ଭୁବନେଶ୍ବର, ୨୫।୯ : ବହୁ ମାମଲା ସମାଧାନ ନ ହୋଇ ପଡି ରହିଛି। ବୈବାହିକ ବିବାଦ, ଜମିବାଡ଼ି ବିବାଦ ଓ ଅନ୍ୟାନ୍ୟ ଛୋଟ ଛୋଟ ମକଦ୍ଦମା ଆଦି ପଡିକି ରହୁଛି। କିନ୍ତୁ ମେଡିଏସନ ଲ ମାଧ୍ୟମରେ କମ ସମୟରେ ସ୍ୱଳ୍ପ ଖର୍ଚ୍ଚରେ ଏହାକୁ ସମାଧାନ କରାଯିବ। ଓଡ଼ିଶାରେ ଦ୍ଵିତୀୟ ଜାତୀୟ ମେଡିଏସନ ସମ୍ମିଳନୀ ଆୟୋଜନ ହେବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଓଡ଼ିଶାରେ ହେବାକୁ ଥିବା ମେଡିଏସନ ସମ୍ମିଳନୀରେ ସୁପ୍ରିମକୋର୍ଟ ସମେତ ଦେଶର ବିଭିନ୍ନ ହାଇକୋର୍ଟର ୧୭ ଜଣ ମୁଖ୍ୟ ବିଚାରପତି ଆସୁଛନ୍ତି। ମେଡିଏସନ ଇନଚାର୍ଜ ମାନେ ଆସୁଛନ୍ତି। ଲୋକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିବା ହେଉଛି ଏହାର ଉଦେଶ୍ୟ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ ସମେତ ୧୦ ଜଣ ବିଚାରପତି ସାମିଲ ହେବେ। ୨୦୦ ଡେଲିଗେଟ ବା ମେଡିଏସନ ସ୍ପେଶିଆଲିଷ୍ଟ ସମ୍ମିଳନୀରେ ଯୋଗ ଦେବେ। ୨୭ ଓ ୨୮ ଦୁଇ ଦିନିଆ ସମ୍ମିଳନୀ ହେବ। ୨୭ ତାରିଖ ସନ୍ଧ୍ୟା ୬ ଟା ୩୦ ରେ ଉଦଘାଟନ ହେବ। ତା ପରଦିନ ୫ ଟି ଟେକ୍ନିକାଲ ସେସନ ହେବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ଅନ୍ୟ ରାଜ୍ୟର ଆଇନ ମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେବେ।
ଓଡିଶା ପାଇଁ ଗୌରବର ବିଷୟ ବୋଲି ଆଡ଼ଭୋକେଟ ଜେନେରାଲ କହିଛନ୍ତି। ମେଡିଏସନ ଆକ୍ଟକୁ ରାଜ୍ୟରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ଏହାଦ୍ୱାରା ଜୁଡିସିଆରୀ ଉପରେ ଚାପ କମିବ।ସୁପ୍ରିମକୋର୍ଟର ସମସ୍ତ ବରିଷ୍ଠ ଜଜ, ସମସ୍ତ ହାଇକୋର୍ଟର ଜଜ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ମେଡିଏସନର ବିଭିନ୍ନ ଦିଗ ବିଷୟରେ ଚର୍ଚ୍ଚା ହେବ। ଯାହା ଫଳରେ ଅନେକ ଦିଗଦର୍ଶନ ମିଳିବ। ରାଜ୍ୟରେ ନାରୀ ଅଦାଲତ ଆରମ୍ଭ ହୋଇଛି। ଷ୍ଟେଟ ଲିଗାଲ ସର୍ଭିସ ଅଥରିଟି ସହ ଗ୍ରାମାଞ୍ଚଳ ବ୍ୟବସ୍ଥାକୁ ଯୋଡିକି ମଧ୍ୟସ୍ଥତା ଜରୀଆରେ ସମାଧାନ ପାଇଁ ଉଦ୍ୟମ ହେବ। ଏହି ମଧ୍ୟସ୍ଥତା ଆଇନକୁ ସରକାର ତୃଣମୂଳ ସ୍ତରକୁ ନେବାକୁ ବ୍ୟାପକ ଯୋଜନା କରୁଥିବା କହିଛନ୍ତି ଆଇନ ମନ୍ତ୍ରୀ। ଷ୍ଟେଟ ଲିଗାଲ ସର୍ଭିସ ଅଥରିଟି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଏହାର ସଠିକ କ୍ରିୟାନ୍ଵୟନ ପାଇଁ କାର୍ଯ୍ୟ କରିବାର ଯୋଜନା ହେଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସମ୍ମିଳନୀ ପାଇଁ ଥିମ ଆଡ଼ଭୋକେଟ ଜେନେରାଲ ଓ ଆଇନ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ଆଇନ ରୂପକ ନିକିତି ଓ ଖୋଲା ବହିକୁ ଏହି ଥିମରେ ରଖାଯାଇଛି ।