ଭୁବନେଶ୍ବର,୧୭।୯ : ଡିଜେ ପାଇଁ ନୂଆ ସର୍କୁଲାର ଆଣିଲା ରାଜ୍ୟ ପରିବହନ ବିଭାଗ। ନୂଆ ନିୟମ ଅନୁଯାୟୀ ଡିଜେ ଗାଡ଼ି ମୋଡ଼ିଫିକେଶନ ହେବ ନାହିଁ। ଡିଜେରେ ଏକଷ୍ଟ୍ରା ଲାଇଟ୍ ଲଗେଇ ପାରିବ ନାହିଁ। ରଙ୍ଗୀନ୍ ଝଲମଲ ଲାଇଟ୍ ଲାଗିବ ନାହିଁ। ୬୦ ଡେଶିବିଲ ରୁ ଅଧିକ ଶବ୍ଦ ବାଜିବ ନାହିଁ। ଏଣିକି ଏହି ନିୟମ ସାରା ରାଜ୍ୟରେ ଲାଗୁ ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଥରେ ନିୟମ ଉଲଂଘନ କଲେ ୧ ବର୍ଷ ଜେଲ, ୧ ଲକ୍ଷ ଜରିମାନା ଲାଗିବ । ବାରମ୍ବାର କଲେ ଫିଟନେସ କ୍ୟାନ୍ସେଲ କରିବ ବିଭାଗ। ଡିଜେ ଗାଡ଼ି ଡ୍ରାଇଭର ମିରର ରେ ପଛ ପାଖ ଦେଖିପାରୁଥିବାକୁ ବାଧ୍ୟତା ମୂଳକ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ରାସ୍ତାରେ ଯିବା ଆସିବା ବେଳେ ଅସୁବିଧା ସୃଷ୍ଟି କରୁଛି ଡିଜେ ଗାଡ଼ି। ଯାହା ଆଉ ଏପରି ହେବ ନାହିଁ। ଏମଭିଏ ନିୟମ ୧୮୨/୨୪ ଅନୁସାରେ ଜେଲ ଓ ଜରିମାନା ଲଗାଯିବ। ୧୯୦/୦୨ ଧାରାରେ ରେଜିଷ୍ଟ୍ରେସନ୍ ହେବ। ନିୟମ ଉଲଂଘନକାରୀ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ନୂଆ ସର୍କୁଲାର୍ ଦ୍ଵାରା ଡିଜେ ଭିତରେ କମ୍ପିଟିସନ୍ ବି ବନ୍ଦ ହେବ। ଦୁର୍ଗା ପୂଜା ପାଇଁ ନୁହେଁ ସବୁ ଦିନ ପାଇଁ ନିୟମ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।