ନୂଆଦିଲ୍ଲୀ,୦୫/୦୯: ନ୍ୟୁଜିଲାଣ୍ଡର ପୂର୍ବତନ ଭେଟେରାନ କ୍ରିକେଟର ରସ୍ ଟେଲର ୩ ବର୍ଷ ପରେ ତାଙ୍କର ଅବସର ଫେରାଇ ନେଇଛନ୍ତି । ଏବେ ସେ ପୁଣି କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିବେ । ଏଥର ସେ ନ୍ୟୁଜିଲାଣ୍ଡରୁ ନୁହେଁ ବରଂ ଅନ୍ୟ କୌଣସି ଦେଶ ପାଇଁ ଡେବ୍ୟୁ କରିବେ । ଏଥିପାଇଁ ସେ ନ୍ୟୁଜିଲାଣ୍ଡ ଛାଡିଛନ୍ତି । କିୱି ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ୪୦ ଶତକ ହାସଲ କରିଥିବା ରସ୍ ଟେଲରଙ୍କ ଏହି ନିଷ୍ପତ୍ତିରେ କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଛି । ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ୍ ଟେଲର ଏବେ ସାମୋଆ ପାଇଁ ଖେଳିବେ। ୪୧ ବର୍ଷୀୟ ଖେଳାଳି ସୋସିଆଲ ମିଡିଆ ମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି ।

କ’ଣ କହିଲେ ରସ୍ ଟେଲର ? ଅବସର ଫେରାଇ ନେବା ପରେ, ରସ୍ ଟେଲର ସୋସିଆଲ ମିଡିଆରେ ସାମୋଆ କ୍ରିକେଟ ଦଳର ଜର୍ସି ସହିତ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ଏହା ଆନୁଷ୍ଠାନିକ - ମୁଁ ଗର୍ବର ସହିତ ଘୋଷଣା କରୁଛି ଯେ ମୁଁ ନୀଳ ଜର୍ସି ପିନ୍ଧି କ୍ରିକେଟରେ ସାମୋଆର ପ୍ରତିନିଧିତ୍ୱ କରିବି। ଏହା କେବଳ ମୁଁ ଯେଉଁ ଖେଳକୁ ଭଲପାଏ ତାହାକୁ ଫେରିବା ନୁହେଁ, ବରଂ ମୋର ଐତିହ୍ୟ, ସଂସ୍କୃତି, ଗାଁ ଏବଂ ପରିବାରକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଏକ ବଡ଼ ସମ୍ମାନ । ଖେଳକୁ ଫେରିବା, ଦଳରେ ଯୋଗଦେବା ମୋର ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପାଇଁ ମୁଁ ଉତ୍ସାହିତ।" 

ରସ୍ ଟେଲର ଆସନ୍ତା ବର୍ଷ ହେବାକୁ ଥିବା T20I ବିଶ୍ୱକପ୍ ପାଇଁ ସାମୋଆ କ୍ରିକେଟ୍ ଦଳକୁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ ।  ପ୍ରଥମ ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ବିଜୟୀ ଦଳର ସଦସ୍ୟ ରସ୍ ଟେଲର, ସାମୋଆ ଦଳ ପକ୍ଷରୁ ଅକ୍ଟୋବରରେ ଓମାନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ଏସିଆ-ପାସିଫିକ୍ ଯୋଗ୍ୟତା ଅର୍ଜନ ସିରିଜରେ ଖେଳିବେ। ସାମୋଆ ଗ୍ରୁପ୍-୩ ରେ ଆୟୋଜକ ଦେଶ ଏବଂ ପାପୁଆ ନ୍ୟୁ ଗିନି ବିପକ୍ଷରେ ମ୍ୟାଚ୍ ଖେଳିବ। ଅକ୍ଟୋବରରେ ଏହା ଆରମ୍ଭ ହେବ । ରସ୍ ଟେଲର ୨୦୦୬ ମସିହାରେ ନ୍ୟୁଜିଲାଣ୍ଡ ପାଇଁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ କରିଥିଲେ ଏବଂ ୨୦୨୨ ମସିହାରେ ଶେଷ ମ୍ୟାଚ୍ ଖେଳିଥିଲେ। ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୨ ମସିହାରେ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଖେଳିଥିଲେ । ଏହା ପରେ ସେ ଅବସର ନେଇଥିଲେ। ସେ ନ୍ୟୁଜିଲ୍ୟାଣ୍ଡ ପାଇଁ ୧୧୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହାର ୧୯୬ ଇନିଂସରେ ସେ ୪୪.୬୬ ହାରରେ ୭୬୮୩ ରନ୍ କରିଛନ୍ତି । ଏଥିରେ ୧୯ ଶତକ ଏବଂ ୩୫ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସେ ୨୩୬ ଦିନିକିଆରେ ୪୭.୫୫ ହାରରେ ୮୬୦୭ ରନ୍ କରିଛନ୍ତି। ଏହି ସମୟରେ ସେ ୨୧ ଶତକ ଏବଂ ୫୧ ଅର୍ଦ୍ଧଶତକ ହାସଲ କରିଛନ୍ତି।