ନୂଆଦିଲ୍ଲୀ,୩୦/୦୯: ଟିଭି ସିରିଏଲ "ଶ୍ରୀମଦ୍ ରାମାୟଣ"ରେ ପୁଷ୍କଳ ଭୂମିକାରେ ଅଭିନୟ କରିଥିବା ବୀର ଶର୍ମାଙ୍କର ମୃତ୍ୟୁ ହୋଇଛି । ୮ ବର୍ଷୀୟ ଟେଲିଭିଜନ ଅଭିନେତା ବୀର ଶର୍ମା ଏବଂ ତାଙ୍କ ଭାଇ ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧ ହୋଇ ଆଖି ବୁଜିଛନ୍ତି । ରାଜସ୍ଥାନର କୋଟାରେ ଥିବା ତାଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ସେ ସମୟରେ ଘରେ କେବଳ ବୀର ଏବଂ ତାଙ୍କ ଭାଇ ଶୌର୍ଯ୍ୟ ଶର୍ମା (୧୬) ଥିଲେ । ବାପା, ଜିତେନ୍ଦ୍ର ଶର୍ମା, ଯିଏ ଏକ କୋଚିଂ ସେଣ୍ଟରରେ ପାଠପଢ଼ାନ୍ତି ଏକ ଭଜନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ।  ବୀରଙ୍କ ମାଆ ରୀତା ଶର୍ମା ଜଣେ ଅଭିନେତ୍ରୀ ସେ ମୁମ୍ବାଇରେ ଥିଲେ । ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟଛି ।

ଘଟଣାସ୍ଥଳକୁ ଆସି କୋଟା ଏସପି ତେଜେଶ୍ୱରୀ ଗୌତମ କହିଛନ୍ତି, ଯେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।  ଫ୍ଲାଟର ଡ୍ରଇଂ ରୁମରେ ନିଆଁ ଲାଗିଥିଲା । ଶୋଇଥିବା ପିଲାମାନେ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । କାରଣ ନିଆଁ ଅନ୍ୟ ରୁମ୍‌କୁ ବ୍ୟାପି ନଥିଲା । ସର୍କଲ୍ ଇନ୍ସପେକ୍ଟର  ଭୂପେନ୍ଦ୍ର ସିଂହ କହିଛନ୍ତି ଯେ, ଅନନ୍ତପୁରା ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଦୀପଶ୍ରୀ ବିଲଡିଂର ଚତୁର୍ଥ ମହଲାରେ ଥିବା ଏକ ଫ୍ଲାଟରେ ରାତି ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଥିଲା । ପଡ଼ୋଶୀମାନେ ଫ୍ଲାଟରୁ ଧୂଆଁ ବାହାରୁଥିବା ଦେଖି ଦ୍ୱାର ଭାଙ୍ଗି ପିଲାମାନଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ । ପଡ଼ୋଶୀମାନେ ତୁରନ୍ତ ପିଲାଙ୍କ ବାପାଙ୍କୁ ଖବର ଦେଇ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପିଲାମାନଙ୍କ ଆଖି ଏକ ଚକ୍ଷୁ ବ୍ୟାଙ୍କକୁ ଦାନ କରାଯାଇଛି । ବିଏନ୍‌ଏସଏସ ଧାରା ୧୯୪ ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି ।  ଅଗ୍ନିକାଣ୍ଡର କାରଣ ସମେତ ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।
 

ମୋ ଦୁଇ ପିଲା ଚାଲିଗଲେ... ଦୁଇ ପୁଅଙ୍କୁ ହରାଇ ଭାଙ୍ଗିଛନ୍ତି ରୀତା ଶର୍ମା । ପୁଅ ମୃତଦେହ ପାଖରେ ଭୋ-ଭୋ ହୋଇ କାନ୍ଦି କାନ୍ଦି କହୁଥିଲେ ମୋ ଦୁଇ ପିଲା ଚାଲିଗଲେ । ଉଠି ଯାଆ ମୋ ପୁଅ କାହିଁକି ଉଠୁନାହଁ ବୋଲି କହି କାନ୍ଦି କାନ୍ଦି ଲୋଟି ପଡିଥିଲେ ରୀତା । ଏ ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା ।