ଭୁବନେଶ୍ୱର, ୨୪/୧୦ : ସରକାରୀ ଫାର୍ମରେ ହେବ ଶସ୍ୟ ଭଣ୍ଡାର। ମହଜୁଦ ରହିବ ବଳକା ଶସ୍ୟ। ଶୁକ୍ରବାର କୃଷି ଭବନରେ ରାଜ୍ୟ ରବି କ୍ୟାମ୍ପେନ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହା କହିଛନ୍ତି । ସେହିପରି ଜୈବିକ ଚାଉଳରେ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତ ହେବ। ରଥଯାତ୍ରାରୁ ମହାପ୍ରଭୁଙ୍କ ନିକଟରେ ଏହି ଭୋଗ ଲାଗିବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। 

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଧାନ ଓ ଚାଉଳ ଅଧିକ ଗଛିତ କରି ରଖିବା ପାଇଁ ଉଦ୍ୟମ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଭଳି ରାଜ୍ୟ ମାଗଣା ଚାଉଳ ଦେଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଏବେ ଆମ ରାଜ୍ୟର ୧୯ଟି ଜିଲ୍ଲାରେ ପରିବାର ପିଛା ମାଗଣାରେ ୫ କେଜି ଚାଉଳ ଦିଆଯିବ। ଆଗାମୀ ଦିନରେ ଏହା ସବୁ ଜିଲ୍ଲାରେ ଲାଗୁ କରିବା ଉଚିତ୍। ତେବେ ଆଗାମୀ ଦିନରେ ଆମ ମିଳାରମାନେ ଅରୁଆ ଚାଉଳ ଉତ୍ପାଦନ କରନ୍ତୁ। ଏହାକୁ ବାହାର ରାଜ୍ୟ ନେଇପାରିବ। 

a​​​​​​​

ଉପମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଉଦୟପୁରରେ କୃଷି ପର୍ଯ୍ୟଟନ ବିକାଶ ହୋଇଛି। ଆମ ରାଜ୍ୟରେ ମଧ୍ୟ ତାହା କରାଯିବ। ବଲାଙ୍ଗୀରରେ ମାତ୍ର ତିନି ପ୍ରତିଶତ ଜଳସେଚନ ଥିଲା। ନୂଆ ଜଳସେଚନ ଦ୍ୱାରା ଅଧିକ ପରିମାଣ ବଢିବ। ଜଗଦୀଶ ରେଡ୍ଡୀଙ୍କ ଚାଷ ପ୍ରଣାଳୀକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ତାଙ୍କଠୁ ଆମେ ପ୍ରାକୃତିକ ଉପାୟରେ ଚାଷ ପ୍ରଣାଳୀ ଶିଖିବୁ। ସେ ଜୈବିକ ଚାଷ ନ କରି ପ୍ରାକୃତିକ ଉପାୟରେ ଚାଷ କରୁଛନ୍ତି । ସୌର ପ୍ରକଳ୍ପ ଗୁଡିକ କେବଳ ଗୋଟେ ପାଖରେ ବ୍ୟବହାର ହୋଇ ପାରୁଛି। ଅନ୍ୟ ପାଖରେ ବ୍ୟବହାର ନହୋଇ ବେକାର ପଡି ରହୁଛି । ସେଠାରେ ଡାଲି ଚାଷ, ପାମ ଅଏଲ ଚାଷ ହୋଇ ପାରିବ। ଆଗାମୀ ଦିନରେ ଡାଲି ଓ ତୈଳବୀଜ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ। ସେହିପରି ଜ୍ୟାକ୍ ଫ୍ରୁଟ୍ କିଙ୍ଗ୍ ଅଫ୍ ଇଣ୍ଡିଆ ସହ ଆଲୋଚନା ହୋଇଛି। ସେ ପଣସକୁ ଶୁଖାଇ ପରେ ବ୍ୟବହାର କରିବା ଶିଖାଉଛନ୍ତି। ନିଜେ କିଣି ନେଉଛନ୍ତି। ଯାହା ବହୁତ ସ୍ୱାଦ ଲାଗୁଛି। ଏବେ ପଦ୍ମପୁରରେ ଆରମ୍ଭ ହୋଇଛି। ଆଗାମୀ ଦିନରେ ଅନ୍ୟ ଆଡ଼େ ହେବ। ଚାଷୀର ରୋଜଗାର ଦୁଇ ଗୁଣାରୁ ତିନି ଗୁଣା ଅଧିକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
       
ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ମାଣ୍ଡିଆ ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ  ସୂଚନା ଦେଇଛନ୍ତି।

ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟର ଜଳ ଭଣ୍ଡାରରେ ପ୍ରଚୁର ଜଳ ରହିଛି। ତେଣୁ ରବି ଋତୁରେ ଚାଷରେ ସମସ୍ୟା ହେବନି। ଆଗାମୀ ଦିନରେ ଆମ ରାଜ୍ୟର ଚାଷୀ ରୋଜଗାରରେ ଦେଶର ପଞ୍ଚମ ହେବ। ସମସ୍ତ ଚାଷ କାମ ସୌର ବିଦ୍ୟୁତରେ ହେବ। ଚାଷୀଙ୍କ ମୁଣ୍ଡ ପିଛା ଆୟ ବଢିବ। ରାଜ୍ୟରେ ୨୦୨୯ ସୁଦ୍ଧା ୧୫ ଲକ୍ଷ ହେକ୍ଟର ନୂଆ ଜଳସେଚନ ହେବ।  ସେଥିରୁ ୪ ଲକ୍ଷ ହେକ୍ଟର ରବି ଋତୁରେ ବ୍ୟବହାର ହେବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।