ଯେତେବେଳେ ଆମେ ରାଜ୍ୟଗୁଡ଼ିକର ଭୂମିକାକୁ ବିଶ୍ଳେଷଣ କରୁ, ଏହା ସ୍ପଷ୍ଟ ହୋଇଯାଏ ଯେ ରାଜ୍ୟଗୁଡ଼ିକ କେବଳ ସୀମା ଭିତରେ ଥିବା ଖେଳାଳି ନୁହନ୍ତି, ବରଂ ଭାରତର ସଂସ୍କାର ଏବଂ ଅଭିବୃଦ୍ଧି କାହାଣୀର କେନ୍ଦ୍ରବିନ୍ଦୁ । ସେମାନଙ୍କ ଯୋଗଦାନର ପରିମାଣ ଦେଶର ବିକାଶର ଗତିପଥ ନିର୍ଦ୍ଧାରଣ କରିଥାଏ, ଯେଉଁଥିପାଇଁ ସେମାନଙ୍କ ଅନନ୍ୟ ସାମର୍ଥ୍ୟର ଲାଭ ଉଠାଇବା ପାଇଁ ଜାତୀୟ ନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବା, ସେମାନଙ୍କର ସଂସ୍ଥାଗତ କ୍ଷମତାକୁ ସଶକ୍ତ କରିବା ଏବଂ ସେମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରିବା, ଭାରତରେ ପରବର୍ତ୍ତୀ ପିଢ଼ିର ଅର୍ଥନୈତିକ ପରିବର୍ତ୍ତନକୁ ଉନ୍ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ନିକଟରେ, ମୋତେ ଏକ ସହରାଞ୍ଚଳ ସମ୍ମିଳନୀରେ ଯୋଗଦେବାର ସୁଯୋଗ ମିଳିଥିଲା, ଯେଉଁଥିରେ ସରକାରୀ ସଂସ୍ଥା ସମେତ ବିଭିନ୍ନ ସଙ୍ଗଠନର ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ଏଭଳି ସମ୍ମିଳନୀରେ ଅନେକ ସମୟରେ କେନ୍ଦ୍ର ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମ ଉପରେ ବିଚାର-ବିମର୍ଶ ହୋଇଥାଏ । ମୁଁ କେତେକ ଅଂଶୀଦାରଙ୍କ ସହ କଥାବାର୍ତ୍ତା କରି ଲକ୍ଷ୍ୟ କଲି ଯେ, ସେମାନେ ରାଜ୍ୟସ୍ତରରେ ନିଆଯାଇଥିବା ବ୍ୟାପକ ପଦକ୍ଷେପ ସହିତ ଅଧିକ ପରିଚିତ ନଥିଲେ । କେତେକ ସହକର୍ମୀ ମଧ୍ୟ ଭାରତ ସରକାର ସ୍ତରରେ କାର୍ଯ୍ୟକୁ ଦୃଢ଼ ଭାବେ ସମର୍ଥନ କରି ଏହାର ବ୍ୟାପକତା ଏବଂ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ସେମାନଙ୍କର ଯୁକ୍ତିର ସ୍ୱର କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକ ଦ୍ୱାରା କରାଯାଇଥିବା କାର୍ଯ୍ୟର ମହତ୍ତ୍ୱ ଏବଂ ସେମାନେ ନେତୃତ୍ୱ ନେଉଥିବା ସଂସ୍କାର ଉପରେ ଗୁରୁତ୍ୱ ଦେବା ପାଇଁ ଉଦ୍ଦିଷ୍ଟ ଥିଲା ।
ଭାରତୀୟ ପ୍ରାଶାସନିକ ସେବାର ଜଣେ ଅଧିକାରୀ ଭାବେ ମୁଁ ସହମତ ଯେ, ଜାତୀୟ ସ୍ତରରେ କାର୍ଯ୍ୟ କରିବାରୁ ଯୋଗଦାନ କରିବା ଏବଂ ଶିଖିବା ପାଇଁ ଏକ ବୃହତ ମଞ୍ଚ ଉପଲବ୍ଧ ହୋଇଥାଏ । ତଥାପି, ମୁଁ ଏହା ମଧ୍ୟ ବିଶ୍ୱାସ କରେ ଯେ ରାଜ୍ୟସ୍ତରରେ ସମାନ ସୁଯୋଗ ଏବଂ ପ୍ରଭାବ ସୃଷ୍ଟି କରାଯାଇପାରିବ । ଭାରତର ସଂଘୀୟ ବ୍ୟବସ୍ଥାରେ, ରାଷ୍ଟ୍ରର ବିକାଶକୁ ଆଗେଇ ନେବାରେ ରାଜ୍ୟଗୁଡ଼ିକର ସମାନ ଭୂମିକା ରହିଛି । ଭାରତର ଅଭିବୃଦ୍ଧି କାହାଣୀ ପ୍ରାୟତଃ ମିଶନ ପରିଚାଳିତ ନୀତି, ବଜେଟ୍ ଘୋଷଣା ଏବଂ ଜାତୀୟ ସ୍ତରରେ ବୃହତ ଅର୍ଥନୈତିକ ସୂଚକ ମାଧ୍ୟମରେ ବର୍ଣ୍ଣନା କରାଯାଇଥାଏ । କିନ୍ତୁ ଏହି ରାଜ୍ୟଗୁଡ଼ିକ ହିଁ ଏହି ଆର୍ଥିକ ଉତ୍ଥାନ ଏବଂ ପରିବର୍ତ୍ତନକୁ ଆଗେଇ ନେଉଥିବା ପ୍ରକୃତ ଇଞ୍ଜିନ ଥାଆନ୍ତି । ସେମାନଙ୍କର ଆର୍ଥିକ ଶକ୍ତି, ନୀତିଗତ ପସନ୍ଦ, ପ୍ରଶାସନର ଗୁଣବତ୍ତା ଏବଂ ନିବେଶ ଅନୁକୂଳ ପରିବେଶ ସାମୂହିକ ଏବଂ ନିର୍ଣ୍ଣାୟକ ଭାବେ ଭାରତର ଆର୍ଥିକ ଗତିପଥକୁ ରୂପ ଦେଇଥାଏ ।
ଏହି ଗତିଶୀଳତାକୁ ବୁଝିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟସ୍ତରରେ ବ୍ୟୟ ଢାଞ୍ଚାକୁ ଅନୁଧ୍ୟାନ କରିବା ଆବଶ୍ୟକ । ନିକଟ ଅତୀତରେ, ଭାରତୀୟ ରାଜ୍ୟଗୁଡ଼ିକ ସାର୍ବଜନୀନ ଖର୍ଚ୍ଚର ପ୍ରାଥମିକ ବାହକ ଭାବେ ଉଭା ହୋଇଛନ୍ତି । ମୋଟାମୋଟି ଭାବେ ଦେଶର ମୋଟ୍ ସରକାରୀ ଖର୍ଚ୍ଚର ପ୍ରାୟ ୬୫ ପ୍ରତିଶତ ରାଜ୍ୟଗୁଡ଼ିକ ବହନ କରିଥାନ୍ତି । ଏହା ସୂଚିତ କରେ ଯେ ଜମି, କୃଷି, ସ୍ଥାନୀୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କଲ୍ୟାଣ ଏବଂ ଆଇନ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପୁଞ୍ଜି ବ୍ୟୟ ବୃଦ୍ଧି ମାଧ୍ୟମରେ ରାଜ୍ୟଗୁଡ଼ିକ ଦ୍ୱାରା ବ୍ୟାପକ ବିନିଯୋଗ କରାଯାଉଛି ।
ଆର୍ଥିକ ବର୍ଷ ୨୦୧୩-୧୪ ଏବଂ ୨୦୨୨-୨୩ ମଧ୍ୟରେ ରାଜ୍ୟଗୁଡ଼ିକ ଦ୍ୱାରା ମୋଟ୍ ଖର୍ଚ୍ଚ ପ୍ରାୟ ୧୮୦% ବୃଦ୍ଧିପାଇଛି, ଯାହା ଭାରତର ଉପ-ଜାତୀୟ ଅର୍ଥବ୍ୟବସ୍ଥାର ବର୍ଦ୍ଧିତ ଶକ୍ତିକୁ ଦର୍ଶାଉଛି । ରାଜ୍ୟଗୁଡ଼ିକର ମୋଟ୍ ବ୍ୟୟ ଏବେ ଭାରତର ଜି.ଡି.ପି.ର ପାଖାପାଖି ୧୬ ପ୍ରତିଶତ, ଯାହା କେନ୍ଦ୍ରର ବ୍ୟୟ ଅନୁପାତକୁ ଅତିକ୍ରମ କରିଛି । ସାତଟି ପ୍ରମୁଖ ରାଜ୍ୟ ଯଥା– ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ମିଳିତ ଭାବେ ଦେଶର ଜି.ଡି.ପି.ରେ ୫୦ ପ୍ରତିଶତରୁ ଅଧିକ ଯୋଗଦାନ କରିଥାନ୍ତି । ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟଗୁଡ଼ିକ ଆର୍ଥିକ କାର୍ଯ୍ୟକଳାପକୁ ଆହୁରି ପ୍ରୋତ୍ସାହନ ଦେବେ ବୋଲି ଆଶା କରାଯାଉଛି ।
ତେବେ ଏହି ପରିବର୍ତ୍ତନ କେବଳ ଆର୍ଥିକ ନୁହେଁ, ଏହା ରଣନୈତିକ ମଧ୍ୟ । ଦେଶ ଏବଂ ବିଦେଶରୁ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟଗୁଡ଼ିକ ଅଧିକରୁ ଅଧିକ ସଂସ୍କାର ଗ୍ରହଣ କରୁଛନ୍ତି । ଅନେକ ପ୍ରଗତିଶୀଳ ରାଜ୍ୟ ନୀତି ନବସୃଜନ ଏବଂ ଶିଳ୍ପ ସୁବିଧା ମାଧ୍ୟମରେ ଯଥେଷ୍ଟ ବିଦେଶୀ ପୁଞ୍ଜି ପ୍ରବାହ ହାସଲ କରିଛନ୍ତି । ବ୍ୟବସାୟିକ ସୁଗମତା (ଇ.ଓ.ଡି.ବି.) ଏକ ସର୍ବୋଚ୍ଚ ପ୍ରାଥମିକତା ହୋଇପାରିଛି, ଯେଉଁଥିରେ ସକ୍ରିୟ ନିବେଶକଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହା ଉଚ୍ଚ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକୁ ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ଅଲଗା କରିଛି । ଏହି ଧାରା ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଛି, ପଛୁଆ ରାଜ୍ୟଗୁଡ଼ିକୁ ସଂସ୍କାର ପାଇଁ ପ୍ରୋତ୍ସାହିତ କରିଛି ଯାହା ଏକ ସ୍ୱାଗତଯୋଗ୍ୟ ବିକାଶ । ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁ ଭଳି ରାଜ୍ୟ ନିବେଶ ଆକୃଷ୍ଟ କରିବାରେ ଅଗ୍ରଣୀ ରହିଥିବାବେଳେ ଓଡ଼ିଶା, ଆସାମ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଦ୍ରୁତଗତିରେ ଆଗକୁ ବଢ଼ୁଛନ୍ତି ।
ଏପରିକି ପୁଞ୍ଜି ବ୍ୟୟ ଦୃଷ୍ଟିରୁ, ଭାରତୀୟ ରାଜ୍ୟଗୁଡ଼ିକ ସାମୂହିକ ଭାବେ କେନ୍ଦ୍ରର ଖର୍ଚ୍ଚ ସହ ମେଳ ଖାଆନ୍ତି । ଚୀନ୍ ସମେତ ବିଶ୍ୱର ସର୍ବୋତ୍ତମ ଅଭ୍ୟାସକୁ ଅନୁସରଣ କରି, କେନ୍ଦ୍ର ସରକାର ବୃହତ ଚିତ୍ର ଉପରେ ଧ୍ୟାନକେନ୍ଦ୍ରିତ କରିପାରିବେ ଏବଂ ସୁଧମୁକ୍ତ ଋଣ କିମ୍ବା ଅନୁଦାନ ମାଧ୍ୟମରେ ରାଜ୍ୟ ତଥା ସହରଗୁଡ଼ିକୁ ସମର୍ଥନ କରିପାରିବେ, ଯାହା ସେମାନଙ୍କୁ ଜାତୀୟ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରିବ । ମିଶନ ମୋଡ୍ ଯୋଜନା ଯେପରିକି ସମସ୍ତଙ୍କ ଲାଗି ବାସଗୃହ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାର୍ବଜନୀନ ସ୍ୱାସ୍ଥ୍ୟସେବା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ପୋଷଣ ଅଭିଯାନ, ବାସଯୋଗ୍ୟ ସହର ସୃଷ୍ଟି ପାଇଁ ସ୍ମାର୍ଟ ସିଟି ପ୍ରକଳ୍ପ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ରାଜ୍ୟଗୁଡ଼ିକୁ ଏଭଳି ସହାୟତାର ଉତ୍ତମ ଉଦାହରଣ ।
ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ, କାରଣ ସମସ୍ତ ରାଜ୍ୟ ନିଜ ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବା ପାଇଁ ସମାନ ଆର୍ଥିକ କିମ୍ବା ପ୍ରାଶାସନିକ କ୍ଷମତା ରଖନ୍ତିନାହିଁ । କେତେକ ରାଜ୍ୟ ସେମାନଙ୍କୁ ଅନ୍ୟମାନଙ୍କ ସହିତ ସମାନ କରିବା ପାଇଁ ଅନ୍ୟର ସହାୟତା ଆବଶ୍ୟକ କରନ୍ତି । ବେଳେବେଳେ ସ୍ୱଳ୍ପକାଳୀନ ଲାଭ ପାଇଁ ରାଜ୍ୟଗୁଡ଼ିକ ଦ୍ୱାରା ଲୋକପ୍ରିୟ ଆଭିମୁଖ୍ୟ ସହିତ ‘ଅତ୍ୟଧିକ-ଆଞ୍ଚଳିକତା' ଜାତୀୟ ସଂସ୍କାର ପ୍ରକ୍ରିୟାକୁ ପଥଚ୍ୟୁତ କରିପାରେ । ଏଭଳି ପ୍ରବୃତ୍ତିକୁ ରୋକିବା ଏବଂ ଆର୍ଥିକ ଓ ଅଣ-ଆର୍ଥିକ ପ୍ରୋତ୍ସାହନ ଜରିଆରେ ରାଜ୍ୟଗୁଡ଼ିକୁ ଜାତୀୟ ଲକ୍ଷ୍ୟ ସହ ଯୋଡ଼ିବା ଦିଗରେ କେନ୍ଦ୍ର ସରକାର ଗଠନମୂଳକ ଭୂମିକା ଗ୍ରହଣ କରିପାରିବେ । ପୁଞ୍ଜି ନିବେଶ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା (ଏସ୍.ଏ.ଏସ୍. ସି.ସି.ଆଇ.) ହେଉଛି ଏପରି ଏକ ପଦକ୍ଷେପ, ଯାହା ରାଜ୍ୟଗୁଡ଼ିକୁ ଆବଶ୍ୟକ ସଂସ୍କାର ଗ୍ରହଣ କରିବା ପରେ କେନ୍ଦ୍ର ସରକାରଙ୍କ ଠାରୁ ପାଣ୍ଠି ପାଇବା ପାଇଁ ସକ୍ଷମ କରିଥାଏ ।
ନିକଟରେ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ଅଭିଭାଷଣରେ ମାନ୍ୟବର ପ୍ରଧାନମନ୍ତ୍ରୀ ଆର୍ଥିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଥିବା ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆତ୍ମନିର୍ଭର ଭାରତର ପରିକଳ୍ପନା କେବଳ ସେତେବେଳେ ସାକାର ହୋଇପାରିବ ଯେତେବେଳେ ରାଜ୍ୟଗୁଡ଼ିକର ସମ୍ପୂର୍ଣ୍ଣ ସାମର୍ଥ୍ୟ ଉନ୍ମୁକ୍ତ ହେବ । ପୂର୍ବୋଦୟ ପଦକ୍ଷେପ ହେଉ, ଯାହା ପୂର୍ବ-ଭାରତର ବିକାଶକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛି କିମ୍ବା ସହରାଞ୍ଚଳକୁ ଅଭିବୃଦ୍ଧିର ଇଞ୍ଜିନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ ସିଟି ମିଶନ ହେଉ, ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିକାଶର ଅପରିହାର୍ଯ୍ୟ ଭାବରେ ଦୃଢ଼ ଭାବରେ ସ୍ୱୀକୃତି ଦିଆଯାଇଛି ।
ଯେତେବେଳେ ଆମେ ରାଜ୍ୟଗୁଡ଼ିକର ଭୂମିକାକୁ ବିଶ୍ଳେଷଣ କରୁ, ଏହା ସ୍ପଷ୍ଟ ହୋଇଯାଏ ଯେ ରାଜ୍ୟଗୁଡ଼ିକ କେବଳ ସୀମା ଭିତରେ ଥିବା ଖେଳାଳି ନୁହନ୍ତି, ବରଂ ଭାରତର ସଂସ୍କାର ଏବଂ ଅଭିବୃଦ୍ଧି କାହାଣୀର କେନ୍ଦ୍ରବିନ୍ଦୁ । ସେମାନଙ୍କ ଯୋଗଦାନର ପରିମାଣ ଦେଶର ବିକାଶର ଗତିପଥ ନିର୍ଦ୍ଧାରଣ କରିଥାଏ, ଯେଉଁଥିପାଇଁ ସେମାନଙ୍କ ଅନନ୍ୟ ସାମର୍ଥ୍ୟର ଲାଭ ଉଠାଇବା ପାଇଁ ଜାତୀୟ ନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବା, ସେମାନଙ୍କର ସଂସ୍ଥାଗତ କ୍ଷମତାକୁ ସଶକ୍ତ କରିବା ଏବଂ ସେମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରିବା, ଭାରତରେ ପରବର୍ତ୍ତୀ ପିଢ଼ିର ଅର୍ଥନୈତିକ ପରିବର୍ତ୍ତନକୁ ଉନ୍ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସାରାଂଶରେ, ରାଜ୍ୟଗୁଡ଼ିକ କେବଳ ପ୍ରାଶାସନିକ ସଂସ୍ଥା ନୁହଁନ୍ତି, ସେମାନେ ହେଉଛନ୍ତି ନବସୃଜନ, ଶାସନ ଏବଂ ସମାବେଶୀ ବିକାଶର ପ୍ରେରଣାଦାୟୀ ଆଧାର । ଯେତେବେଳେ ଭାରତ ବିକଶିତ ଭାରତ ୨୦୪୭ ଆଡ଼କୁ ଅଗ୍ରସର ହେଉଛି, ଏହା ହେଉଛି ସେହିସବୁ ରାଜ୍ୟଗୁଡ଼ିକର ସାମୂହିକ ଶକ୍ତି ଯାହା ଆକାଂକ୍ଷାରୁ ସଫଳତା ପର୍ଯ୍ୟନ୍ତ ଏହି ଯାତ୍ରାକୁ ତ୍ୱରାନ୍ୱିତ କରିବ । ବିକଶିତ ଭାରତର ଭବିଷ୍ୟତ ଏହାର ରାଜ୍ୟଗୁଡ଼ିକର ସଫଳତା କାହାଣୀରେ ଲେଖାଯିବ।