ସତର୍କତା ଅବଲମ୍ବନ କରାଯାଇନଥିବାରୁ କିଛି ଜାଗାରୁ ଇଟା ଖଣ୍ଡ ବାହାରି ଆସିଛି । ଫଳରେ କିଛି ମାସ ଭିତରେ ସେହି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିବ । ୫ ବର୍ଷ ମରାମତି ଦାୟିତ୍ୱ ନେଇଥିବା ସଂସ୍ଥା ବେଶ ଆରାମରେ ପାଣି ପାଇପ୍ ଲାଇନ୍ ଉପରେ ଦୋଷ ଲଦି ନିଜ ବାଟରେ ଖସିଯିବେ । ମାଛକୁ ବିଲେଇ ଛକି ବସିବା ଭଳି ବହୁ ଜାଗାରେ ଗୋଟିଏ ବିଭାଗ ଉନ୍ନୟନମୂଳକ କାମ କରି ଚାଲିଯିବା ପରେ ସେଠାରେ ଅନ୍ୟ ଏକ ବିଭାଗ ନୂଆ କିଛି ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି । ବିଶେଷକରି ରାସ୍ତା ତିଆରି କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି । ଗ୍ରାମ୍ୟ ଉନ୍ନୟନ, ଜଳସେଚନ କିମ୍ବା ପୂର୍ତ୍ତ ବିଭାଗ ଯଦି କେଉଁଠି ନୂଆ ରାସ୍ତା କରୁଛନ୍ତି ତା’ର କିଛି ଦିନ ଭିତରେ ସେଠାରେ ଭୂତଳ ପାଇପ୍ ଲାଇନ୍ ବିଛାଇବା ପାଇଁ ଆରଡବ୍ଲୁଏସଏସ୍ ବିଭାଗ ହାଜର ହୋଇ ପଡ଼ୁଛନ୍ତି।
ସେହିପରି ଗ୍ୟାସ ପାଇପ୍ ଲାଇନ୍ ଓ ଷ୍ଟ୍ରୀଟ ଲାଇଟ୍ ବସାଇବା ବାଲା ବି ପହଞ୍ଚି ଯାଉଛନ୍ତି । ଏସବୁ ସଂସ୍ଥା ରାସ୍ତା ପାଶ୍ୱର୍କୁ ଖୋଳି କାମ କରୁଥିବାରୁ ସରକାରଙ୍କ ସମ୍ପତ୍ତି ନଷ୍ଟ ହୋଇଚାଲୁଛି । ଏବେ ବି ସହରର ଅନେକ ୱାର୍ଡରେ ପାଣି ପାଇପ୍ ବିଛାଇ ଢଳେଇ ରାସ୍ତାକୁ ମରାମତି କରାଯାଇ ନାହିଁ । ଗ୍ୟାସ୍ ପାଇପ୍ ଲାଇନ୍ କ୍ଷେତ୍ରରେ ବି ସେଇଭଳି କାର୍ଯ୍ୟ କରାଯାଉଛି । ବର୍ତ୍ତମାନ ଭୂତଳ ବିଦ୍ୟୁତ କେବଲ୍ ନିମନ୍ତେ ସହରର ମୁଖ୍ୟ ରାସ୍ତାର ବହୁ ଜାଗାରେ ଗାତ ଖୋଳାଯାଇଛି ସତ ଭଲଭାବେ ମରାମତି କରାଯାଇ ନାହିଁ । ରାସ୍ତାଗୁଡ଼ିକ ଉପରେ ବିଭିନ୍ନ ବିଭାଗର ଏଭଳି କାର୍ଯ୍ୟପନ୍ଥା ହେତୁ ଜନ ସାଧାରଣ ସମସ୍ୟା ଜର୍ଜରିତ ହୋଇପଡ଼ୁଛନ୍ତି । ଖୁବ କମ୍ ଦିନ ଭିତରେ ନୂଆ ରାସ୍ତାଗୁଡ଼ିକ ନଷ୍ଟ ହେଉଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନାହିଁ । ଅନୁରୂପ ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ, ଜଳସେଚନ ଓ ପୂର୍ତ୍ତ ବିଭାଗ ଭିତରେ କେତେକ ରାସ୍ତାକୁ ଅଦଳବଦଳ କରାଯାଇ ନବୀକରଣ କରାଯାଇ ହାତ ଚିକ୍କଣ ହେଉଥିବା ସ୍ଥଳେ ମଧ୍ୟ ପ୍ରଶାସନ ଜଳକା ଭଳି ବସି ରହୁଥିବା ବାରମ୍ବାର ଅଭିଯୋଗ ହୋଇଚାଲିଛି ।