ଇସ୍‌ଲାମାବାଦ/କାବୁଲ,୧୨/୧୦: ପାକିସ୍ତାନ ଗୁରୁବାର ବିଳମ୍ବିତ ରାତ୍ରିରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୀଷଣ ଏୟାରଷ୍ଟ୍ରାଇକ୍‌ କରିଥିଲା । ଶନିବାର ଏହାର ଦୃଢ଼ ଜବାବ ଦେଇଛି ତାଲିବାନ୍‌ । ପାକିସ୍ତାନର ଅର୍ଦ୍ଧସାମରିକ ବାହିନୀ ଫ୍ରଣ୍ଟିଅର କର୍ପସର ବିଭିନ୍ନ ଘାଟିକୁ ଟାର୍ଗେଟ୍‌ କରି ଜୋରଦାର ଆକ୍ରମଣ କରିଛି । ଏମିତି କି ଡୁରାଣ୍ଡ ରେଖାରେ ଥିବା କେତେକ ସାମରିକ ଭିତ୍ତିଭୂମି ଢାଞ୍ଚା ଉପରେ ମଧ୍ୟ ବୋମା ମାଡ଼ ହୋଇଛି । ଏଥିରେ ୫ ପାକ୍‌ ସୈନ୍ୟ ଓ ଜଣେ ନାଗରିକ ପ୍ରାଣ ହରାଇଛନ୍ତି । ଅନେକ ସୈନ୍ୟ ଆହତ ହୋଇଛନ୍ତି । ଇସ୍‌ଲାମାବାଦକୁ ଏହା ତାଲିବାନ୍‌ର ରଣନୀତିକ ଜବାବ ବୋଲି ଦର୍ଶାଯାଉଛି । ଆକ୍ରମଣ ନେଇ ଡଙ୍ଗାମ୍‌ ଓ ବିରକୋଟ ସେକ୍ଟରରୁ ବିଭିନ୍ନ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ ଆଫଗାନିସ୍ତାନର କୁନାର ଓ ନଙ୍ଗରହାର ପ୍ରଦେଶ ପଟୁ ପାକିସ୍ତାନୀ ଘାଟି ଉପରେ ସାଙ୍ଘାତିକ ବୋମା ବର୍ଷା ହେଉଛି । ଏମିତି କି ଡ୍ରୋନ୍‌ ଦ୍ୱାରା ବି ଏୟାରଷ୍ଟ୍ରାଇକ୍‌ କରାଯାଉଛି । ଦୁଇଦେଶ ମଧ୍ୟରେ ଏଭଳି ସ୍ଥିତି ୨୦୨୧ ପରଠାରୁ ଦେଖିବାକୁ ମିଳି ନ ଥିଲା । କିନ୍ତୁ କ୍ରମେ ବିବାଦ ଘନେଇବାରେ ଲାଗିଛି । ଏହାଦ୍ୱାରା ବଡ଼ ଯୁଦ୍ଧର ସୂତ୍ରପାତ ହେବା ଆଶଙ୍କା ରହିଛି ।

 ଅନ୍ୟପକ୍ଷରେ ଟିଟିପି ଖାଇବର ପଖ୍‌ତୁନଖ୍ୱା ପ୍ରଦେଶର ବିଭିନ୍ନ ଉତ୍ତରପଶ୍ଚିମ ଜିଲ୍ଲାରେ ଭୀଷଣ ଆକ୍ରମଣ କରିଛି । ଏଥିରେ ୨୦ ପାକ୍‌ ସୁରକ୍ଷା କର୍ମୀ ଓ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଟିଟିପି ଶନିବାର ଦାବି କରିଛି । ତାଲିବାନ ସୂତ୍ରରୁ ଜଣାପଡ଼ିଛି ଯେ ହେମ୍‌ଲାଣ୍ଡ, ପାକ୍‌ଟିଆ, କୁନାର, ନଙ୍ଗରହାର ଓ ଖୋଷ୍ଟ ପ୍ରଦେଶ ପଟୁ ଆଖିବୁଜା ଗୁଳିଗୋଳା ବର୍ଷା ହୋଇଛି । ପାକିସ୍ତାନର କୁରାମ୍‌ ବଜୌର ଏବଂ ଉତ୍ତର ୱାଜିରିସ୍ତାନରେ ଥିବା ଘାଟିଗୁଡ଼ିକୁ ଏଥିରେ ଅଧିକ ଟାର୍ଗେଟ୍‌ କରାଯାଇଛି । ଆର୍ଟିଲରି ଓ ମୋର୍ଟାର ସମେତ ହାଲୁକା ଡ୍ରୋନ୍‌ ମାଧ୍ୟମରେ ପ୍ରିସିଜନ ଷ୍ଟ୍ରାଇକ୍‌ ହୋଇଛି । ଏହି ଆକ୍ରମଣ ଲାଗି ଆଫଗାନିସ୍ତାନର ୨୦୧ ଖାଲିଦ ବିନ୍‌ ୱାଲିଦ ସେନା କର୍ପସ ନିଜକୁ ଦାୟୀ କରିଛି । କାବୁଲ, ଖୋଷ୍ଟ ଏବଂ ନଙ୍ଗରହାର ଉପରେ ପାକିସ୍ତାନ କରିଥିବା ଏୟାରଷ୍ଟ୍ରାଇକ୍‌ର ଜବାବ ସ୍ୱରୂପ ଏହି ଆକ୍ରମଣ ହୋଇଥିବା ଏହା ଦର୍ଶାଇଛି । ୨୦୨୧ ପରେ ପାକିସ୍ତାନ ବିରୋଧରେ ତାଲିବାନ ଔପଚାରିକ ସେନାର ଏହା ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ । 

୨୦୨୧ରେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାସୀନ ହୋଇଥିଲା । ଆଜି ପାକିସ୍ତାନର ଫ୍ରଣ୍ଟିଅର କର୍ପସ, ଲଜିଷ୍ଟିକ୍ସ ହବ୍‌ ଏବଂ ଡୁରାଣ୍ଡ ରେଖାରେ ଥିବା କ୍ଷୁଦ୍ର ବାରାକ୍‌ଗୁଡ଼ିକ ଉପରେ ତାଲିବାନ ସେନା ଆକ୍ରମଣ କରିଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ଅନୁପ୍ରବେଶ ହେବା ନେଇ ଖବର ଆସିଛି । ତାଲିବାନ କହିଛି, ଏହି ହମ୍‌ଲା ଦ୍ୱାରା ପାକିସ୍ତାନକୁ ଆମେ ସିଧାସଳଖ ବାର୍ତ୍ତା ଦେଇଛୁ ଯେ ଆଫଗାନିସ୍ତାନର ଅଖଣ୍ଡତାକୁ ନେଇ କୌଣସି ପ୍ରକାର ଉଲ୍ଲଂଘନ ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏଣିକି ସଙ୍ଗଠିତ ଉପାୟରେ ପ୍ରତିଟି ଆକ୍ରମଣର ଯଥୋଚିତ ଜବାବ ଦିଆଯିବ । ଉଲ୍ଲେଖଯୋଗ୍ୟ, କାବୁଲରେ ଥିବା ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର କେତେକ ଠିକଣା ଉପରେ ଗୁରୁବାରଶୁକ୍ରବାର ରାତିରେ ପାକ୍‌ ବାୟୁସେନା ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍‌ କରିଥିଲା । ୪ଟି ସ୍ଥାନରେ ଏହି ଆକ୍ରମଣ ହୋଇଥିଲା ।