ନୂଆଦିଲ୍ଲୀ,୨୩/୦୯: ବୁଲେଟ୍ ସ୍ପିଡରେ ଆସି ଫିଲିପାଇନ୍ସକୁ ହିଟ୍ କରିଛି ସୁପର ଟାଇଫୁନ 'ରାଗାସା' । ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୨୯୫ କିଲୋମିଟର ବେଗରେ ବହିଲା ପବନ । ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ରାଗାସା । ବାତ୍ୟା ପ୍ରଭାବରେ ଘରଦ୍ୱାର ଭାଙ୍ଗିଛି, ଗଛ ଉପୁଡିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ବାତ୍ୟାକୁ ନେଇ ଅନେକ ଦେଶ ଆଲର୍ଟରେ ରହିଛି । ଫିଲିପାଇନ୍ସକୁ ହିଟ୍ କରିବା ପରେ ଚୀନ୍ ମୁହାଁ ହୋଇଛି ରାଗାସା । ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ହୋଇଛି । ପ୍ରାୟ ୭୦୦ ପ୍ଲାଇଟ୍ କ୍ୟାନ୍ସଲ ହୋଇଛି । ଚୀନ୍ ଉପରେ ବର୍ତ୍ତମାନ ବିନାଶକାରୀ ସୁପର ଟାଇଫୁନ୍ର ବିପଦ ରହିଛି । ତେଣୁ ଶତାଧିକ ପ୍ଲାଇଟ୍ କ୍ୟାନ୍ସେଲ ହୋଇଛି । ସ୍କୁଲ ବନ୍ଦ ରହିଛି ।
ରାଗାସା ପ୍ରଭାବରେ ଫିଲିପାଇନ୍ସରେ ଅନେକ ଘରଦ୍ବାର ଭାଙ୍ଗିଛି, ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି । ହଂକଂରେ ବି ଦେଖିବାକୁ ମିଳିଛି ରାଗାସାର ତାଣ୍ଡବ । ଏହି ସୁପର ଟାଇଫୁନ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଶହ ଶହ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ମହାବାତ୍ୟା ରାଗାସା ପାଇଁ ୫ ଦେଶରେ ଆଲର୍ଟ ଜାରି କରାଯାଇଛି । ଚୀନ, ଫିଲିପାଇନ୍ସ, ହଂକଂ, ଥାଇଲାଣ୍ଡ ଓ ତାଇୱାନ୍ରେ ଆଲର୍ଟ ଜାରି କରାଯାଇଛି । ହଂକଂରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ଚୀନର ବିଭିନ୍ନ ଅଞ୍ଚଳକୁ ଆଲର୍ଟ- ରାଗାସା ପ୍ରଭାବରେ ଆଜିଠୁ ଚୀନର ଉପକୂଳବର୍ତ୍ତୀ ଅଞ୍ଚଳରେ ମୁଶଳଧର ବର୍ଷା ଏବଂ ପ୍ରବଳ ପବନ ଆସିବାର ସମ୍ଭାବନା ରହିଛି । ଦକ୍ଷିଣ ଗ୍ୱାଙ୍ଗଡଙ୍ଗ ପ୍ରଦେଶର ଜିଆଙ୍ଗମେନ୍, ୟାଙ୍ଗଜିଆଙ୍ଗ, ଝୋଙ୍ଗସାନ୍ ଏବଂ ଝୁହାଇ ସମେତ ଅନେକ ସହରରେ ସ୍କୁଲ, ଅଫିସ୍ ଏବଂ କାରଖାନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍ ପାଣିପାଗ ସଂସ୍ଥା ଅନୁଯାୟୀ, ଏହି ଘୂର୍ଣ୍ଣିଝଡ଼ ଗ୍ୱାଙ୍ଗଡଙ୍ଗରେ ସ୍ଥଳଭାଗ ଛୁଇଁପାରେ । ରାଗାସାକୁ ନେଇ ୫ ଦେଶ ଆଲର୍ଟରେ ରହିଛି । ହଂକଂ, ତାଇୱାନ, ଚୀନ, ଭିଏତାନାମ କ୍ଷୟକ୍ଷତି ଆଶଙ୍କା ରହିଛି ।