ନୂଆଦିଲ୍ଲୀ, ୧।୧୦: ଦେଶର ଅଟୋ କ୍ଷେତ୍ର ଏକ ବଡ଼ ପରିବର୍ତ୍ତନର ଯୁଗ ଦେଇ ଗତି କରୁଛି । ୩-ଚକିଆ ବୈଦ୍ୟୁତିକ ଯାନ ନିର୍ମାତା ଓମେଗା ସିକି ମୋବିଲିଟି ଲଞ୍ଚ କରିଛି ଦେଶର ପ୍ରଥମ ସ୍ୱୟଂଚାଳିତ ବୈଦ୍ୟୁତିକ ଅଟୋ-ରିକ୍ସା । ଯାହାର ନାଁ ସ୍ୱୟଂଗତି। ପାରମ୍ପରିକ ଡିଜାଇନଯୁକ୍ତ ଏହି ଅଟୋକୁ ଦୁଇଟି ସଂସ୍କରଣରେ ଉପସ୍ଥାପନ କରାଯାଇଛି । କାର୍ଗୋ ସଂସ୍କରଣର ମୂଲ୍ୟ ୪.୧୫ ଲକ୍ଷ ଟଙ୍କା ସ୍ଥିର ହୋଇଛି । ବୁକିଂ ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ଡେଲିଭରୀ ଆରମ୍ଭ ହେବ ବୋଲି କମ୍ପାନି ଦାବି କରିଛି ।

ସ୍ୱୟଂଗତିରେ କମ୍ପାନି ୧୦.୩ କିଲୋୱାଟ୍ ଘଣ୍ଟା କ୍ଷମତାସମ୍ପନ୍ନ ବ୍ୟାଟେରୀ-ପ୍ୟାକ ଦେଇଛି । ଥରେ ଚାର୍ଜ କଲେ, ଏହା ୧୨୦ କିମି ପର୍ଯ୍ୟନ୍ତ ଯାଇପାରିବ । ଭାରତର ସଡ଼କ ଓ ଟ୍ରାଫିକ ପ୍ୟାଟର୍ନକୁ ଧ୍ୟାନରେ ରଖି ଏହି ଗାଡ଼ି ନିର୍ମାଣ କରାଯାଇଛି । ସେଥିପାଇଁ ଏଥିରେ ୨୦୦ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ମଧ୍ୟ ଦିଆଯାଇଛି । ଖୁବଶୀଘ୍ର ଏହା ବିମାନବନ୍ଦର, ଟେକ ପାର୍କ, ସ୍ମାର୍ଟ ସହରରେ ଗଡ଼ିବ । ଓଏସଏମ ଘୋଷଣା କରିଛି, ଆଗାମୀ ୨ ବର୍ଷରେ ୧୫୦୦ ସ୍ୱୟଂଚାଳିତ ଇ-ଅଟୋ ନିର୍ମିତ ହେବ, ଯାହା ଦ୍ୱାରା ଲୋକଙ୍କ ଚାହିଦା ପୂରଣ କରାଯାଇପାରିବ ।