ଭୁବନେଶ୍ବର, ୧୦/୧୦ :  ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମ ବ୍ରାଞ୍ଚ ଟିମ୍ ତନାଘନା ଜାରି ରଖିଛି । ଏହି କ୍ରମରେ ଗତକାଲି ତଦନ୍ତକାରୀ ଟିମ୍ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଉପରେ ଚଢ଼ଉ କରିଥିଲା । ସେଠାରେ ଦୀର୍ଘ ସମୟ ଛନଭିନ ପରେ ଟିମ୍ ଫେରି ଆସିଥିଲା । ତେବେ ଉକ୍ତ ସଂସ୍ଥାର କିଛି ବରିଷ୍ଠ କର୍ମଚାରୀଙ୍କୁ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟକୁ ଆସିବା ପାଇଁ ନୋଟିସ୍ ହୋଇଥିଲା ।

ଆଜି ପୂର୍ବାହ୍ନରେ କୋଚିଂ ସେଣ୍ଟରର ୩ ଜଣ ବରିଷ୍ଠ କର୍ମଚାରୀ ହାଜର ହୋଇଥିଲେ । ମାର୍କେଟିଂ, ଆକାଉଣ୍ଟାଣ୍ଟ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ଆସି ହାଜର ହୋଇଥିଲେ । ସେମାନଙ୍କୁ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିଲା । ଆଣିଥିବା କିଛି କାଗଜପତ୍ର ମଧ୍ୟ କ୍ରାଇମ ବ୍ରାଞ୍ଚ ରଖିଛି । ଦିନ ପ୍ରାୟ ୩ଟାବେଳେ ୩ କର୍ମଚାରୀ ସେଠାରୁ ଚାଲି ଯାଇଛନ୍ତି । ଏ ନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ କିଛି ବି ସୂଚନା ଦିଆଯାଇନି । ୩ କର୍ମଚାରୀ ମଧ୍ୟ ଗଣମାଧ୍ୟମକୁ କିଛି ବି କହିବାକୁ ମନା କରିଥିଲେ ।