ସମ୍ବଲପୁର, ୧୫/୯ : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟକୁ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ଆସିବ ଚାଉଳ। ଆସନ୍ତା ଜାନୁଆରୀ ମାସରୁ ସମଲେଶ୍ୱରୀଙ୍କ ମନ୍ଦିରକୁ  ଆସିବ ସ୍ବତନ୍ତ୍ର ଚାଉଳ । ତେବେ ମା'ଙ୍କ ପାଇଁ ଆସିବାକୁ ଥିବା ଏହି ସ୍ୱତନ୍ତ୍ର ଧାନ ପାଇଁ ସ୍ୱତନ୍ତ୍ର ଭାବେ ଜୈବିକ ପଦ୍ଧତିରେ ଚାଷ କରାଯିବ। ଏଥିପାଇଁ ଆଜି ପଦ୍ମପୁର ଅଞ୍ଚଳର ଚାଷୀମାନେ ମା' ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟକୁ ଆସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି। 

ସୂଚନାନୁଯାୟୀ, ସମଲେଶ୍ୱରୀ ମନ୍ଦିରରେ ପ୍ରତି ଦିନ ୫ କେଜି ଚାଉଳର ଅନ୍ନ ଭୋଗ ଲାଗିଥାଏ। ଏହାକୁ ଭକ୍ତମାନେ ପ୍ରସାଦ ରୂପରେ ଗ୍ରହଣ କରନ୍ତି। ଏଥିପାଇଁ ମା' ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବରଗଡ଼ ଜ଼ିଲ୍ଲା ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କୁ ଯୋଗାଯୋଗ କରି ଚାଉଳ ପଠାଇବାକୁ ଅନୁରୋଧ କରାଯାଇଥିଲା। ଏହି ଅନୁରୋଧକୁ ରକ୍ଷା କରି ପଦ୍ମପୁର ଅଞ୍ଚଳର ଚାଷୀମାନେ ମା'ଙ୍କ ନିକଟକୁ ଚାଉଳ ପଠାଇବା ପାଇଁ ରାଜି ହୋଇଛନ୍ତି।  ଏଥିପାଇଁ ସୋମବାର ପଦ୍ମପୁର ଅଞ୍ଚଳର ଚାଷୀମାନେ ମା' ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟକୁ ଆସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ଏହି ଧାନ ପାଇଁ ସ୍ୱତନ୍ତ୍ର ଭାବେ ଜୈବିକ ପଦ୍ଧତିରେ ଚାଷ କରାଯିବ। ଭକ୍ତମାନେ ଅନ୍ନ ଗ୍ରହଣ ପରେ ଏକ ଦିବ୍ୟ ଅନୁଭୂତି ପାଇବେ ବୋଲି ଚାଷୀମାନେ କହିଛନ୍ତି।