ନୂଆଦିଲ୍ଲୀ : ମହାକାଶପ୍ରେମୀଙ୍କ ପାଇଁ ଖୁସି ଖବର। ଖାଲି ଆଖିରେ ଦେଖିପାରିବେ ଆକାଶଗଙ୍ଗା। ଅକ୍ଟୋବର ଶେଷରେ ଘଟିବ ଏହି ମହାଜାଗତିକ ଘଟଣା। ଶରତ ଋତୁର ରାତ୍ରି ଆକାଶକୁ ଉଜ୍ଜ୍ୱଳ କରିବା ପାଇଁ ଉପରକୁ ଉଠିବ ‘ଆଣ୍ଡ୍ରୋମେଡା ଆକାଶଗଙ୍ଗା’। ଯୋଜନ ଯୋଜନ ଦୂରର ପ୍ରାଚୀନ ଆଲୋକ ଦେଖିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଏହାକୁ ଜମାରୁ ବି ହାତ ଛଡ଼ା କରନ୍ତୁ ନାହିଁ। ନହେଲେ କିଏ ଜାଣିଲା, ପୁଣି କେବେ ଘଟିବ ଏହି ବିରଳ ଘଟଣା।
‘ମେସିୟର୍ ୩୧’ ବା ଏମ୍୩୧ ନାମରେ ପରିଚିତ ଆଣ୍ଡ୍ରୋମେଡା ଆମ ଆକାଶଗଙ୍ଗା ମିଲ୍କି ୱେର ସବୁଠୁ ନିକଟତମ ବିଶାଳ ପଡ଼ୋଶୀ। ଟ୍ରିଲିଅନ୍ ନକ୍ଷତ୍ରଙ୍କୁ ଧାରଣ କରିଥିବା ଏହି ଆକାଶଗଙ୍ଗା ମିଲ୍କି ୱେ ଅପେକ୍ଷା ଅଧିକ ବିଶାଳ। ଯାହାକୁ ୨୫ ଲକ୍ଷ ଆଲୋକ ବର୍ଷ ଦୂରରେ ଚିହ୍ନଟ କରାଯାଇଛି । ଏହାର ବିଶାଳ ଘୂର୍ଣ୍ଣାୟମାନ ବାହୁ ହାରାହାରି ୨,୬୦,୦୦୦ ଆଲୋକ ବର୍ଷରେ ପରିବ୍ୟାପ୍ତ । ଏକ ଟ୍ରିଲିଅନ୍ରୁ ଅଧିକ ନକ୍ଷତ୍ରଙ୍କର ସଂଚାଳନା କରୁଥିବା ଏହି ଆକାଶଗଙ୍ଗାର କେନ୍ଦ୍ରରେ ଏକ ସୁପରମାସିଭ୍ ବ୍ଲାକ୍ହୋଲ ରହିଛି। ଏହି କେନ୍ଦ୍ର ପ୍ରାଚୀନ ଲାଲ୍ ତାରକୀୟ ପିଣ୍ଡ ଦ୍ୱାରା ହାଲୁକା ଚିକ୍ମିକ୍ କରୁଛି ଏବଂ ଶ୍ୱେତ ଆଲୋକ ଏହାକୁ ଆବୃତ୍ତ କରିଛି। ରାତ୍ରି ଆକାଶରେ ଏକ ଧୂମିଳ ପ୍ୟାଚ୍ ଭାବେ ପୃଥିବୀରୁ ଏହା ଖାଲି ଆଖିରେ ଦୃଶ୍ୟମାନ ହେଉଛି।
ପ୍ରାୟ ୪୫୦ କୋଟି ବର୍ଷରେ ଆଣ୍ଡ୍ରୋମେଡା ଓ ମିଲ୍କି ୱେ ମଧ୍ୟରେ ଧକ୍କା ହେବ। ଫଳରେ ଉଭୟର ବିଲୟ ହୋଇ ଏକ ବିଶାଳ ଅଣ୍ଡାକୃତି ଆକାଶଗଙ୍ଗାର ରୂପ ନେବ। ଏହା ଆମ ବ୍ରହ୍ମାଣ୍ଡର ଗତିଶୀଳ ଓ ନିରନ୍ତର ବିକଶିତ ପ୍ରକୃତିର ଏକ ଚମତ୍କାର-ପ୍ରେରଣାପ୍ରଦ ମୁହୂର୍ତ୍ତ । ମହାକାଶପ୍ରେମୀ ସୂର୍ଯ୍ୟାସ୍ତ ସମୟରେ ପୂର୍ବ ଦିଗରେ ଉଦ୍ଧ୍ୱର୍କୁ ଉଠୁଥିବା ଆଣ୍ଡ୍ରୋମେଡାକୁ ଦେଖିପାରିବେ । ପ୍ରାୟ ମଧ୍ୟରାତ୍ରିରେ ଏହା ନିଜର ସର୍ବୋଚ୍ଚ ବିନ୍ଦୁ- ସିଧାସଳଖ ମୁଣ୍ଡ ଉପରକୁ ଉଠିବ ଏବଂ ଭୋର ସୁଦ୍ଧା ଧୀରେ ଧୀରେ ଉତ୍ତରପୂର୍ବ ଦିଗକୁ ଗତିକରିବ ।
ସବୁଠୁ ବଡ଼ କଥା ହେଲା ଆଣ୍ଡ୍ରୋମେଡା ଆକାଶଗଙ୍ଗା ସବୁଠୁ ଉଜ୍ଜ୍ଵଳ ଆକାଶଗଙ୍ଗା। ଏହାକୁ ଦେଖିବା ପାଇଁ ଆପଣଙ୍କୁ ନାସାର କୌଣସି ୱାଲପେପର ଡାଉନଲୋଡ କରିବାକୁ ପଡ଼ିବ ନାହିଁ। ଆପଣ ଏହାକୁ ସହରୀ ଆଲୋକଠୁ ଦୂର ଅନ୍ଧାର ଆକାଶରେ ଦେଖିପାରିବେ। ଆଣ୍ଡ୍ରୋମେଡା ଖାଲି ଆଖିକୁ ଏକ ଧୂମିଳ ଅଣ୍ଡାକୃତି ଚିହ୍ନ ଭଳି ଦିଶେ । ବାଇନୋକୁଲାର କିମ୍ବା ଛୋଟ ଟେଲିସ୍କୋପ୍ ଏହାର ଉଜ୍ଜ୍ୱଳ କେନ୍ଦ୍ର ସମେତ ଘୂର୍ଣ୍ଣାୟମାନ ବାହୁର ଅଂଶଗୁଡ଼ିକର ବିସ୍ତୃତ ଦୃଶ୍ୟ ପ୍ରଦାନ କରିବ।