ନୂଆଦିଲ୍ଲୀ,୩୧/୧୦:ବିଶ୍ୱର ସବୁଠୁ ଶକ୍ତିଶାଳୀ ପରମାଣୁ ଶକ୍ତିସମ୍ପନ୍ନ ଅଣ୍ଡରୱାଟର୍ ଟର୍ପିଡୋ ପୋସିଡନ୍ର ସଫଳ ପରୀକ୍ଷା କରିଛି ରୁଷ୍ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏ ବିଷୟରେ ସ୍ପଷ୍ଟ କରିଛନ୍ତି ଏବଂ ଏହାକୁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ଟର୍ପିଡୋ ପୋସିଡନ୍ ସମୁଦ୍ରରେ ରେଡିଓଆକ୍ଟିଭ୍ ତରଙ୍ଗ ସୃଷ୍ଟି କରେ । ଏହା ଦ୍ୱାରା ଉପକୂଳବର୍ତ୍ତୀ ଅଞ୍ଚଳ ଆଖି ପିଛୁଳାକେ ଧ୍ୱସ୍ତ ହୋଇଯିବ । ଏହି ଟର୍ପିଡୋକୁ ବୁଡ଼ାଜାହାଜ ମାଧ୍ୟମରେ ଉତ୍କ୍ଷେପଣ କରାଯିବ । ଏହା ସ୍ୱୟଂଚାଳିତ ଏବଂ ପରମାଣୁ ଅସ୍ତ୍ର ନେଇପାରେ । ପୁଟିନ ଆହୁରି କହିଛନ୍ତି, ପୋସିଡନ୍ର ଶକ୍ତି ରୁଷ୍ର ସବୁଠୁ ଶକ୍ତିଶାଳୀ ମିସାଇଲ ସରମନଠୁ ମଧ୍ୟ ଅଧିକ ।
ପୁଟିନ ଗତ ମଙ୍ଗଳବାର ୟୁକ୍ରେନ ଯୁଦ୍ଧରେ ଆହତ ସୈନ୍ୟଙ୍କ ସହ ସାକ୍ଷାତ ସମୟରେ ଏହି ପରମାଣୁ ଶକ୍ତିସମ୍ପନ୍ନ ଅସ୍ତ୍ର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱରେ ଏଭଳି ୨ୟ ଅସ୍ତ୍ର ନାହିଁ । ପୋସିଡନ୍ର ବିଶେଷତ୍ୱ ହେଉଛି, ଏହା ଭିତରେ ନିଜସ୍ୱ ପରମାଣୁ ଇନ୍ଧନ ୟୁନିଟ୍ ରହିଛି । ଅର୍ଥାତ୍ ଏହାକୁ ଇନ୍ଧନ ଭରିବାକୁ ପଡ଼େନାହିଁ । ଏହା ଅସୀମିତ ଦୂରକୁ ଗତି କରିପାରେ । ପୁଟିନ କହିଛନ୍ତି, ରୁଷ୍ ଦୁଇଟି ଭିନ୍ନ ଭିନ୍ନ କାମ ଏକସଙ୍ଗେ କରିବାର ସଫଳତା ହାସଲ କରିଛି । ତାହା ହେଉଛି ବୁଡ଼ାଜାହାଜରୁ ଟର୍ପିଡୋ ଡିଭାଇସ୍କୁ ଲଞ୍ଚ୍ କରିବା ଏବଂ ସେହି ଟର୍ପିଡୋ ଭିତରେ ଲାଗିଥିବା ଛୋଟ ପରମାଣୁ-ଶକ୍ତିଯୁକ୍ତ ରିଆକ୍ଟରକୁ ଚାଲୁ କରି ତାକୁ କାର୍ଯ୍ୟକ୍ଷମ କରିବା । ରିଆକ୍ଟର ସେହି ଡିଭାଇସ୍ରେ କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା । ଏହା ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ଓ ବଡ଼ ସଫଳତା । ଏହା ପୂର୍ବରୁ କଦାପି ଏପରି ହୋଇନଥିଲା ବୋଲି ପୁଟିନ କହିଛନ୍ତି । ପ୍ରଳୟ ଅସ୍ତ୍ର ପୋସିଡନ୍ ୧୦୦୦ ମିଟର ପର୍ଯ୍ୟନ୍ତ ପାଣିରେ ଚାଲିପାରେ । କିନ୍ତୁ ସାଧାରଣ ବୁଡ଼ାଜାହାଜ ଏତିକି ଦୂରକୁ ଯାଇପାରେ ନାହିଁ । ଏଥିରେ ୧୦୦ ମେଗାଟନ୍ ଶକ୍ତିସମ୍ପନ୍ନ ପରମାଣୁ ବୋମା ସଂଲଗ୍ନ ହୋଇପାରେ । ଗଭୀରରେ ଓ ଧିମା ଶବ୍ଦରେ ଗତି କରିବା ଯୋଗୁ ଏହାକୁ କାବୁ କରିବା ମୁସ୍କିଲ । ରୁଷ୍ର ବେଲଗୋରୋଦ ବୁଡ଼ାଜାହାଜ ଟର୍ପିଡୋକୁ ଲଞ୍ଚ୍ କରିପାରେ । ପାଶ୍ଚାତ୍ୟ ସୈନ୍ୟ ବିଶେଷଜ୍ଞ ଏହାକୁ ଡୁମ୍ସ ଡେ ୱିପନ୍ ଅର୍ଥାତ୍ ପ୍ରଳୟ ଅସ୍ତ୍ର ବୋଲି କହୁଛନ୍ତି ।
ପୁଟିନ କହିଛନ୍ତି, ଏହି ଅସ୍ତ୍ର ଆମେରିକା ଓ ନାଟୋକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । କାରଣ ଆମେରିକା ପୁରୁଣା ବୁଝାମଣାକୁ ଭଙ୍ଗ କରି ପୂର୍ବ ୟୁରୋପରେ ନାଟୋର ବିସ୍ତାର କରିଛି । ପୋସିଡନ୍କୁ ନେଇ ୨୦୧୬ରେ ଖବର ଚର୍ଚ୍ଚାକୁ ଆସିଥିଲା । ଗ୍ରୀକ୍ ଦେବତା ପୋସିଡନ୍ଙ୍କ ନାମ ଅନୁସାରେ ଟର୍ପିଡୋର ନାମକରଣ ହୋଇଛି । ୟୁନାନ୍ର ପୌରାଣିକ କାହାଣୀରେ ପୋସିଡନ୍ଙ୍କୁ ସମୁଦ୍ର, ଭୂକମ୍ପ ଓ ଝଡ଼ର ଦେବତା କୁହାଯାଏ । ନରୱେ ନାଭାଲ ଏକାଡେମୀର ଅଧ୍ୟୟନକର୍ତ୍ତା ଇନା ହୋଲ୍ଷ୍ଟ ପେଡରସନ୍ କ୍ୱାମ କହିଛନ୍ତି, ପୋସିଡନ୍ ବାସ୍ତବରେ ଏକ ମନୋବୈଜ୍ଞାନିକ ଅସ୍ତ୍ର । ଏହାର କାମ କେବଳ ପ୍ରଳୟ କରିବା ନୁହେଁ, ବରଂ ଅନ୍ୟକୁ ଭୟଭୀତ କରିବା ଏବଂ ତା’ର ସାହସକୁ ଭାଙ୍ଗିବା । କୌଣସି ବଡ଼ ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧ ପୂର୍ବରୁ ହୋଇଥିଲେ ଏବଂ ଯୁଦ୍ଧର ପରିଣାମ ସ୍ଥିର ହେବାକୁ ଯାଉଥିବା ବେଳେ ପୋସିଡନ୍କୁ ନେଉଥିବା ବୁଡ଼ାଜାହାଜ ସେହି ସମୟରେ ଲଞ୍ଚ୍ ହେବ । ରୁଷ୍ ପାଇଁ ଗୋଟିଏ ସପ୍ତାହରେ ଏହା ୨ୟ ବଡ଼ ସଫଳତା ।
ଚଳିତ ମାସ ୨୧ ତାରିଖରେ ଏହା ବିଶ୍ୱର ପ୍ରଥମ ପରମାଣୁ ଶକ୍ତିସମ୍ପନ୍ନ କ୍ରୁଜ୍ ମିସାଇଲ ବୁରେଭଷ୍ଟନିକ-୯ଏମ୍୭୩୯ର ସଫଳ ପରୀକ୍ଷଣ କରିଥିଲା । ଏହାର ଦୂରତା ଅସୀମିତ ବୋଲି ରୁଷ୍ ଦାବି କରିଥିଲା । ବୁରେଭଷ୍ଟନିକ୍-୯ଏମ୍୭୩୯ ଏକ କ୍ରୁଜ୍ ମିସାଇଲ, ଯାହା ପରମାଣୁ ରିଆକ୍ଟରରେ ପରିଚାଳିତ ହୁଏ । ସେଥିପାଇଁ ଏହା ଅସୀମିତ ଦୂରତା ଯାଏ ଉଡ଼ିପାରେ । ଶତ୍ରୁର ଆଣ୍ଟି-ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ଚକ୍ମା ଦେବାରେ ମଧ୍ୟ ଏହା ସକ୍ଷମ । ଟର୍ପିଡୋ ପାଣି ଭିତରେ ଗତି କରୁଥିବା ଏକ ଅସ୍ତ୍ର । ଜାହାଜ କିମ୍ବା ବୁଡ଼ାଜାହାଜକୁ ଟାର୍ଗେଟ୍ କରି ତା’ ପାଖକୁ ଯାଇ ଏହା ଆକ୍ରମଣ କରେ । ଏଥିରେ ନାଭିଗେସନ୍ ଓ ହୋମିଙ୍ଗ୍ ସିଷ୍ଟମ୍ ରହିଛି, ଯାହା ଶବ୍ଦ, ରାଡାର କିମ୍ବା ସୋନାର ଜରିଆରେ ଟାର୍ଗେଟ୍କୁ ସ୍ଥିର କରେ ।