ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ଏସଆଇଆରର ସଫଳତା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏସଆଇଆର। ସାମ୍ବାଦିକ ସମ୍ମିଳନୀ ଆରମ୍ଭରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଛଠ ଅବସରରେ ବିହାରର ୭ କୋଟି ୫୦ ଲକ୍ଷ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଜ୍ଞାନେଶ କୁମାର କହିଛନ୍ତି ଯେ, SIRର ଦ୍ୱିତୀୟ ପର୍ଯ୍ୟାୟ ଏବେ ୧୨ଟି ମନୋନୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ କରାଯିବ। ତାଲିକାରେ ଯୋଗ୍ୟ ଭୋଟରଙ୍କୁ ଯୋଡିବା ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ ନାମ ହଟାଇବା ହିଁ ଏସଆଇଆରର ଉଦ୍ଦେଶ୍ୟ । ୧୯୫୧ ରୁ ୨୦୦୪ ପର୍ଯ୍ୟନ୍ତ ୮ ଥର ଏପରି ସଂଶୋଧନ ହୋଇଛି । ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳ ଭୋଟର ତାଲିକାରେ ତ୍ରୁଟି ସଂପର୍କରେ ଅଭିଯୋଗ କରିଆସୁଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଆହୁରି କହିଛନ୍ତି ଯେ, ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ କରାଯାଉଥିବା ରାଜ୍ୟଗୁଡ଼ିକର ଭୋଟର ତାଲିକା ଆଜି ରାତି ୧୨ ଟାରେ ଫ୍ରିଜ୍ କରାଯିବ। ପ୍ରତ୍ୟେକ ବୁଥରେ ଜଣେ BLO ଏବଂ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ERO (Elsctoral registration Officer) ନିୟୋଜିତ ହେବେ । ଆଜି ସମସ୍ତ ଭୋଟରଙ୍କ ପାଇଁ ଗଣନା ଫର୍ମ (EF) ମୁଦ୍ରିତ ହେବ। ପ୍ରତ୍ୟେକ ବିଏଲଓ ସୂଚନା ସଂଗ୍ରହ ପାଇଁ ପ୍ରତ୍ୟେକ ଘରକୁ ଅତି କମରେ ତିନିଥର ପରିଦର୍ଶନ କରିବେ । ନିଜ ନିର୍ବାଚନ ମଣ୍ଡଳୀ ବାହାରେ ଥିବା ଭୋଟରମାନେ ମଧ୍ୟ ଏହି ଫର୍ମଗୁଡ଼ିକୁ ଅନଲାଇନରେ ପୂରଣ କରିପାରିବେ। ଏହି ପ୍ରକ୍ରିୟା ସମୟରେ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ କିମ୍ବା ଫର୍ମ ଆବଶ୍ୟକ ହେବ ନାହିଁ।

ସିଇସି ଜ୍ଞାନେଶ କୁମାର କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ଏସଆଇର ଆଣ୍ଡାମାନ ଏବଂ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ୫ଟି ରାଜ୍ୟ: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତାକାଲି ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ଚୂଡ଼ାନ୍ତ ଡ୍ରାଫ୍ଟ ତାଲିକା ଫେବୃଆରୀ ୭, ୨୦୨୬ରେ ପ୍ରକାଶିତ ହେବ।