ମୁମ୍ବାଇ,୦୯/୧୦: ରୋହିତ ଏବଂ ବିରାଟଙ୍କୁ ନେଇ ସମାଲୋଚନାର ଶିକାର ହେଲେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର । ଇଂଲଣ୍ଡର ପୂର୍ବତନ ପେସ୍ ବୋଲର ଷ୍ଟିଭ୍ ହର୍ମିସନ ତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରୋହିତ ଶର୍ମା ଏବଂ ବିରାଟ୍ କୋହଲିଙ୍କ ଦିନିକିଆ ଭବିଷ୍ୟତକୁ ନେଇ ଅଗରକର ଟିପ୍ପଣୀ କରିବା ଠିକ୍ ନୁହେଁ । ବିଦେଶୀ ଖେଳାଳିଙ୍କ ଏହି ମନ୍ତବ୍ୟ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆସିଛି ।
ଗତ ସପ୍ତାହରେ ଗୁଜରାଟର ଅହମ୍ମଦାବାଦରେ ପ୍ରେସ୍ କନଫ୍ରେନ୍ସ ସମୟରେ ମୁଖ୍ୟ ଚୟନକର୍ତ୍ତା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଶୁବମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ କ୍ୟାପଟେନ୍ ଘୋଷଣା କରିଥିଲେ । ଏହି ସମୟରେ ଅଗରକର କହିଥିଲେ ଭାରତୀୟ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ୍ ଶର୍ମା ଏବଂ ବିରାଟ କୋହଲି ୨୦୨୭ ବିଶ୍ବକପକୁ ନେଇ ଏଯାଏ ନିଜର ପ୍ରତିବଦ୍ଧତା ଦେଖାଇ ନାହାନ୍ତି । ଦୁଇ ଖେଳାଳି ଟିମ୍ ଇଣ୍ଡିଆର କେବଳ ଗୋଟିଏ ଫର୍ମାଟ୍ ଖେଳୁଛନ୍ତି । ଟେଷ୍ଟ, ଟି-୨୦ରୁ ଅବସର ନେଇ ସାରିଛନ୍ତି । ତେଣୁ ସେମାନଙ୍କୁ ବିଶ୍ବକପ ସିଲେକ୍ସନ ଦୌଡ଼ରେ ରହିବାକୁ ହେଲେ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ । ଡୋମେଷ୍ଟିକ୍ ଖେଳ ଆଧାରରେ ଚୟନ କରାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି, ରୋହିତ ଏବଂ ବିରାଟ ଆଇପିଏଲ ୨୦୨୫ ପରେ କୌଣସି ପ୍ରତିଯୋଗିତା ଖେଳିନାହାନ୍ତି । ଦୁଇ ବରିଷ୍ଠ ଖେଳାଳି ଶେଷ ଥର ପାଇଁ ଭାରତ ପାଇଁ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳିଥିଲେ । ଟକ୍ ସ୍ପୋର୍ଟ କ୍ରିକେଟରେ ଆଲୋଚନା କରି ଇଂଲଣ୍ଡ ପେସ୍ ବୋଲର ଷ୍ଟିଭ୍ ହାର୍ମିସନଙ୍କ କହିଛନ୍ତି, ଅଜିତ ଅଗରକାରଙ୍କ ଏହି ବୟାନ ଦୁଇ ଖେଳାଳିଙ୍କୁ ଭବିଷ୍ୟତରେ ମୁସ୍କିଲରେ ପକାଇ ପାରେ । ସେ ଇଙ୍ଗିତ କରି କହିଛନ୍ତି, ଟିମ୍କୁ କୌଣସି ପୂର୍ବତନ ଅଧିନାୟକ ଜିତାଇ ପାରିବେ, ପର୍ବତନ ଅଲରାଉଣ୍ଡର ନୁହେଁ । ଯଦି ଅଗରକରଙ୍କ ବୟାନ କେବଳ ଦୁଇ ଖେଳାଳିଙ୍କୁ ଉସୁକେଇବା ପାଇଁ, ତେବେ ଉଭୟେ ନିଜ ତରିକାରେ ପ୍ରଦର୍ଶନ ଦେଖାଇବା ଜରୁରୀ । ଭବିଷ୍ୟତରେ କ’ଣ ହେବ ତାହା ପରେ ଜଣାପଡ଼ିବ ।